- କେନାଲ ସେଚାଞ୍ଚଳରେ କୃଷି ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ସହ ଏବଂ
- ପାଣି ପଞ୍ଚାୟତର ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ ଜାଭିୟର ଇନଷ୍ଟିଚ୍ୟୁଟ୍ ସହିତ ବୁଝାମଣା ପତ୍ର ସ୍ୱାକ୍ଷର
- ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମନ୍ୱିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସମୀକ୍ଷା
ଭୁବନେଶ୍ଵର, ୨୩ ନଭେମ୍ବର ୨୦୨୪
ଜଳ ସମ୍ପଦ ବିଭାଗ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦର ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର-ଆଇଆଇଡବ୍ଲ୍ୟୁଏମ), ଭୁବନେଶ୍ୱର ଏବଂ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ( ଏକ୍ସଆଇଏମବି) ସହିତ ଗତ ମଙ୍ଗଳବାର ଦୁଇଟି ପୃଥକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଉନ୍ନୟନ କମିଶନର-ତଥା–ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍, ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡ. ରବୀନ୍ଦ୍ର କୁମାର ପଣ୍ଡା ଏବଂ ଏକ୍ସଆଇଏମବିର କୁଳପତି ଉଭାରୀ ଆଣ୍ଟୋନି ଆର୍ ଙ୍କ ସମେତ ଜଳ ସମ୍ପଦ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅନ୍ୟ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପ୍ରଥମ ବୁଝାମଣା ପତ୍ର ସେଚାଂଚଳ ଉନ୍ନୟନ ଏବଂ ଭାଗିଦାରୀ ଜଳସେଚନ ପରିଚାଳନା (ସିଏଡି-ପିଆଇଏମ)ର ନିର୍ଦ୍ଦେଶକ ଏବଂ ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍ ର ନିର୍ଦ୍ଦେଶକଙ୍କ ମଧ୍ୟରେ ‘କେନାଲ ସେଚାଂଚଳ(କମାଣ୍ଡ)ରେ କୃଷି ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଡିଜିଟାଲ୍ ଜଳ ମାପ ଏବଂ ବୈଜ୍ଞାନିକ ଜ୍ଞାନ କୌଶଳରେ ମୃତ୍ତିକା ଆର୍ଦ୍ରତା ଜାଣିବା ପ୍ରଣାଳୀର ପାଇଲଟ ଭିତ୍ତିରେ କ୍ଷେତ୍ର ପ୍ରଦର୍ଶନ ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ପ୍ରକଳ୍ପ କଟକ ଫୁଲନଖରା ନିକଟସ୍ଥ ଉସୁମାଗାଁର କାକଟପୁର-ପୁରୀ ମୁଖ୍ୟ କେନାଲର ହରିଅନ୍ତା ଡିଷ୍ଟ୍ରିବ୍ୟୁଟାରୀରେ ଜଳସେଚନ ପାଇଁ ଆଇସିଏଆର-ଆଇଆଇଡବ୍ଲୁଏମ ଦ୍ୱାରା ବିକଶିତ ଇଣ୍ଚରନେଟ୍- କମ୍ପ୍ୟୁଟରୀକୃତ(ଆଇଓଟି ସକ୍ଷମ )ଡିଜିଟାଲ ଜଳ ମାପକ ଏବଂ ମୃତ୍ତିକା ଆର୍ଦ୍ରତା ଜାଣିବା ପ୍ରଣାଳୀର ପ୍ରଦର୍ଶନ ଏବଂ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଆଧାରରେ କାର୍ଯ୍ୟ କରିବ । ଏହି ସହଯୋଗ ଡିଜିଟାଲ ଉପକରଣର ବ୍ୟବହାରରେ ଜଳସେଚନକୁ ସ୍ୱୟଂଚାଳିତ ନିୟନ୍ତ୍ରଣ କରିବାରେ ପାଣିପଞ୍ଚାୟତର କ୍ଷମତା ବୃଦ୍ଧିରେ ସହାୟକ ହେବା ସଙ୍ଗେ ଜଳର ଦକ୍ଷ ବ୍ୟବହାର ଏବଂ କେନାଲ ସେଚାଂଚଳରେ ଫସଲ ବିବିଧିକରଣକୁ ପ୍ରୋତ୍ସାହିତ କରିବ ।
ଅନ୍ୟ ଏକ ବୁଝାମଣା ପତ୍ର ସହନଶୀଳ ଜଳବାୟୁ ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆର୍ଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଓ ଏକ୍ସଆଇଏମବିର କୁଳପତିଙ୍କ ମଧ୍ୟରେ ପ୍ରଶିକ୍ଷକମାନଙ୍କୁ (ଟିଓଟି) ଏବଂ ପାଣିପଞ୍ଚାୟତର କର୍ମକର୍ତ୍ତାମାନଙ୍କୁ ବ୍ୟାପକତା ଭିତ୍ତିରେ (କ୍ୟାସ୍କେଡିଂ ମୋଡରେ) ତାଲିମ ପ୍ରଦାନ କରାଯିବା ସମ୍ପର୍କରେ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ମଧ୍ୟ ମାଷ୍ଟର ଟ୍ରେନରମାନଙ୍କ ପ୍ରାକ୍ ଓ ପରବର୍ତ୍ତୀ ପ୍ରଶିକ୍ଷଣ ଆବଶ୍ୟକତା ଆକଳନ କରିବ ।

ଏହା ପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାରେ ଓଆଇଆଇପିସିଆରଏ ଜରିଆରେ କାର୍ଯ୍ୟକାରୀ ହେଉଥିବା ସ୍ଥାୟୀ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ । ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ସାମଗ୍ରିକ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ବିକଶିତ ହୋଇଥିବା ବିଭିନ୍ନ ଏମ୍ଆଇପିର ଉଦାହରଣ ଦେଇ ଏହି ପ୍ରକଳ୍ପଗୁଡ଼ିକରୁ କୃଷକମାନେ କିପରି ଉପକୃତ ହେଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ ।
ଉନ୍ନୟନ କମିଶନର ଏହି ପ୍ରକଳ୍ପ ଜରିଆରେ କୃଷକମାନେ କିପରି ଜଳର ଉତ୍ପାଦକତା ବୃଦ୍ଧି କରି ଅଧିକ ଉପକୃତ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ । କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସାମୂହିକ ପ୍ରୟାସ ସହିତ ବିଶେଷଜ୍ଞମାନଙ୍କର ମିଳିତ ପ୍ରୟାସରେ ଫସଲ ବିବିଧିକରଣ ଏବଂ କୃଷିର ଅଭିବୃଦ୍ଧି ଉପରେ ସେ ଆଲୋକପାତ କରିଥିଲେ । ଓଆଇଆଇପିସିଆରଏ ମାଧ୍ୟମରେ ବିକଶିତ ହୋଇଥିବା ବହୁ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ , ଯାହା ଜନସାଧାରଣଙ୍କୁ କୃଷି ପଦ୍ଧତି ପରିଦର୍ଶନ କରିବାକୁ ଆକୃଷ୍ଟ କରୁଛି ଏବଂ ମନୋରଞ୍ଜନ ଏବଂ ଶିକ୍ଷଣର ଅନନ୍ୟ ଅନୁଭୂତି ଦେଉଛି, ଏହି ପ୍ରକଳ୍ପଗୁଡ଼ିକୁ କୃଷି-ପର୍ଯ୍ୟଟନ ଏବଂ ଏଥିରେ ଜଳ-ଭିତ୍ତିକ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରାଯାଇ ଆକ୍ୱା-ଟୁରିଜିମ୍ ପାଇଁ ପ୍ରୋତ୍ସାହିତ କରାଯିବା ସମ୍ପର୍କରେ ସେ ପରାମର୍ଶ ଦେଇଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ