January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଇଶି ପାହାଚ

   ଚିର ରହସ୍ୟମୟ ଶ୍ରୀଜଗନ୍ନାଥ ସଂସ୍କୃତି । ଏହି ସଂସ୍କୃତିର ଆଦି-ଅନ୍ତ ତତ୍ତ୍ୱ ଜାଣିବାକୁ ଅନେକ ପଣ୍ଡିତ, ବିଦ୍ୱାନ, ଗବେଷକ, ଚିନ୍ତାଶୀଳ ବ୍ୟକ୍ତିମାନେ ଅକ୍ଳାନ୍ତ ଉଦ୍ୟମ ଓ ପରିଶ୍ରମ କରି ମଧ୍ୟ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇପାରିନାହାନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରତ୍ୟେକ ଉପାଦାନ ରହସ୍ୟବୃତ । ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅଦ୍ୟାବଧି ଯେତେ ତତ୍ତ୍ୱ, ଦର୍ଶନ, ଆଲୋଚନା ଓ ରଚନା ଲୋକଲୋଚନକୁ ଆସିଛି ତାହା ଅସମାପ୍ତ ପରି ମନେହୁଏ । ଶ୍ରୀଜଗନ୍ନାଥ ସଂସ୍କୃତିର ମହିମା ମାହାତ୍ମ୍ୟ, ଲୀଳା ଅଟେ ଅଲୌକିକ, ଐଶ୍ୱରୀୟ, ଅନନ୍ତ, ଅସୀମ ଓ ଅବ୍ୟକ୍ତ । ଲୀଳାମୟ ଶ୍ରୀଜଗନ୍ନାଥଙ୍କର ଲୀଳା, ରହସ୍ୟମୟ, ଅଦ୍ଭୁତ ଓ ସ୍ୱତନ୍ତ୍ରତା ବହନ କରିଥାଏ ଯାହା ବିଶ୍ୱରେ ବିରଳ । ବିଶ୍ୱ ବିଖ୍ୟାତ ଶ୍ରୀମନ୍ଦିରର ବାଇଶି ପାହାଚ ଅତ୍ୟନ୍ତ ରହସ୍ୟମୟ । ବାଇଶି ପାହାଚ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅତି ପବିତ୍ର ସ୍ଥାନ ଅଧିକାର କରିଛି । ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅଧିକ ମହିମାମଣ୍ଡିତ ତଥା ଗୌରବାନ୍ୱିତ କରିବା ଦିଗରେ ଯେଉଁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ବାଇଶି ପାହାଚ ସ୍ୱତନ୍ତ୍ର । ଇତିହାସ, ଲୋକକଥା, କିମ୍ବଦନ୍ତୀ ଓ ସାହିତ୍ୟ ପୃଷ୍ଠାରେ ବାଇଶି ପାହାଚର ବର୍ଣ୍ଣନା ଅତି ଚମକ୍ରାର, ମନୋଜ୍ଞ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଆମ ଧର୍ମୀୟ ବ୍ୟବସ୍ଥାକୁ ଗଭୀର ଭାବରେ ପ୍ରଭାବିତ କରି ଆସୁଛି ବାଇଶି ପାହାଚ । ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଈଶ୍ୱର ବିଶ୍ୱାସୀ ଓ ଧର୍ମପ୍ରାଣ ବ୍ୟକ୍ତିବିଶେଷଙ୍କ ପାଇଁ ବାଇଶି ପାହାଚ କୋଟି ତୀର୍ଥର ପ୍ରତୀକ ଏବଂ ମୋକ୍ଷ, ମୁକ୍ତି ଓ ସିଦ୍ଧିର ପୁଣ୍ୟ ସ୍ଥାନ ବୋଲି ବିବେଚନା କରନ୍ତି । ବାଇଶି ପାହାଚ ଶବ୍ଦଟି ଓଡ଼ିଆମାନଙ୍କ ହୃଦୟରେ ଏକ ଆଧ୍ୟାତ୍ମିକ ସ୍ପନ୍ଦନ ସୃଷ୍ଟି କରେ । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ଅନନ୍ୟ ରହସ୍ୟମୟ ବାଇଶି ପାହାଚର ଉତ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ଲୋକଲୋଚନକୁ ଆସେ । କିନ୍ତୁ ବାଇଶି ପାହାଚ ପ୍ରତି ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଶ୍ରଦ୍ଧା ଓ ଆଗ୍ରହ ରହିଛି, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ ।

ଆମ ଭାବାବେଗ ସହିତ ବାଇଶି ପାହାଚର ଅତୀତ ଇତିହାସ ଓତଃପ୍ରୋତ ଭାବେ ଜଡ଼ିତ । ବିଶ୍ୱବିଖ୍ୟାତ ତଥା ଇତିହାସ ପ୍ରସିଦ୍ଧ ଶ୍ରୀମନ୍ଦିର ପ୍ରମୁଖ ପବିତ୍ର ସ୍ଥଳ ହୋଇଥିବା ବେଳେ ତନ୍ମଧ୍ୟସ୍ଥ ରତ୍ନସିଂହାସନ, କୋଇଲି ବୈକୁଣ୍ଠ, କଳ୍ପବଟ, ରୋହିଣୀକୁଣ୍ଡ, ଆନନ୍ଦବଜାର ପରି ବାଇଶି ପାହାଚର ମହିମା ଓ ମାହାତ୍ମ୍ୟକୁ ଅଗ୍ରାଧିକାର ଦିଆଯାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ । ସିଂହଦ୍ୱାର ବା ମୁଖ୍ୟଦ୍ୱାର ଦେଇ ଯେଉଁ ବାଇଶି ପାହାଚ ଅତିକ୍ରମ କରି ବଡ଼ ଦେଉଳର ଭିତରର ବେଢ଼ା ମଧ୍ୟରେ ପ୍ରବେଶ କରିବାକୁ ହୋଇଥାଏ ସେହି ପାହାଚଗୁଡ଼ିକୁ ବାଇଶି ପାହାଚ କୁହାଯାଏ । ବାଇଶି ପାହାଚ ଜଣେ ଭକ୍ତ ହୃଦୟର ଅତ୍ୟନ୍ତ ପବିତ୍ରତମ ସ୍ଥାନର ମର୍ଯ୍ୟାଦା ଲାଭ କରିଛି । ଜଣେ ଭକ୍ତ ବାଇଶି ପାହାଚ ସ୍ପର୍ଶ କରିବା ପୂର୍ବରୁ ପ୍ରଣାମ କରିବା ସହ ପଡ଼ିଥିବା ଭକ୍ତଙ୍କ ପଦଧୂଳିକୁ ମୁଣ୍ଡରେ ଲଗାଇ ପରମ ଶାନ୍ତି ଓ ତୁପ୍ତି ପାଇଥାଏ । ନିତ୍ୟ ବୃନ୍ଦାବନ, ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମୁଖ୍ୟ ଆକର୍ଷଣ ମନୋମୁଗ୍ଧକର । ସିଂହଦ୍ୱାର ଗୁମୁଟରୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଯେଉଁ ପାହାଚମାନ ଅଛି ତାହା ବାଇଶି ପାହାଚ ନାମରେ ନାମିତ । ବାଇଶି ପାହାଚର ବାମ ପାଶ୍ୱର୍ରେ କାଶୀବିଶ୍ୱନାଥ ମନ୍ଦିର, ଶ୍ରୀରାମଚନ୍ଦ୍ର ମନ୍ଦିର, ଶ୍ରୀନୃସିଂହ ଓ ଗଣେଶ ମନ୍ଦିର ସହିତ ସରଘର ରହିଅଛି । ଏହି ପାହାଚ ମୁଖ୍ୟ ଦ୍ୱାରକୁ ସଂଯୁକ୍ତ ହୋଇଥିବାରୁ ଶ୍ରୀବିଗ୍ରହମାନଙ୍କର ବାହାରବୁଲା କାର୍ଯ୍ୟକ୍ରମ ଏହାରି ମାଧ୍ୟମରେ ଆୟୋଜିତ ହୋଇଥାଏ । ବିଭିନ୍ନ ସମୟରେ ଶ୍ରୀଜିଉମାନଙ୍କର ଚଳନ୍ତି ପ୍ରତିମା ଏହି ପାହାଚ ବାଟେ ଯାଇ ବାହାରେ ନିଜର ଲୀଳା ପ୍ରକଟିତ କରିଥାନ୍ତି । ବାଇଶି ପାହାଚ ଅତି ପୁଣ୍ୟ ହୋଇଥିବାରୁ ଏହି ପଥ ଦେଇ ଅତୀତରେ ଅନେକ ଯୋଗଜନ୍ମା ସିଦ୍ଧପୁରୁଷମାନେ ଯଥା- ଶଙ୍କରାଚାର୍ଯ୍ୟ, ରାମାନୁଜ, ନାନକ, ଶ୍ରୀଚୈତନ୍ୟ ପ୍ରଭୃତି ପ୍ରବେଶ କରି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ ବଡ଼ଦାଣ୍ଡରୁ ସିଂହଦ୍ୱାର ଦେଇ ବଡ଼ ଦେଉଳରେ ପ୍ରବେଶ କରିବାର ବିଧି ରହିଛି । ପୂର୍ବ ଦିଗରୁ ଶ୍ରୀମନ୍ଦିରକୁ ପ୍ରବେଶ ଅତ୍ୟନ୍ତ ଶୁଭଦାୟକ ବୋଲି ଲୋକ ବିଶ୍ୱାସ ରହିଛି । ଶ୍ରୀମନ୍ଦିର ସମ୍ମୁଖରେ ଅରୁଣସ୍ତମ୍ଭ ଓ ଏହାର ପଶ୍ଚାତ ଭାଗରେ ସିଂହଦ୍ୱାର । ବାଇଶି ପାହାଚର ଉଭୟ ପାଶ୍ୱର୍ରେ ଜୟ ଓ ବିଜୟ ନାମରେ ଦୁଇଟି ସିଂହ ଦ୍ୱାରପାଳ ଭାବରେ ବିରାଜମାନ କରିଛନ୍ତି । ଶ୍ରୀମନ୍ଦିରର ଚତୁଃଦ୍ୱାରର ପାହାଚ ସଂଖ୍ୟା ୬୯ । ସେଥିମଧ୍ୟରୁ ପୂର୍ବ ଦ୍ୱାର ବା ସିଂହଦ୍ୱାର ପଥରେ ଥିବା ବାଇଶି ପାହାଚ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ ଇଞ୍ଚ ମଧ୍ୟରେ ହେବ । ବାଇଶ ପାହାଚ କୁହାଯାଉଥିଲେ ହିଁ ପ୍ରକୃତରେ ଏହା ଏବେ ୧୭ଟି ପାହାଚରେ ସୀମିତ ।ଭଗବାନ ବିଷ୍ଣୁଙ୍କର ୨୨ଟି ଅବତାରଙ୍କ ନାମରେ ନାମିତ କରାଯାଇଅଛି ବାଇଶି ପାହାଚକୁ । ଏହି ୨୨ ଅବତାରଙ୍କ ନାମ କଟୁରାସନ, ନାରଦ, ବରାହ, ମତ୍ସ୍ୟ, ଯଜ୍ଞ, ନରନାରାୟଣ, କପିଳ, ଦତ୍ତାତ୍ରେୟ, ପ୍ରଶ୍ନିଗର୍ଭ, ଋଷଭ, ପୃଥୁ, ନରସିଂହ, କୁର୍ମ, ଧନ୍ୱନ୍ତରି, ମୋହିନୀ, ବାମନ, ପର୍ଶୁରାମ, ରାମ, ବ୍ୟାସ, ବଳରାମ, କୃଷ୍ଣ ଓ କଳ୍କୀ । ଶ୍ରୀଜଗନ୍ନାଥ ଚେତନାର ଶରୀର ତତ୍ତ୍ୱ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି ବାଇଶି ପାହାଚର । ଜୀବାତ୍ମା ୨୧ ପାହାଚକୁ ଅତିକ୍ରମ କରି ୨୨ ପାହାଚରେ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଭ କରେ । ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହସନରେ ଅଧିଷ୍ଠିତ ଏବଂ ଏହାର ଅନ୍ୟନାମ ଗୋଲକ । ଗୋଲକର ଅଧ୍ୟଃ ଦେଶରେ ରହିଛି ଅଷ୍ଟ ବୈକୁଣ୍ଠ ଏବଂ ଅଷ୍ଟ ବୈକୁଣ୍ଠର ଅଧ୍ୟଃ ଦେଶରେ ବିରାଜମାନ ଚତୁର୍ଦ୍ଦଶ ଭୁବନ । ହିରଣ୍ୟଗର୍ଭ ହେଉଛି ଶ୍ରୀଜଗନ୍ନାଥଙ୍କର ପଦ୍ମାସନ । ଯୋଗୀମାନେ ନିରନ୍ତର ଯୋଗ ସାଧନା କରି ମଧ୍ୟ ଗୋଲକ ଦର୍ଶନର ମହାପୁଣ୍ୟର ସୌଭାଗ୍ୟ ଲାଭ କରିପାରନ୍ତି ନାହିଁ । ଅଷ୍ଟ ବୈକୁଣ୍ଠ ଓ ଚତୁର୍ଦ୍ଦଶ ଭୁବନ ଅତିକ୍ରମ ପରେ ଗୋଲକ ଧାମର ସାନ୍ନିଧ୍ୟ ମିଳିପାରିବ । ଏ ପରମ ସୌଭାଗ୍ୟ କିନ୍ତୁ ଏତେ ସହଜରେ ମିଳିପାରେ ନାହିଁ କାରଣ ମନୁଷ୍ୟର ମନ ପ୍ରକୃତିର ମାୟାଜାଲରେ ଆବଦ୍ଧ । ପରା ଓ ଅପରା ଏହି ଦୁଇ ପ୍ରକୃତି ସର୍ବଦା ମନୁଷ୍ୟକୁ ନିଜ ଆୟତ୍ତରେ ରଖିଥାନ୍ତି । ଏମାନଙ୍କର ମାୟା ବନ୍ଧନରୁ ମୁକ୍ତି ପାଇବା ଏତେଟା ସହଜସାଧ୍ୟ ନୁହେଁ । ଏହି ପ୍ରକୃତି ୨୫ ପ୍ରକାର । ତିନୋଟି ପରା ପ୍ରକୃତି- ସତ୍ତ୍ୱ, ରଜ, ତମ ଏବଂ ୨୨ଟି ଅଟେ ଅପରା ପ୍ରକୃତି ଯଥା- କାମ, କେଳି, ସଂଭୋଗ, ମିଥୁନ, ନିବୃତ୍ତି, ଉକ୍ରଣ୍ଠା, ଲୋଭ, ସଞ୍ଚୟ, କୋଷା, ଅବମାୟା, ହିଂସା, ଈର୍ଷା, କିଶୁନତା, କପଟ, ମିଥ୍ୟା, ଘୃଣା, ନିନ୍ଦିବା, ଅଜ୍ଞାନ, କ୍ରୋଧ, ରାଗ, ଦ୍ୱେଷ, ଅହଙ୍କାର ଓ ଗର୍ବ । ତିନୋଟି ପରା ପ୍ରକୃତିକୁ ଛାଡ଼ି ବାଇଶିଟି ଅପରା ପ୍ରକୃତିକୁ ଅତିକ୍ରମ ନକଲେ ବ୍ରହ୍ମଦର୍ଶନ ସମ୍ଭବପର ନୁହେଁ । ୨୨ଟି ଦୋଷ ଦୁର୍ବଳତା ଥିବା ଏହି ଅପରା ପ୍ରକୃତିକୁ ଦୂର କଲେ ଭଗବତ ଦର୍ଶନ ସମ୍ଭବପର । ଅନ୍ୟ ଅର୍ଥରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବାଇଶି ପାହାଚରେ ପାଦ ଦେଲା ମାତ୍ରେ ସ୍ୱତଃ ସମସ୍ତ ଦୋଷର ବିଲୀନ ଘଟେ । ତେଣୁ ବିଶ୍ୱାସ ଅଛି ଏହି ବାଇଶି ପାହାଚ ମନୁଷ୍ୟକୁ ବାଇଶି ଦୋଷରୁ ମୁକ୍ତ କରି ମୋକ୍ଷ ପ୍ରାପ୍ତିର ମାର୍ଗ ସୁଗମ କରିଥାଏ । ଗାୟତ୍ରୀ ମନ୍ତ୍ରର ଭୂଲୋକଠାରୁ ଦିବ୍ୟଲୋକ ପର୍ଯ୍ୟନ୍ତ ଥିବା ବାଇଶି ସ୍ତରର ପ୍ରତୀକ ବାଇଶି ପାହାଚ । ସପ୍ତଭୁବନ ଓ ସପ୍ତ ପାତାଳ ମିଶି ଚତୁଃର୍ଦ୍ଦଶ ଭୁବନ ଏବଂ ଏହା ସହିତ ଅଷ୍ଠ ବୈକୁଣ୍ଠ ମିଶିଲେ ବାଇଶି ପ୍ରତିଷ୍ଠାନ ହୁଏ । ଏହି ବାଇଶି ପ୍ରତିଷ୍ଠାନର ପ୍ରତୀକ ହେଉଛି ବାଇଶି ପାହାଚ । ବିଭିନ୍ନ ପୁରାଣକାରମାନେ ବାଇଶି ପାହାଚର ତତ୍ତ୍ୱକୁ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରିଛନ୍ତି । ଭାଗବତର ଦ୍ୱାଦଶ ସ୍କନ୍ଧ ତହିଁରେ ଦଶତତ୍ତ୍ୱ ଯଥା ବାସୁଦେବ, ନୃସିଂହ, ରାମ-କୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଗୋବିନ୍ଦ, ନାରାୟଣ, ମଦନମୋହନ, ବିମଳା ଓ ଭୁବନେଶ୍ୱରୀ ମିଶିଲେ ବାଇଶି ହୁଅନ୍ତି । ମହାବାହୁଙ୍କର ଦିବ୍ୟ ଦର୍ଶନ ନିମନ୍ତେ ଏହି ତତ୍ତ୍ୱର ଆବଶ୍ୟକତା ରହିଛି ଯାହା ବାଇଶି ପାହାଚର ପ୍ରତୀକ ।                                                              

                                        ସତ୍ୟାନନ୍ଦ ପାଣିଗ୍ରାହୀ (୯୨୩୮୮୮୮୯୯୧)

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।