February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁ୍ପ୍ରିମ କୋର୍ଟର ଗୁରୁତ୍ବପୂର୍ଣ୍ଣ ରାୟ, ଇଡି ଅଭିଯୁକ୍ତକୁ ମନଇଛା ଗିରଫ କରିପାରିବ ନାହିଁ l

ମୋଟିଭି ଓଡିଶା : ନୂଆଦିଲ୍ଲୀ : ସୁ୍ପ୍ରିମ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଦେଇଛନ୍ତି ଯେ ଅର୍ଥ ହେରଫେର ନିବ‌ାରଣ ଆଇନ୍ (ପିଏମ୍ଏଲ୍ଏ) ମାମଲାରେ ଇଡି ଅଭିଯୁକ୍ତକୁ ମନଇଚ୍ଛା ଗିରଫ କରିପାରିବ ନାହିଁ। ସ୍ବତନ୍ତ୍ର ଅଦାଲତ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରିଥିଲେ ଇଡି ସଂପୃକ୍ତ ଅଭିଯୁକ୍ତକୁ ନିଜ ଆଡ଼ୁ ଗିରଫ କରିପାରିବ ନାହିଁ। ଅଭିଯୁକ୍ତକୁ ଗିରଫ କରିବାକୁ ହେଲେ ଇଡିକୁ ସ୍ବତନ୍ତ୍ର ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ପିଏମ୍ଏଲ୍ଏରେ ଅଭିଯୁକ୍ତକୁ ଗିରଫ କରିବା ଲାଗି ଇଡିକୁ ଅଖଣ୍ଡ କ୍ଷମତା ମିଳିଛି। ଅଭିଯୋଗକୁ ପ୍ରମାଣ କରିବା ଲାଗି ତଥ୍ୟ ରହିଛି ଏବଂ ଏହି ଆଧାରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବ ବୋଲି ଇଡିକୁ ଯଦି ହୃଦବୋଧ ହୁଏ, ତାହାହେଲେ ସଂସ୍ଥା ଅଭିଯୁକ୍ତକୁ ଗିରଫ କରିପାରିବ। ତେବେ ଗିରଫ କରିବା ପୂର୍ବରୁ ଅଭିଯୁକ୍ତକୁ ଏହାର କାରଣ ସଂପର୍କରେ ଜଣାଇବାକୁ ପଡ଼ିବ। ଏହି କ୍ଷମତାର ଦୁରୁପଯୋଗ ହେଉଥିବାରୁ ସୁପ୍ରିମ କୋର୍ଟଙ୍କ ଆଜିର ରୁଲିଂ ଗୁରୁତ୍ବ ବହନ କରୁଛି। ଜଷ୍ଟିସ ଏଏସ୍ ଓକା ଓ ଜଷ୍ଟିସ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସ୍ବତନ୍ତ୍ର ଅଦାଲତରେ ଇଡି ଅଭିଯୋଗ ଦାଖଲ କରିବା ପୂର୍ବରୁ ଯଦି ଅଭିଯୁକ୍ତକୁ ଗିରଫ କରିନାହିଁ, ତ‌ାହାହେଲେ ଆଉ ନିଜ ଆଡ଼ୁ ଗିରଫ କରିପାରିବ ନାହିଁ। ଅଭିଯୁକ୍ତକୁ ଗିରଫ କରିବାକୁ ହେଲେ ଇଡିକୁ ସ୍ବତନ୍ତ୍ର ଅଦାଲତରେ ଆବେଦନ କରିବାକୁ ପଡ଼ିବ। ପଚରାଉଚରା ଲାଗି ଅଭିଯୁକ୍ତକୁ ହାଜତରେ ରଖିବା ଜରୁରି ବୋଲି କୋର୍ଟ ନିଶ୍ଚିତ ମନେକଲେ ଗିରଫ ପାଇଁ ଅନୁମତି ଦେଇପାରିବେ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସ୍ବତନ୍ତ୍ର ଅଦାଲତ ପ୍ରଥମେ ଏହି ଅଭିଯୁକ୍ତକୁ ସମନ୍ କରିବା ଦରକାର। ଯଦି ସମନ୍ ଅନୁସାରେ ଅଭିଯୁକ୍ତ କୋର୍ଟରେ ହାଜର ହୁଅନ୍ତି, ତାହାହେଲେ ଏହାକୁ ଗିରଫ ବୋଲି କୁହାଯାଇ ପାରିବ ନାହିଁ। ସମନ ସତ୍ତ୍ବେ ଅଭିଯୁକ୍ତ ଯଦି କୋର୍ଟରେ ହାଜର ନହୁଅନ୍ତି, ‌ସେକ୍ଷେତ୍ରରେ ସିଆରପିସିର ଧାରା ୭୦ ଅନୁଯାୟୀ ଗିରଫ ପରୱାନା ଜାରି କରାଯାଇ ‌ପାରିବ। କିନ୍ତୁ ସମନ୍ ପ୍ରଥମ ହୋଇଥିଲେ ଏହି ପରୱାନା ଜାମିନଯୁକ୍ତ ହେବ। ସମନ୍ ସତ୍ତ୍ବେ ହାଜର ନହେଲେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିପାରିବେ। କିମ୍ବା ପୂର୍ବରୁ ମିଳିଥିବା ଜାମିନକୁ ବାତିଲ କରିପାରିବେ। ତେବେ ଅଭିଯୁକ୍ତକୁ ଜାମିନ ପାଇଁ ଏହି ଆଇ‌ନରେ ଯେଉଁ ଦୁଇଟି କଠୋର ସର୍ତ୍ତ ରହିଛି, ତାହାକୁ କୋର୍ଟ ହଟାଇ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସମନ୍ ପାଇ ଯଦି ଅଭିଯୁକ୍ତ କୋର୍ଟରେ ହାଜର ହୁଅନ୍ତି, ସେମାନଙ୍କ କ୍ଷେତ୍ରରେ ଏଭଳି ସର୍ତ୍ତ ପାଳନ କରିବାର ଆବଶ୍ୟକତା ନାହିଁ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।