ମୋ ଟିଭି ଓଡିଶା ବ୍ୟୁରୋ :
ହରିୟାଣାରେ ବିଧାନସଭା ନିର୍ବାଚନ ଗଣତି ଟ୍ରେଣ୍ଡରେ ଅପ୍ରତ୍ୟାଶିତ ୟୁ-ଟର୍ଣ୍ଣ ଦେଖିବାକୁ ମିଳିଛି । ସବୁ କଳ୍ପନା ଜଳ୍ପନା ଓ ଏକଜିଟ ପୋଲର ପୂର୍ବାକଳନକୁ ଭୁଲ ସାବ୍ୟସ୍ତ କରି ‘ଭାରତୀୟ ଜନତା ପାର୍ଟି’ (ବିଜେପି) ପୁଣି ଥରେ ବହୁମତ ଦିଗରେ ଆଗକୁ ବଢୁଛି । ରାଜ୍ୟରେ କଂଗ୍ରେସ ଏକାକୀ ସରକାର ଗଠନ କରିବାକୁ ଯାଉଥିବା ଏକାଧିକ ଗଣମାଧ୍ୟମ ସଂସ୍ଥାର ‘ଏକଜିଟ ପୋଲ’ ପୂର୍ବାକଳନ କରିଥିଲା । ଗଣତି ଆରମ୍ଭରୁ ମଧ୍ୟ ଅନୁରୂପ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।
ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ, ଶାସକ ବିଜେପିକୁ ପଛରେ ଛାଡି ସଂଖ୍ୟା ବହୁମତର ନିକଟତର ହୋଇଥିଲା । ଏନେଇ ଦଳୀୟ କ୍ୟାମ୍ପରେ ଉତ୍ସବ ପାଳନ ମଧ୍ୟ ଆରମ୍ଭ ହୋଇଥିଲା । ମାତ୍ର କିଛି ସମୟର ଗଣତି ମଧ୍ୟରେ ଟ୍ରେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟି ଏବେ ୫୦ରୁ ଅଧିକ ଆସନରେ ଆଗରେ ରହି ମ୍ୟାଜିକ ନମ୍ବର ନିକଟତର ହେଉଛି । ଆଉ କିଛି ଘଣ୍ଟା ଧରି ଏହି ବ୍ୟବଧାନ ବଜାୟ ରହିଲେ, ବିଜେପି ସରକାର ଗଠନ କରିବା ଏପ୍ରକାର ସ୍ପଷ୍ଟ ହୋଇଯିବ ।
୯୦ ଆସନ ବିଶିଷ୍ଟ ହରିୟାଣାରେ ୨୦୧୪ରୁ କ୍ଷମତାରେ ଥିବା ବିଜେପି ଏଥର ସତ୍ତା ବିରୋଧୀ ଲହର ବା(ଆଣ୍ଟି ଇନକମ୍ବେନ୍ସି)ର ସାମ୍ନା କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏକାଧିକ ସଂସ୍ଥାର ଏକଜିଟ ପୋଲ ଏହି ଆକଳନ ସହ କଂଗ୍ରେସକୁ ପ୍ରାୟ ୪୫ରୁ ୫୫ ଆସନ ସହ ବହୁମତ ସଂଙ୍କେତ ଦେଇଥିଲେ । ଗଣତି ଆରମ୍ଭରୁ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ, ବିଜେପିକୁ ପଛରେ ଛାଡିଥିଲା । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କ ବାସଭବନ ଓ ପାର୍ଟି କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଟ୍ରେଣ୍ଡ ଗୋରୁଆ କ୍ୟାମ୍ପ ସପକ୍ଷରେ ଯାଇଛି । ସଂଖ୍ୟା ବହୁମତ ୪୫ ଆସନ ଥିବା ବେଳେ ଏବେ ସୁଦ୍ଧା ଟ୍ରେଣ୍ଡିରେ ବିଜେପି ପ୍ରାୟ ୫୦ ଆସନରେ ଆଗରେ ରହି ମ୍ୟାଜିକ ନମ୍ବର ଅତିକ୍ରମ କରିସାରିଛି ।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଫିଲ୍ମ ଏମରଜେନ୍ସି ଦେଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା ରାଣାୱତ
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।