ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଲୀଳା ଆଜି ସମ୍ପାଦିତ ହୁଏ ଯାହାର ନାମ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ। ଏହି ନୀତି କଥା ଆଲୋଚନା କରିବା ପୂର୍ବରୁ ମନରେ ପ୍ରଶ୍ନ ଉଠେ ସତରେ କଣ ହରି ଶୋଇଥିଲେ କି? ସମସ୍ତ ବ୍ରହ୍ମାଣ୍ଡକୁ ଯିଏ ସର୍ଜନା କରିଛନ୍ତି ସ୍ଵୟଂ ପରଂବ୍ରହ୍ମ ତାଙ୍କୁ ପୁଣି ନିଦ ଲାଗିବ, ଭକ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ ଚକିତ କଥା।
ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ ଦେବେନଜାନାତି କୁତ ମନୁଷ୍ୟ ।
ତେବେ ଆସନ୍ତୁ ତିନୋଟି ଏକାଦଶୀ କଥା ବିଚାର କରିବା। ପ୍ରଥମେ ଆଷାଢ଼ ଶୁକ୍ଳ ଏକାଦଶୀ ବା “ହରି ଶୟନ ଏକାଦଶୀ”। ଏହି ଦିନଟି ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। କାରଣ ଏହିଦିନ ମହାପ୍ରଭୁଙ୍କ ରଥ ଉପରେ ସୁନାବେଶ(ରାଜବେଶ)ଅନୁଷ୍ଠିତ ହୁଏ। କିନ୍ତୁ ତିନି ମୂର୍ତ୍ତି ଶୟନ ଠାକୁରଙ୍କ ତିନି ରଥକୁ ବିଜେକରି, ଶ୍ରୀଅଙ୍ଗ ଲାଗି ଓ ଅନ୍ୟାନ୍ୟ ରୀତିନୀତି କରାଇ ପୁନର୍ବାର ଶୟନ ଘରକୁ ଫେରି ଆସିଥାନ୍ତି। ସଜ୍ଜିତ ହୋଇଥିବା ପଲଙ୍କ ଶେଜରେ ଶୟନ କରାଇ, ସେହି ଶୟନ ଘରକୁ ବନ୍ଦ କରାଯିବାପରେ ତଡାଉକରଣ ଦ୍ୱାର ମୁଦ ଦେଇଥାନ୍ତି।
ଏହାପରେ ଭାଦ୍ରବ ଶୁକ୍ଳ ଏକାଦଶୀ ବା “ପାର୍ଶ୍ଵ ପରିବର୍ତ୍ତନ ” ଏକାଦଶୀ(ଆଜି) ନାମରୁ ଜାଣି ହେଉଛି ଏହିଦିନ ଶୟନଠାକୁରଙ୍କ କଡ଼ ଲେଉଟା ନୀତି ବା ପାର୍ଶ୍ଵ ପରିବର୍ତ୍ତନ ନୀତି ହୁଏ। ଶୋଇବା ସମୟରେ ଦକ୍ଷିଣ ଦିଗକୁ ମହାପ୍ରଭୂ ମୁଖ କରି ସୋଇଥାନ୍ତି। ଆଜି ପାର୍ଶ୍ଵ ପରିବର୍ତ୍ତନ କରି ମହାପ୍ରଭୂ ଉତ୍ତର ଦିଗକୁ ମୁଖ କରିବେ। ଶୁକ୍ଳ ପୁଷ୍ପରେ ପୁଷ୍ପାଞ୍ଜଳି ଦେଇ ପୁନଶ୍ଚ ଶୟନ ଗୃହର ଦ୍ୱାରକୁ ମୁଦ କରାଯାଇଥାଏ। ଶେଷରେ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ “ହରି ଉତ୍ଥାପନ ଏକାଦଶୀ” ପୁନଶ୍ଚ ଶୟନ ଗୃହର ମୁଦ ଫିଟା ଯାଇ ତିନି ଶୟନ ଠାକୁରଙ୍କ ଯଥା : ବଡ଼ବାଡ଼ (ବଳଭଦ୍ର )-ବାସୁଦେବ, ମଝିବାଡ଼ (ସୁଭଦ୍ରା )-ଭୁବନେଶ୍ୱରୀ, ମହାପ୍ରଭୁ (ଜଗନ୍ନାଥ)-ନାରାୟଣଙ୍କୁ ନିଦ୍ରାରୁ ଉଠାଯାଏ। ଶୟନ କାଳରୁ ଥିବା ସମସ୍ତ ପ୍ରତିବନ୍ଧକ ସମାପ୍ତ ହୋଇଥାଏ। ସମସ୍ତ ଶୁଭକର୍ମ ପାଇଁ ଅବସର ଆସେ। ଯୋଗୀ ଋଷିମାନେ ପାଳୁଥିବା ଚତୁର୍ମାସ ବ୍ରତ ଉଦଯାପନ କରିଥାନ୍ତି। ସେ’ତ ପରଂବ୍ରହ୍ମ ତଥାପି ଠିକ ମାନବଙ୍କ ପରି ନିଦ୍ରାଯିବା, କଡ଼ଲେଉଟାଇବା ଓ ପୁଣି ନିଦ୍ରାରୁ ଉଠିବା ଭଳି ସମସ୍ତ ନିୟମରେ ବନ୍ଧା ଥାଆନ୍ତି। ଆଉ ତାଙ୍କର ଏପରି ଲୀଳା ଭକ୍ତଙ୍କୁ ଭାବ ଡୋରିରେ ବାନ୍ଧି ରଖିଥାଏ। ଶୟନ ଏକାଦଶୀ ଦିନଠାରୁ ଉତ୍ଥାପନ ଏକାଦଶୀ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇଥିବା ସମସ୍ତ ଶୁଭକର୍ମକୁ ପୁନର୍ବାର ଆରମ୍ଭ କରାଯାଇଥାଏ। ସତରେ ଭକ୍ତ ବତ୍ସଳ ଆମ ମହାପ୍ରଭୂ ଶ୍ରୀଜଗନ୍ନାଥ, ଭକ୍ତ ପାଇଁ ଅପୂର୍ବ ଲୀଳା କରିଥାନ୍ତି। ନିଜେ ଆଜ୍ଞା ଦେଇଥିବା ଦ୍ୱାଦଶ ଲୀଳାର ଏହା ଅଂଶ
“ ମଞ୍ଚସ୍ନାନ ରଥବର ଗତିଃ ଶlୟନଂ ଚାୟନେ ଦ୍ଵେ, ପାର୍ଶ୍ଵବୃତ୍ତି ଶୟନ ନିବୃତ୍ତି ପାବୃତୈ ପୁଷ୍ୟ ପୂଜା ଦୋଳଯାତ୍ରା ଦମନକହୋତାକ୍ଷପୂଜା ତୃତୀୟା, ଚୈକଂ ଯାତ୍ରା ବିଧିନିଗଦିତା ଦ୍ୱାଦଶୈତା ନରେନ୍ଦ୍ର”।।
ଅର୍ଥାତ ହେ ନରେନ୍ଦ୍ର ମୋର ଏହି ଦ୍ୱାଦଶ ଯାତ୍ରା ମୁଖ୍ୟ ଅଟେ ଯଥା: ସ୍ନାନଯାତ୍ରା, ରଥଯାତ୍ରା, ଶୟନ, ଦକ୍ଷିଣlୟନ, ପାର୍ଶ୍ଵପରିବର୍ତ୍ତନ, ଉତଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟପୂଜା, ଉତ୍ତରାୟଣ, ଦୋଳ, ଦମନକଚତୃଦର୍ଶୀ, ଅକ୍ଷୟତୃତୀୟା।
ଆସନ୍ତୁ ସେହି ଲୀଳାମୟ ଠାକୁରଙ୍କୁ ଆରାଧନା କରିବା
“ ଦୀନବନ୍ଧୁ ବୋଲି ଯାହାଙ୍କୁ କହନ୍ତି, ସେହିତ ପରମ ଯୋଗୀ। ଦୁଃଖୀ ଲୋକଙ୍କର ଦୁଃଖ ନିବାରଣ, ସୁଖୀ ଲୋକଙ୍କର ଭୋଗୀ।_
ଜୟ ଜଗନ୍ନାଥ 🙏
ପଣ୍ଡିତ : ଆଦିତ୍ୟନାରାୟଣ ମିଶ୍ର
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।