ମୋ ଟିଭି ଓଡିଶା / ଭୁବନେଶ୍ୱର :
ବହୁଚର୍ଚ୍ଚିତ ମହିଳା-କୈନ୍ଦ୍ରିକ ଫ୍ଲାଗସିପ ସ୍କିମ୍ ‘ସୁଭଦ୍ରା’ ଯୋଜନା ନେଇ ବଡ ଅପଡେଟ ଆସିଛି । ଦୁର୍ଗାପୂଜା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ଆସନ୍ତାମାସ (ଅକ୍ଟୋବର) ୯ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର । ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏହି ପ୍ରର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ହିତାଧିକାରୀ ଟଙ୍କା ପାଇବେ । ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ଏନେଇ ପ୍ରଭାତି ପରିଡା କହିଛନ୍ତି, ” ଅକ୍ଟୋବର ୯ ତାରିଖରେ ମୟୂରଭଞ୍ଜର ବାରିପଦା ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟଙ୍କା ସୁଭଦ୍ରା ହିତାଧୀକାରୀଙ୍କୁ ଦିଆଯିବ । ମହିଳାଙ୍କୁ ଦଶହରା ଭେଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ପଟାଯିବ । ନିଜର ସମୃଦ୍ଧି ପାଇଁ ମହିଳା ମାନେ ଏହି ଟଙ୍କାର ଉପଯୋଗ କରିବେ ବୋଲି ଆମର ଆଶା ରହିଛି । ଆମର ଲକ୍ଷ୍ୟ ୧ କୋଟି ମହିଳା ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ ୯୬ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି । ଏକ କୋଟିରେ ଯେଉଁ ମହିଳା ରହିବେ ଓ ପ୍ରଥମ କିସ୍ତି ପାଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ । ”
ଚଳିତମାସ (ସେପ୍ଟେମ୍ବର)୧୭ ତାରିଖରେ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ୧୨୫୦ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିଲା । ଯେଉଁ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯାଇନଥିଲା ସେମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଟଙ୍କା ଆସିବ ନା ନାହିଁ ସେନେଇ ଦ୍ବନ୍ଦରେ ଥିଲେ । କିନ୍ତୁ ଟଙ୍କା ନିଶ୍ଚିତ ଆସିବ ବୋଲି ଆଶ୍ବସନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଏବେ ଦ୍ବିତୀୟ କିସ୍ତି ମଧ୍ୟ ମିଳିବାକୁ ଯାଉଛି । ଯାହାକୁ ନେଇ ମହିଳା ମାନେ ବେଶ ଖୁସି ଅଛନ୍ତି । ଅକ୍ଟୋବର ୯ ତାରିଖକୁ ସମସ୍ତ ମହିଳା ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରାଜଧାନୀରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଉତ୍ତର ଓଡିଶାର ବାରିପଦା ସହରକୁ ବାଛିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।