ମୋ ଟିଭି ଓଡିଶା / ଭୁବନେଶ୍ୱର :
ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ପୋଲିସ ଡିଜିପି ଓ୍ବାଇ.ବି ଖୁରାନିଆ । ମାମଲାର ତଦନ୍ତ ସମ୍ପର୍କରେ ଡିଜିପି ଖୁରାନିଆ ଦିଲ୍ଲୀ କମିଶନରଙ୍କଠାରୁ ଅବଗତ ହୋଇଛନ୍ତି ।
ଗତକାଲି ଉଭୟ ଅଧିକାରୀଙ୍କ ମଧ୍ୟରେ ଏହି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଏହାରି ମଧ୍ୟରେ ଅନ୍ୟ ଏକ ବଡ ଅପଡେଟ ମଧ୍ୟ ସାମ୍ନାକୁ ଆସିଛି । ଓଡିଶା ପୋଲିସର ଏକ ଟିମ୍ ଦିଲ୍ଲୀ ଗସ୍ତ କରି ଏମ୍ସରେ ଚିକିତ୍ସାଧୀନ ଥିବା ପୀଡିତାଙ୍କୁ ଭେଟିବ । ରାଜ୍ୟ ମହିଳା ଓ ଶିଶୁ ଅପରାଧ ଶାଖା ଆଇଜି ଏସ. ସାଇନିଙ୍କ ନେତୃତ୍ବରେ ପୋଲିସ ଅଧିକାରୀଙ୍କ ଏକ ଟିମ୍ ଦିଲ୍ଲୀ ଗସ୍ତ କରିବ ।
ଏହି ଟିମ୍ ହସ୍ପିଟାଲରେ ପୀଡିତାଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିବା ସହ ଦିଲ୍ଲୀ ପୋଲିସ ସହ ସମନ୍ବୟ ରଖିବ । ମାମଲାର ତଦନ୍ତକୁ କ୍ରିୟାଶୀଳ କରିବା ପାଇଁ ଓଡିଶା ପୋଲିସ ଏହି ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଓଡିଶା ପୋଲିସ ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଯୋଗାଯୋଗ କରିଛି । ପୋଲିସ ଟିମ୍ ସହ ପୀଡିତାଙ୍କ ପରିବାର ସଦସ୍ୟ ମଧ୍ୟ ଦିଲ୍ଲୀ ଯିବା ନେଇ ସୂଚନା ମିଳିଛି ।
ଦିଲ୍ଲୀ ପୋଲିସ କହିଛି, ଏକାଧିକ ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରଖାଯାଇଛି । ପୀଡିତାଙ୍କ ବୟାନ ରେକର୍ଡ କରାଯିବାକୁ ପ୍ରୟାସ କରାଯାଉଛି । ସେ ଏବେ ବୟାନ ଦେବା ସ୍ଥିତିରେ ନାହାନ୍ତି । ତାଙ୍କ ବୟାନ ରେକର୍ଡ କରାଯିବା ପରେ, ସେହି ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଦକ୍ଷିଣ-ପୂର୍ବ ଡିସିପି ରବି କୁମାର ସିଂ ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘‘ ଅକ୍ଟୋବର 11 ତାରିଖ ପ୍ରାୟ 3.15 ସମୟରେ PCR କୁ କଲ ଆସିଥିଲା । ସରାଇ କାଲେ ଖାନ ଫ୍ଲାଇଓଭର ନିକଟରେ ଜଣେ ମହିଳା ଆହତ ହୋଇ ପଡ଼ିଛନ୍ତି । ସୂଚନା ପାଇବା ପରେ ପୋଲିସ ଟିମ୍ ତୁରନ୍ତ ଆଉଟ ରିଙ୍ଗ ରୋଡରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ 30ରୁ 35 ବର୍ଷ ବୟସ୍କା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ପୋଲିସ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି । ଏହି ମାମଲାରେ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି ।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଫିଲ୍ମ ଏମରଜେନ୍ସି ଦେଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା ରାଣାୱତ
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।