ମୋ ଟିଭି ଓଡିଶା / ପୁରୀ :
ଆଜି ଆଉଥରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭବେଳା ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଖୋଲାଯିବ । ସେଠି ସିନ୍ଦୁକ ଓ ଆଲମିରାରେ ଗଚ୍ଛିତ ଥିବା ମହଣ ମହଣ ସୁନା, ରୂପା, ହୀରା ମୋତି ମାଣିକ୍ୟ ଆଦି ଦୁର୍ମୂଲ୍ୟ ରତ୍ନଅଳଙ୍କାରକୁ ଆଣି ଖଟଶେଜ ଘର ଅସ୍ଥାୟୀ ରତ୍ନଭଣ୍ଡାର ବା ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ । ଏହି ଅଳଙ୍କାର ସ୍ଥାନାନ୍ତରଣ ଓ ଭିତର ସ୍ଥିତି ଅନୁଧ୍ୟାନ ପାଇଁ ୧୧ ଜଣିଆ ପ୍ରତିନିଧି ଦଳଙ୍କୁ ଚୟନ କରାଯାଇଛି । ଯାଞ୍ଚ ସମୟରେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ ।
ପୂର୍ବରୁ ଗତ ୧୪ ତାରିଖ ଦିନ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ମାତ୍ର ୧୧ ଜଣିଆ ପ୍ରତିନିଧି ଦଳ ଭିତର ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରା ଖୋଲିନଥିଲେ । ତେଣୁ ଆଜି ପୂର୍ବ ଏସ୍ଓପି ଅନୁସାରେ ଆଉଥରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ସ୍ଥାନାନ୍ତରଣ ପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ନିଷ୍ପତ୍ତି ନେଇଥିଲା । ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିନିଧି ଦଳ ଯିବେ, ସେମାନେ କୌଣସି ସ୍ବର୍ଣ୍ଣ ଅଳଙ୍କାର କିମ୍ବା ପଦାର୍ଥ ପରିଧାନ କରିଯିବେ ନାହିଁ । ଯାଞ୍ଚ ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ଜଉମୁଦ ଦେଇ ସିଲ୍ କରାଯିବ ।
ପ୍ରତିନିଧି ଦଳ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ଖୋଲିବେ । ଭିତରେ ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରାର ତାଲା ଚାବିରେ ନଖୋଲିଲେ ଏହାକୁ ଭାଙ୍ଗି ଦିଆଯିବ । ସମସ୍ତ ଅଳଙ୍କାରକୁ ନୂଆ ସିନ୍ଦୁକ ଓ ଆଲମିରାକୁ ପୁରାଇ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ । ଯେଉଁ ସ୍ଥାନରୁ ଯେଉଁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହୋଇଥିବ ସେ ସ୍ଥାନ ଚିହ୍ନଟ ହେବ ଓ ଏହାର ଭିଡିଓଗ୍ରାଫି କରାଯିବ । ଏଏସଆଇ ମରାମତି କାମ କରିବା ପରେ ପୁନର୍ବାର ଉଭୟ ରତ୍ନଭଣ୍ଡାରର ଯଥାସ୍ଥାନରେ ସିନ୍ଦୁକ ଓ ଆଲମିରା ରଖାଯିବ । ସେପଟେ ସୁରକ୍ଷା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । ରତ୍ନଭଣ୍ଡାର ଯାଞ୍ଚ ବେଳେ କେବଳ ସିଂହଦ୍ବାର ଖୋଲା ରହିବ । ଅନ୍ୟ ୩ଟି ଯାକ ଦ୍ବାର ବନ୍ଦ କରାଯିବ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।