ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଶପଥ ପାଠ କରାଇଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର ତା- ୩୧ .୧୦ .୨୦୨୪
ଭାରତର ସ୍ୱାଧୀନତା ସମୟରେ ଜାତୀୟ ସଂହତିରେ ପ୍ରମୁଖ ଅବଦାନ ରଖିଥିବା ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ “ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରାଯାଉଛି । ଏହି ଦିବସ ଆମର ଏକତା, ଅଖଣ୍ଡତା ରକ୍ଷା ସହିତ ଦେଶର ନିରାପତ୍ତା ପ୍ରତି ବିପଦକୁ ମୁକାବିଲା କରିବା ପାଇଁ ଆମ୍ଭମାନଙ୍କର ଅନ୍ତର୍ନିହିତ ଶକ୍ତି ଏବଂ ସହନଶୀଳତାକୁ ସୁନିଶ୍ଚିତ କରିବା ନିମନ୍ତେ ପୁନଃ ପ୍ରତିବଦ୍ଧ ହେବା ପାଇଁ ସ୍ୱତନ୍ତ୍ର ଅବସର ଦେଇଥାଏ ।
ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ବିଭିନ୍ନ ବିଭାଗରେ “ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ” କରାଯାଇଛି । ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ । ସମସ୍ତେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ସମର୍ପିତ ରହିବା ସହ ଦେଶବାସୀଙ୍କ ମଧ୍ୟରେ ଏହି ସନ୍ଦେଶ ପ୍ରସାର ପାଇଁ ପ୍ରଯତ୍ନ କରିବା ତଥା ଦେଶର ଆଭ୍ୟନ୍ତରୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଯୋଗଦାନ କରିବାକୁ ଶପଥ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଭିନ୍ନ ଶାଖାର ଅତିରିକ୍ତ ଶାସନ ସଚିବ, ବରିଷ୍ଠ ଅଧିକାରୀ, ଉପ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ଲୋକସେବା ଭବନସ୍ଥିତ ବିଭିନ୍ନ କାର୍ଯ୍ୟାଳୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଇଛି ।
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।
ଦୁଇଜଣଙ୍କୁ ଏସିଡ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ