ମୋ ଟିଭି ଓଡିଶା / ଭୁବନେଶ୍ୱର :
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ପୋଷାକ ରଙ୍ଗ ବଦଳାଇଛନ୍ତି ସରକାର। ଉଭୟ ଛାତ୍ର ଓ ଛାତ୍ରୀଙ୍କ ପ୍ୟାଣ୍ଟ ରଙ୍ଗ ଇଷତ୍ ଖଇରିଆ ରଙ୍ଗ କରାଯାଇଥିବାବେଳେ ଚନ୍ଦନ ରଙ୍ଗର ଚେକ୍ ସାର୍ଟ କରାଯାଇଛି। ସେହିପରି ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକେଟ୍ ମଧ୍ୟ ରହିଛି।
ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍ରେ ପୋଷାକ ବିତରଣ ସରି ନ ଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନ ଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍ ପୋଷାକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ। ମଙ୍ଗଳବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞପ୍ତିକୁ ନେଇ ଏବେ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସନ୍ତା ଶିକ୍ଷା ବର୍ଷରୁ ପୋଷାକର ରଙ୍ଗ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ହେଲେ ଅଚାନକ ପରିବର୍ତ୍ତନ କରିଥିବାରୁ ବହୁ ଛାତ୍ରଛାତ୍ରୀ ଓ ବ୍ୟବସାୟୀ ଏନେଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେହିପରି ପୁରୁଣା ପୋଷାକକୁ ବ୍ୟବସାୟୀମାନେ ବିତରଣ କରିବାକୁ ପ୍ରସ୍ତୁତ କରି ସାରିଥିଲେ। ଏବେ ନୂଆ ପୋଷାକ ପ୍ରବର୍ତ୍ତନ ଦ୍ୱାରା ସେମାନେ ବିପୁଳ କ୍ଷତି ସହିବାର ଆଶଙ୍କା ସୃଷ୍ଟି ହୋଇଛି।
ଏକପକ୍ଷରେ ଶିକ୍ଷା ବର୍ଷ ଅଧା ବିତିଯାଇଥିଲେ ମଧ୍ୟ ପୋଷାକ ବିତରଣ କାର୍ଯ୍ୟ ଶେଷ ହୋଇନାହିଁ। ନୂଆ ପୋଷାକ ରଙ୍ଗର କପଡ଼ା ଆଣି ତାକୁ ତିଆରି କରିବାରେ ବହୁ ସମୟ ଲାଗିଯିବ। ପୁଣି କପଡ଼ାର ମାନ ଚୟନ ଓ ସମସ୍ତ ପ୍ରକ୍ରିୟା ଦେଇ ପୋଷାକ ବିତରଣ କରିବାକୁ ଥିବାରୁ କେବେ ପୋଷାକ ବଣ୍ଟନ କରାଯିବ ସେନଇ ପ୍ରଶ୍ନ ଉଠିଛି। ପୁନଶ୍ଚ ଅଧା ପୁରୁଣା ଓ ଅଧା ନୂଆ ପୋଷାକ ହେଉଥିବାରୁ ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀରେ ୟୁନିଫର୍ମ ମଧ୍ୟ ଠିକ୍ ରହିବ ନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।