ମୋ ଟିଭି ଓଡିଶା / ଭୁବନେଶ୍ୱର :
ବାତ୍ୟା ଦାନାର ମୁକାବିଲା ପାଇଁ ସମସ୍ତେ ମିଳିତ ଭାବେ କାମ କରିବା ପାଇଁ ପ୍ରସ୍ତୁତ ହେବା । ବାତ୍ୟା ସମୟରେ ବିଦ୍ୟୁତ୍ ଯୋଗାଣ, ଟେଲି ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆଦି ବିଭିନ୍ନ ଜରୁରୀ ସେବା ଯୋଗାଇ ଦେବାକୁ ମୋହନ ସରକାର ମଧ୍ୟ ସମସ୍ତ ଅଧୀକାରିଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ପ୍ରାକୃତିକ ବିପତ୍ତି ସମୟରେ ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନଙ୍କୁ ଅନୁରୋଧ, ସମସ୍ତେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କ ସୂଚନାକୁ ପାଳନ କରିବା ଏବଂ ଧୈର୍ଯ୍ୟ ଓ ସାହାସର ସହ ବାତ୍ୟାକୁ ମୁକାବିଲା କରିବା ।ବାତ୍ୟା ଦାନା ପ୍ରଭାବରେ କାହାର କୌଣସି କ୍ଷତି ନ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
ଅତୀତରେ ଆମ ରାଜ୍ୟ ଅନେକ ବାତ୍ୟାର ମୁକାବଲା କରିଛି 👇🏻
ଅକ୍ଟୋବର ଆସିଲେ ଓଡ଼ିଶାକୁ ମାଡ଼ି ଆସେ ବାତ୍ୟା ଭୟ। କାରଣ ଅକ୍ଟୋବର ମାସରେ ଅନେକ ପ୍ରଳୟଙ୍କରୀ ବାତ୍ୟା ଦେଖିଛି ଓଡ଼ିଶା। ୧୯୯୯ ମହାବାତ୍ୟାରୁ ଆଜି ଯାଏଁ ଏକାଧିକ ବାତ୍ୟା ଓଡ଼ିଶାକୁ ବେଶ ପ୍ରଭାବିତ କରିଛି। କିଛି ବାତ୍ୟା ପ୍ରାୟ ମେ’ ମାସରେ ଘଟୁଥିବାବେଳେ ଅଧିକାଂଶ ଅକ୍ଟୋବର ମାସରେ ପ୍ରଭାବ ଦେଖାଇଥାନ୍ତି। ଏବେ ପୁଣି ଓଡ଼ିଶା ମୁହାଁ ବାତ୍ୟା ‘ଦାନା’।
ତାଣ୍ଡବ ରଚି ଥିଲା ମହାବାତ୍ୟା ସେଦିନ ଥିଲା ୧୯୯୯ ଅକ୍ଟୋବର ମାସ ୨୯ ତାରିଖ। ମାଡ଼ି ଆସିଲା ମହା ପ୍ରଳୟଙ୍କାରୀ ମହାବାତ୍ୟା। ମହାବାତ୍ୟା ତାଣ୍ଡବରେ ପ୍ରାୟ ୧୦ ହଜାର ଲୋକ ଜୀବନ ଚାଲିଗଲା। ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲା ଓଡ଼ିଶାର ଉପକୂଳ ଅଞ୍ଚଳ। ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ମହାବାତ୍ୟା ମାଡ଼ରେ ନିସ୍ତେଜ ହୋଇ ଯାଇଥିଲା।
୨୦୧୩ରେ ଆସିଥିଲା ବାତ୍ୟା ଫାଇଲିନ। ଗଞ୍ଜାମ ଜିଲ୍ଲାର ଗୋପାଳପୁରେ ଏହା ଲ୍ୟାଣ୍ଡଫଲ କରିଥିଲା। ଫାଇଲିନ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଜିଲ୍ଲାର ୧୪, ୫୧୪ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା। ଗଞ୍ଜାମ ଜିଲ୍ଲା ସହ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।
୨୦୧୪ରେ ଆସିଥିଲା ବାତ୍ୟା ହୁଡହୁଡ। ଅକ୍ଟୋବର ୧୨ ତାରିଖରେ ବିଶାଖାପାଟଣାରେ ସ୍ଥଳଭାଗ ଛୁଇଁଥିଲା ହୁଡହୁଡ। ସରକାରୀ ରିପୋର୍ଟ ଅନୁଯାୟୀ, ଏହି ବାତ୍ୟାରେ ୨୨ ଜଣଙ୍କ ଜୀବନ ଯାଇଥିଲା। ୩୨୦ ଗ୍ରାମର ପ୍ରାୟ ୨୪୮,୦୦ ଲୋକ ପ୍ରଭାବିତ ହୋଇଥିଲେ।
୨୦୧୮ ଅକ୍ଟୋବରର ୨ୟ ସପ୍ତାହରେ ଆସିଥିଲା ବାତ୍ୟା ତିତଲି। ଏହା ଦକ୍ଷିଣ-ପୂର୍ବ ଉପକୂଳ ଗୋପାଲପୁରରେ ସ୍ଥଳଭାଗ ଛୁଇଁଥିଲା। ତିତଲି ମାଡ଼ରେ ଓଡ଼ିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ପରେ ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୬୦ ଲୋକଙ୍କ ଜୀବନ ଚାଲି ଯାଇଥିଲା।
୨୦୧୯ରେ ଦୁଇ ଦୁଇଟି ବାତ୍ୟାକୁ ସାମ୍ନା କରିଥିଲା ଓଡ଼ିଶା। ମେ’ ୩ ତାରିଖରେ ଆସିଥିଲା ବାତ୍ୟା ଫନି ଏବଂ ନଭେମ୍ବର ୩ ତାରିଖରେ ଆସିଥିଲା ବୁଲବୁଲ। ଫନି ପୁରୀ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି କରିଥିଲା। ରିପୋର୍ଟ ଅନୁଯାୟୀ ଏଥିରେ ୬୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୪୦,୦୦୦ ହେକ୍ଟର ଫସଲ ନଷ୍ଟ ହୋଇଥିଲା।
ବାତ୍ୟା ବୁଲବୁଲ ଯଦିଓ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡରେ ସ୍ଥଳଭାଗ ସ୍ପର୍ଶ କରିଥିଲା, ତଥାପି ଏହାର ପ୍ରଭାବ ଓଡ଼ିଶାର ଚାଷକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଏକର ଏକର ଜମିର ଫସଲ ନଷ୍ଟ କରି ଦେଇଥିଲା ଏହି ବାତ୍ୟା।
୨୦୨୦ ମେ’ ମାସରରେ ଆସିଥିଲା ବାତ୍ୟା ଅମ୍ଫାନ। ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିଥିଲେ ହେଁ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିଲା। ୧୯୯୯ ମହାବାତ୍ୟା ପରେ ଏହାଥିଲା ସବୁଠାରୁ ଶକ୍ତିଶାଳୀ ବାତ୍ୟା। ପ୍ରାୟ ୯,୮୯୩ ଗାଁ ଏବଂ ୨୨ ସହରାଞ୍ଚଳର ପ୍ରାୟ ୪୪.୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।
ପୁଣି ଅକ୍ଟୋବରରେ ଦେଖା ଦେଇଛି ବାତ୍ୟା ଭୟ। ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନ’। ଅକ୍ଟୋବର ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଏହା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ଭୀଷଣ ବାତ୍ୟା ପୁରୀ ଏବଂ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଇଛି।ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ୧୨୦ କିଲୋମିଟର ବହିବାର ସମ୍ଭାବନା ରହିଛି ।
ଏଭଳି ସମୟରେ ବର୍ଷା ଓ ବନ୍ୟା ପାଇଁ ଅଧିକ ସତର୍କ ଓ ସଜାଗ ରହିବା ଆବଶ୍ୟକ । ବାତ୍ୟା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ଅନୁରୋଧ, ଆପଣମାନେ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀ କିମ୍ବା କୌଣସି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରନ୍ତୁ । ପ୍ରଶାସନ ଦ୍ୱାରା ଜାରୀ ବନ୍ୟା ସତର୍କତା ସୂଚନାକୁ ପାଳନ କରନ୍ତୁ । ଅନ୍ୟକୁ ମଧ୍ୟ ଆମେ ନିଜେ ସଚେତନ କରିବା ସହ ନିଜେ ସଚେତନ ହେବା ପାଇଁ ପ୍ରୟାସ କରିବା ଯେପରି କୌଣସି ଧନ ଜୀବନ ହାନି ନ ହେବ ।
ଜୟ ଜଗନ୍ନାଥ 🙏🏻🙏🏻
ସତ୍ୟାନନ୍ଦ ପାଣିଗ୍ରାହୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।