January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାହିଁକି ଦଶମୀ ରେ ଲାଗୁ ହୁଏ ଦହି ପଖାଳ

ଦଶମୀରେ ମା’ଙ୍କୁ ଦହି ପଖାଳ ଲାଗି କରାଯାଏ । ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳିଥାନ୍ତି ମହିଳା ? ଜାଣନ୍ତୁ ଏହି ପରମ୍ପରା

ମୋ ଟିଭି ଓଡିଶା / କଟକ :

ହଜାର ବର୍ଷର ସହର କଟକ ସହର ରେ ର ରହିଛି ଅନେକ ପରମ୍ପରା । ଆଉ ଦଶହରା ପର୍ବ ଆସିଲେ ଏହି ପରମ୍ପରା କଥା ମନେ ପଡେ । ଭାଇଚାରାର ସହର କଟକରେ ଦଶହରା ପର୍ବକୁ ନେଇ ଏଭଳି ଅନେକ ପରମ୍ପରା ରହିଛି ଆଉ ଯାହାକି ଏବେବି ଉଜ୍ଜୀବିତ ରହିଛି । ସପ୍ତମୀ, ଅଷ୍ଟମୀ ନବମୀ ପରି ଦଶମୀ ରେ ମଧ୍ୟ ଅନେକ ପରମ୍ପରା ରହିଛି । ଯାହାକି ଏଯାବତ ବଜାୟ ରହି ଆସୁଛି।ଦଶମୀରେ ଦହି ପଖାଳ, ସିନ୍ଦୁର ଖେଳ ଭଳି ଅପରାଜିତା ପୂଜା କଥା ଯାହାକି ଏବେବି ଅନେକ ପୂଜା ମଣ୍ଡପରେ କରାଯାଉଛି । କଟକର ଅନେକ ମଣ୍ଡପରେ ମା’ଙ୍କୁ ଦେବୀ ଭାବରେ ନୁହେଁ ବରଂ ଝିଅ ଭାବରେ ପୂଜା କରନ୍ତି । ତେବେ କାହିଁକି ଏହି ପରମ୍ପରା ?

ଦଶହରା ପର୍ବର ଆଜି ଶେଷ ପୂଜା ଅର୍ଥାତ ବିଜୟା ଦଶମୀ । ପରମ୍ପରା ଅନୁଯାୟୀ ସହରର ଅନେକ ମଣ୍ଡପରେ ମାଙ୍କ ପୂଜା କରାଯାଇଛି । ବିଶେଷକରି ଆଜି ବିଜୟା ଦଶମୀର ଅନେକ ପରମ୍ପରା କଥା ଯାହାକି ଆଜି ବି ବଜାୟ ରଖିଛି କଟକ।ବିଜୟା ଦଶମୀ ରେ ଦହି ପଖାଳ ଦେଇ ମାଙ୍କୁ ବିଦାୟ ଦେବାର ପରମ୍ପରା ଏବେବି ଉଜ୍ଜୀବିତ ରହିଛି । ବଙ୍ଗୀୟ ପରମ୍ପରା ଅନୁଯାୟୀ ଯେଉଁ ମଣ୍ଡପରେ ପୂଜା କରାଯାଉଛି ସେହି ମଣ୍ଡପରେ ହିଁ ଏହି ଦହି ପଖାଳ ଭୋଗ ମା’ଙ୍କ ପାଖରେ ଲାଗୁ କରାଯାଇଥାଏ ।

ଯେମିତି କି କଟକ କାଜିବଜାର ପୂଜା ମଣ୍ଡପ ଏହାର ଅନ୍ୟତମ ଉଦାହରଣ ବୋଲି କୁହାଯିବ । ମଣ୍ଡପରେ ମା’ ପୂଜା ପାଇବା ଦିନ ଠାରୁ ହିଁ ଏହି ଠାରେ ଦହି ପଖାଳ ଭୋଗ ଲାଗୁ କରାଯାଏ । ଦହିପଖାଳ ସାଙ୍ଗକୁ ଛଙ୍କା, ଶାଗ ଭଜା, କୋବି ଭଜା ଆଦି ମାଙ୍କ ପାଖରେ ଲାଗୁ କରାଯାଇଥାଏ ।ବିଶ୍ୱାସ ରହିଛି ଝିଅ ଯେପରି ବାପ ଘରୁ ଶାଶୁ ଘରକୁ ଗଲା ବେଳେ ଦହି ଦିଆଯାଏ, ଠିକ ମାଙ୍କୁ ମଧ୍ୟ ସେହିପରି ଦହି ପଖାଳ ଭୋଗ ଲାଗୁ କରାଯାଏ । ଏହି ପ୍ରସାଦ ମାଙ୍କ ନିକଟରେ ଲାଗୁହେବା ପରେ ସାହିର ସମସ୍ତ ଘରେ ଘରେ ବଣ୍ଟନ କରିବାର ପରମ୍ପରା ରହିଛି ।

କେବଳ ସେତିକି ନୁହେଁ, ଏହି ପୂଜା ମଣ୍ଡପରେ ଦେବୀଙ୍କୁ ମା’ରୂପରେ ନୁହେଁ ବରଂ ଝିଅ ରୂପରେ ପୂଜା କରାଯାଇଥାଏ । ସେଥିପାଇଁ ତ ଝିଅ ବିଦା ଭଳି ମାଙ୍କୁ ବିଦା କରିବାର ପରମ୍ପରାକୁ ଏମାନେ ଆଜି ବି ପାଳନ କରୁଛନ୍ତି । ବିଜୟାଦଶମୀ ଦିନ ମା’ଙ୍କ ନିକଟରେ ସିନ୍ଦୁର ଖେଳ ଖେଳିବାର ପରମ୍ପରା ବି ଏବେବି ଉଜ୍ଜୀବିତ ରହିଛି । ସଧଵା ମହିଳା ମାନେ କେବଳ ଏହି ସିନ୍ଦୁର ଖେଳ ଖେଳିବାର ପରମ୍ପରା ରହିଛି । ମହିଳା ମାନେ ପ୍ରଥମେ ମା’ଙ୍କ ପାଦରେ ସିନ୍ଦୁର ଦେଇଥାନ୍ତି । ପରେ ପରସ୍ପର ମଧ୍ୟରେ ସିନ୍ଦୁର ଲଗାଇ ମା’ଙ୍କୁ ବିଦାୟ ଦେଇଥାନ୍ତି । ତେବେ ଝିଅ ବିଦା ବେଳେ ଯେମିତି କୋହ ଆସେ, ମା’ଙ୍କୁ ବିଦା କରିବା ସମୟରେ ସେହିପରି କୋହ ଆସିଥାଏ ବୋଲି ମହିଳା ଭକ୍ତ ମାନେ କହିଛନ୍ତି । ଆଜି ମାଙ୍କୁ ସିନ୍ଦୁର ଲଗାଇବା ବେଳେ ଅନେକ ଶ୍ରଦ୍ଧାଳୁ ଭାବ ବିହୁଳ ହୋଇପଡିଥିଲେ ।

Latest news