ମୋ ଟିଭି ଓଡିଶା ବ୍ୟୁରୋ :
ଦଶହରା ଗଲା, ଆଗକୁ ଆସୁଛି ଦୀପାବଳି । ପାର୍ବଣ ଋତୁ ମନାଉଛନ୍ତି ଲୋକେ । ଏପଟେ ସରକାରୀ କର୍ମଚାରୀ ଅନାଇ ବସିଛନ୍ତି ସରକାରଙ୍କ ଘୋଷଣାକୁ । କେବେ ବଢ଼ିବ ମହଙ୍ଗା ଭତ୍ତା । କେନ୍ଦ୍ର ସରକାରୀ କର୍ମଚାରୀ, ମୋଦି ସରକାରଙ୍କ ହାତକୁ ଚାହିଁ ବସିଥିବା ବେଳେ, ଓଡ଼ିଶାରେ କ୍ଷମତାସୀନ ବିଜେପି ସରକାରଙ୍କ ଘୋଷଣାକୁ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ଅପେକ୍ଷା । କେବେ ବଢ଼ିବ ମହଙ୍ଗା ଭତ୍ତା ? ବଢ଼ୁଛି ଆଶା ଆଶଙ୍କା ।
ଛତିଶଗଡ଼ ସରକାର ଆଜି ମହଙ୍ଗା ଭତ୍ତା ଘୋଷଣା କରିଥିବା ବେଳେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କ ଉପରେ ନଜର ରହିଛି । ୨୦୨୪ ମାର୍ଚ୍ଚରେ ଓଡ଼ିଶାରେ ତତକାଳୀନ ବିଜେଡି ସରକାର ଘୋଷଣା କରିଥିଲେ ମହଙ୍ଗା ଭତ୍ତା । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା- DA ବଢ଼ାଇଥିବା ବେଳେ, ପେନସନଧାରୀଙ୍କ ପାଇଁ ସମାନ ୪ ପ୍ରତିଶତ ଡିୟରନେସ ରିଲିଫ-DR ଘୋଷଣା କରିଥିଲେ । ୨୦୨୪ ଜାନୁଆରୀରୁ ପିଛିଲା ଭାବେ ଲାଗୁ ହୋଇଥିଲା ମହଙ୍ଗା ଭତ୍ତା ।
୨୦୨୪ ମାର୍ଚ୍ଚ ସୁଦ୍ଧା, ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୪ ଲକ୍ଷ ୫୦ ହଜାର ଥିଲା । ସେହିପରି ପେନସନଧାରୀଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଥିଲା । ଗତ ମାର୍ଚ୍ଚରେ ମହଙ୍ଗା ଭତ୍ତା ବଢ଼ିବା ପରେ, ଏହା ବେସିକ ପେ’ ର ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସାଧାରଣତଃ ବର୍ଷକୁ ଦୁଇ ଥର DA ବୃଦ୍ଧି ହେଉଥିବା ବେଳେ, ଦ୍ବିତୀୟ ବୃଦ୍ଧିକୁ ଅନାଇ ବସିଛନ୍ତି ସରକାରୀ କର୍ମଚାରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର, ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ କେବେ ଖୁସ୍ କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଆଶା କରାଯାଉଥିଲା ଦଶହରା ସମୟରେ ଘୋଷଣା ହେବ । ମାତ୍ର ଦଶହରା ଶେଷ ହୋଇଥିବା ବେଳେ, ଆଗକୁ ଦୀପାବଳି । ତେଣୁ ମହଙ୍ଗା ଭତ୍ତାକୁ ନେଇ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା ।
ଚଳିତ ମାସରେ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବଢ଼ାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୯ ତାରିଖରେ ଏହି ଘୋଷଣା କରାଯାଇଥିଲା । ଘୋଷଣା ଅନୁସାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ପରିମାଣ ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଗ୍ରାଚୁଇଟି ପରେ ଏବେ ମହଙ୍ଗା ଭତ୍ତାକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସମସ୍ତ ସରକାରୀ କର୍ମଚାରୀ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।