ସୁବ୍ୟବସ୍ଥା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସମନ୍ୱୟ ବୈଠକ
ମୋ ଟିଭି ଓଡିଶା / ଭୁବନେଶ୍ୱର-ତା-୨୧.୦୯.୨୦୨୪
ଆଗାମୀ ସେପ୍ଟେମ୍ବର ୨୩ ତାରିଖ,ସୋମବାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏଥିପାଇଁ ପୂର୍ବରୁ ଦିଆଯାଇଥିବା ସୂଚନା ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଶୁଣାଣି ପାଇଁ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା ଜାରି ରହିଛି । ଏଥର ଜନ ଅଭିଯୋଗ ଶୁଣାଣି, ପୂର୍ବରୁ ଶୁଣାଣି ଚାଲୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଭୁବନେଶ୍ଵର , ୟୁନିଟ୍ – ୫ର ପାଖ ସରକାରୀ ବାସଗୃହ ( କ୍ୱାର୍ଟର ) ନଂ-ଭିଆଇଆଇଆଇଏମ୍ ଆର ନମ୍ବର-୪ ରେ ଅନୁଷ୍ଠିତ ହେବ ।
ପୂର୍ବ ସୂଚନା ଅନୁସାରେ ଏହି ସ୍ଥାନରେ ମୁଖ୍ୟମନ୍ତ୍ରୀ ଅନ୍ ଲାଇନ୍ ବ୍ୟବସ୍ଥାରେ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପ୍ରସ୍ତୁତ କରାଯାଇଥିବା ବେଳେ ଅଭିଯୋଗ ଜଣାଇବା ପାଇଁ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କୁ ରାଜୀବ ଭବନରୁ ଅଳ୍ପ ଦୂରରେ ଥିବା ଜଳ ଭବନ (ୱାଟକୋ କାର୍ଯ୍ୟାଳୟ) ପାର୍ଶ୍ୱରେ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଉଦ୍ଦିଷ୍ଟ ଗେଟ୍ ନଂ-୧ରେ ଆସିବାକୁ ପଡିବ । ଏହି ସ୍ଥାନରେ ଜନ ଅଭିଯୋଗ ଶୁଣାଣିକୁ ରାସ୍ତା ଚିହ୍ନିତ କରାଯାଇଛି ।
ଆସନ୍ତା ସୋମବାର ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ତତ୍ଵାବଧାନରେ ବିଭାଗର ବରିଷ୍ଠ ଅଧିକାରୀମାନେ ଏଠାରେ ଜନ ଶୁଣାଣି ବ୍ୟବସ୍ଥାକୁ ସୂଚାରୁରୂପେ ପରିଚାଳନା ନେଇ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସତ୍ୟ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ସ୍ଥଳ ନିକଟସ୍ଥ ୱାଟକୋ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଂପୃକ୍ତ ବିଭିନ୍ନ ବିଭାଗର କାର୍ଯ୍ୟନ୍ୟସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ଶୁଣାଣି ପାଇଁ ଆସିବାକୁ ଥିବା ଜନସାଧାରଣ ଯେପରି ଶୃଙ୍ଖଳିତ ଧାରାରେ ଠିକ୍ ଭାବରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଫେରିବେ, ସେଥି ନିମନ୍ତେ ବୈଠକରେ ଆଲୋଚନା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।ଅଭିଯୋଗ ଶୁଣାଣି ପାଇଁ ଅନ ଲାଇନ୍ ରେ ପଞ୍ଜୀକରଣ କରିଥିବା ଜନସାଧାରଣ ପ୍ରଥମେ ୱାଟକୋ ଅଫିସ ସ୍ଥିତ ଗେଟ୍ ନଂ- ୧ ଦେଇ ସେମାନଙ୍କର ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଓ ପରିଚୟ ପତ୍ର ଦେଖାଇ ଭିତରକୁ ଯିବେ । ଅଭିଯୋଗ ଶୁଣାଣି ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରାୟ ୮୦୦ ପଂଜୀକରଣ ହୋଇଥିବା ବେଳେ ଜନଶୁଣାଣି ପାଇଁ ଆବଶ୍ୟକସ୍ଥଳେ ଅପେକ୍ଷା କରିବା ପାଇଁ ୩ ଟି ପ୍ରତୀକ୍ଷା ସ୍ଥଳ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବରିଷ୍ଠ ଅଧିକାରୀ, ଉପବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସୁବ୍ୟବସ୍ଥା ପାଇଁ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ପରିଚୟପତ୍ର ରହିବ ।
ଆଇନ ଶୃଙ୍ଖଳା ପାଇଁ ପୁଲିସ ମୁତୟନ ବ୍ୟବସ୍ଥା ସହ ମହିଳା ଅଭିଯୋଗକାରୀ, ବୟସ୍କ, ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଯାନବାହାନ ପାର୍କିଂ, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ ସେବା, ସୂଚନା ପ୍ରଦାନ ବ୍ୟବସ୍ଥା ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସଂପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଜ ନିଜର ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରିବାକୁ ବୈଠକରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି ।
ସେଦିନ ପୂର୍ବାହ୍ଣ ୧୧ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗଗୁଡିକର ଶୁଣାଣି କରିବାକୁ ଥିବାରୁ ପୂର୍ବ ପ୍ରସ୍ତୁତି ଦୃଷ୍ଟିରୁ ସୁପରିଚାଳନା ବ୍ୟବସ୍ଥା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସକାଳ ୭ ଟା ୩୦ ସୁଦ୍ଧା ଅଭିଯୋଗ ଶୁଣାଣିସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ସମସ୍ତ ବିଭାଗକୁ ଦିଆଯ।ଇଥିବା ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ମଧ୍ୟ ଅନୁରୋଧ କରାଯାଇଛି । ପ୍ରକାଶ ଥାଉକି ସୋମବାର ଦିନ ପଞ୍ଜୀକୃତ ସର୍ବାଧିକ ୧୦୦୦ ଅଭିଯୋଗର ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଣାଣି କରିବେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।