ମୋ ଟିଭି ପୁରୀ / ପୁରୀ :
ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ରତ୍ନଭଣ୍ଡା ଖୋଲାଯାଇଛି। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ଏହା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଏନେଇ ପାଳିଆ ସେବାୟତ ନରେଶ କର ସୂଚନା ଦେଇଛନ୍ତି।
ଭାଙ୍ଗିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ତାଲା । ରବିବାର ୧୧ ଜଣିଆ ଟିମ୍ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ ମିନିଟରେ ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ । ବାହାର ତାଲା ଖୋଲାଯାଇ ଟିମ୍ ଭିତରକୁ ଯାଇଥିଲା । ତେବେ ଭିତର ରତ୍ନ ଭଣ୍ଡାର ତାଲା ଚାବିରେ ନଖୋଲିବାରୁ ତାଲା ଭଙ୍ଗାଯାଇ ଭଣ୍ଡାର ଖୋଲାଯାଇଛି । ଏନେଇ ପାଳିଆ ସେବାୟତ ନରେଶ କର ସୂଚନା ଦେଇଛନ୍ତି । ଭିତରେ ବଡ ବଡ ମୂଷା ଗର୍ତ୍ତ ରହିଥିବା ଦେଖିବାକୁ ମିଳିଛି । ୧୧ ଜଣିଆ ସଦସ୍ୟ ପ୍ରାୟ ୨ ଘଣ୍ଟା ଭିତରେ ତନଖି କରିବା ପରେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ଖୋଲିଥିବା ସୂଚନା ଦେଇଛନ୍ତି । ତେବେ ଆଜି ରତ୍ନଭଣ୍ଡାର ଯାଞ୍ଚ ହେବାର ହିଁ ଯୋଜନା ରହିଥିଲା । ରତ୍ନ ଅଳଙ୍କାର ଗଣତି ନେଇ କୌଣସି ଯୋଜନା ନଥିଲା । ତେଣୁ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ପରେ ତାକୁ ସିଲ୍ କରିଦିଆଯାଇଛି । ପୁଣି ଏକ ତାରିଖ ନିର୍ଦ୍ଧାରିତ କରି ଆଗାମୀ ପଦକ୍ଷେପ ନିଆଯିବ । ଅନ୍ୟପଟେ ରତ୍ନ ଭଣ୍ଡାର ବାହାର ସ୍ନେକ ହେଲ୍ପ ଲାଇନର ପ୍ରାୟ ୧୨ ଜଣ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ରହିଥିଲା । ଆବଶ୍ୟକ ପଡିଲେ ସେମାନଙ୍କୁ ଭିତରକୁ ଡକାଯାଇଥାନ୍ତା । ତେବେ ଆଜି ସେମାନଙ୍କୁ ଭିତରକୁ ଡକାଗଲାନି ।
ବାହାରକୁ ବାହାରିବା ପରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି କି, ଏସଓପି ମୁ୍ତାବକ ସମସ୍ତ କାର୍ଯ୍ୟ ହୋଇଛି । ଅରବିନ୍ଦ ପାଢୀଙ୍କ କହିବା ମୁତାବକ ବାହାର ରତ୍ନଭଣ୍ଡାରରୁ ଯାହା ବାହାରକୁ ବାହାର କରିବା କଥା ସମସ୍ତ ଜିନିଷ ବାହାର କରାଯାଇ ତାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଚେଙ୍ଗଡା ଘରେ ରଖାଯାଇଛି । ଜଷ୍ଟିସ ରଥ ଓ ମେକାପ ସଦସ୍ୟଙ୍କ ସାମ୍ନାରେ ସବୁ ଜିନିଷ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ଏହାସହ ସ୍ଥାନାନ୍ତର ହୋଇଥିବା ସମସ୍ତ ଜିନିଷର ତାଲିକା ପ୍ରସ୍ତୁତ କରାଯାଇଛି । ଏବେ ବାହାର ରତ୍ନଭଣ୍ଡାରକୁ ସିଲ୍ କରାଯାଇଛି । ଅନ୍ୟପଟେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ରତ୍ନ ଭଣ୍ଡାରର ବାହାର ତାଲା ଖୋଲିବା ପରେ ମିଳିଥିବା ସମସ୍ତ ଅଳଙ୍ଗାରକୁ ସ୍ଥାନାନ୍ତର କରାଯାଇଛି । କହିରଖୁଛୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ , ରତ୍ନଭଣ୍ଡାର ସବ୍ କମିଟିର ଜଣେ , ହାଇଲେବୁଲ୍ କମିଟିର ଦୁଇ ଜଣ ସଦସ୍ୟ , ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର , ଭଣ୍ଡାର ମେକାପ, ଚଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲିଥିଲା।
More Stories
କୋଲକାତା ବଳାତ୍କାର ମାମଲା।
ଉତ୍ତରାଖଣ୍ଡରେ ଚଳିତ ମାସରେ ଲାଗୁ ହେବ UCC।
ମହାକୁମ୍ଭରେ ‘ମହାପ୍ରସାଦ ସେବା’ ଆରମ୍ଭ କରିବ ଆଦାନୀ ଗ୍ରୁପ୍ ଓ ଇସ୍କନ୍।