କଳାହାଣ୍ଡି :୧୩/୦୫(ମୋଟିଭି ଓଡିଶା) : ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ପାଇଁ କଳାହାଣ୍ଡି ଜିଲ୍ଲାରେ ଆଜି ମତଦାନ ହେଇଥିବା ବେଳେ ନୋ ବୁଥ ନୋ ଭୋଟ ନିଷ୍ପତ୍ତି ରେ ଅଟଳ ରହି ଭୋଟ ବର୍ଜ୍ଜନ କରିଛନ୍ତି,ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ୧ ନମ୍ବର ୱାର୍ଡ଼ ର ୩୦୬ ଭୋଟର। ମତଦାନ ପ୍ରତିଟି ନାଗରିକଙ୍କ ମୌଳିକ ଅଧିକାର, ତେବେ ଯେତେବେଳେ ନିଜର ଅଭିଯୋଗ ଓ ଦାବିକୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଗଲା, ପ୍ରତିବାଦ କରି ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ଭୋଟ ବର୍ଜ୍ଜନ ନିଷ୍ପତ୍ତିରେ ଅଟଳ ରହି ମତଦାନକୁ ଅଗ୍ରାହ୍ୟ କରିଛନ୍ତି ସିର୍ଲିଗୁଡା ଗ୍ରାମବାସୀ।
ଗ୍ରାମବାସୀଙ୍କ ଅଭିଯୋଗ ମତେ ପୂର୍ବରୁ ସେମାନେ ଗାଁ ଠାରୁ ୮ କିମି ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଭୋଟ ଦେଉଥିଲେ। ତେବେ ସିର୍ଲିଗୁଡା ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ସିର୍ଲିଗୁଡା ଗ୍ରାମରେ ବୁଥ କରିବାକୁ ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଳିତ ନିର୍ବାଚନରେ ସିର୍ଲିଗୁଡା ରାଜସ୍ୱ ଗ୍ରାମ ଅଧୀନରେ ଥିବା ଅଁଳାଗୁଡା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରିଥିବା ଜାଣିବା ପରେ ସିର୍ଲିଗୁଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରି ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେବେ ଗତମାସରେ ଧର୍ମଗଡ ଉପ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ବୈଠକ ହୋଇଥିବା ବେଳେ କୌଣସି ନିଷ୍କର୍ଷ ନ ବାହାରିବାରୁ ନୋ ବୁଥ ନୋ ଭୋଟ ଦାବି ରେ ଅଡ଼ି ବସି ଗ୍ରାମବାସୀ ମାନେ ଭୋଟ ବର୍ଜ୍ଜନ କରିଛନ୍ତି।
ଭୋଟ ବର୍ଜ୍ଜନ ଖବର ପାଇ ଭୋଟରଙ୍କୁ ମତଦାନ କରିବା ପାଇଁ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ସିର୍ଲିଗୁଡା ଗ୍ରାମରେ ପହଞ୍ଚି ଆଗାମୀ ସମୟରେ ମତଦାନ କେନ୍ଦ୍ର କରାଯିବା ନେଇ ପ୍ରତିଶ୍ରୁତି ଦେବାସହ ବସ ଯୋଗେ ବୁଥକୁ ଯାଇ ଭୋଟ ଦେବାକୁ ଅନୁରୋଧ କରିଥିଲେ। ତେବେ ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହି ମତଦାନରୁ ବିରତ ରହିଥିବା ଜଣାପଡିଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ