ମୋ ଟିଭି ଓଡିଶା / ଭୁବନେଶ୍ୱର :
‘ଓଡ଼ିଶାରେ ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ସୁଗମ କରାଯିବ । ଏଥିନିମନ୍ତେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ। ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରୁ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ପରିଚାଳନା ରାଜ୍ୟର ଭାଷା ଓଡ଼ିଆରେ ହିଁ ହେବ। ତେଣୁ ଓଡ଼ିଆରେ ହେବ ସରକାରୀ କାମ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ ଆବଶ୍ୟକ ହେଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ୱଦିଆଯିବ। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ପାଇଁ ପଦକ୍ଷେପ ନେବେ ସରକାର। ପ୍ରତି ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ନିର୍ମାଣ କରାଯିବ ଅନୁବାଦ ଏକାଡେମୀ, ଓଡ଼ିଆ ଅସ୍ମିତା ଭବନ। ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଚ୍ଚ ବିଦ୍ୟାଳୟସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରିବେ ସରକାର। ସେହିପରି ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ୱରାନ୍ୱିତ ହେବ। ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ୱ ଦେବାକୁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।