January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମନମୋହନ ସିଂହଙ୍କ ପରଲୋକ

ମନମୋହନ ସିଂହଙ୍କ ପରଲୋକ, ୯୨ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ। ବୟସାଧିକ କାରଣରୁ ଦେହାନ୍ତ ହୋଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରେସ୍‌ ରିଲିଜ୍‌ କହୁଯାଇଛି କି ବୟସାଧିକ କାରଣରୁ ହଠାତ୍ ଅସୁସ୍ଥ ପରେ ରାତି ୮.୦୬ ମିନିଟ୍‌ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ରାତି ୯.୫୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ ୧୯୯୦ ମସିହାରେ ମନମୋହନ ସିଂହଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା । ୨୦୦୪ରେ ଷ୍ଟେଣ୍ଟ୍ ଲଗାଯାଇଥିଲା । ଏହା ପରେ, ସେ ୨୦୦୯ରେ ପୁନର୍ବାର ହାର୍ଟ ସର୍ଜରୀ କରିଥିଲେ।


ଡକ୍ଟର ମନମୋହନ ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସାଧାରଣ ପୃଷ୍ଠଭୂମିରୁ ଆସି ମନମୋହନ ସିଂହ ତାଙ୍କ ଜୀବନରେ ଶିକ୍ଷା, ଅର୍ଥନୀତି ଏବଂ ରାଜନୀତିରେ ଅସାଧାରଣ ସଫଳତା ହାସଲ କରିଥିଲେ । ଡକ୍ଟର ମନମୋହନ ସିଂହ ୧୯୪୮ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ୧୯୫୭ ମସିହାରେ କେମ୍ବ୍ରିଜ ୟୁନିଭରସିଟି (ୟୁକେ)ରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ । ସେ ୧୯୬୨ ମସିହାରେ ଅକ୍ସଫୋର୍ଡ ୟୁନିର୍ଭସିଟିର ନଫିଲ୍ଡ କଲେଜରୁ ଅର୍ଥନୀତିରେ ଡି.ଫିଲ ଡିଗ୍ରୀ ହାସଲ କରିଥିଲେ ।


୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରରେ ଯୋଗ ଦେଇଥିଲେ ଏବଂ ବାଣିଜ୍ୟ ମନ୍ତ୍ରଣାଳୟରେ ଅର୍ଥନୈତିକ ପରାମର୍ଶଦାତା ହୋଇଥିଲେ । ୧୯୭୨ରେ, ସେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ସେ ଅର୍ଥ ମନ୍ତ୍ରଣାଳୟର ସଚିବ, ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ ।


୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ଥିଲେ । ଏହି ସମୟ ମଧ୍ୟରେ ସେ ଅର୍ଥନୈତିକ ସଂସ୍କାରର ଏକ ବିସ୍ତୃତ ନୀତି ପ୍ରଣୟନ କରିଥିଲେ, ଯାହା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା । ଏହି ସଂସ୍କାର ଭାରତକୁ ଅର୍ଥନୈତିକ ସଙ୍କଟରୁ ବାହାର କରି ଏକ ନୂତନ ଦିଗ ଦେଇଥିଲା । ଡକ୍ଟର ମନମୋହନ ସିଂହ ୧୯୯୧ରେ ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିଲେ । ସେ ଆସାମକୁ ପାଞ୍ଚ ଥର ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୧୯ରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ । ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ, ଯେତେବେଳେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିଲା, ସେତେବେଳେ ଡକ୍ଟର ସିଂହ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ । ସେ ୧୯୯୯ରେ ଦକ୍ଷିଣ ଦିଲ୍ଲୀରୁ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ । କିନ୍ତୁ ବିଜୟର ସ୍ୱାଦ ଚାଖି ପାରିନଥିଲେ ।
ରାଜନୈତିକ ଜୀବନରେ ଡକ୍ଟର ସିଂହ ଭାରତୀୟ ସଂସଦର ରାଜ୍ୟସଭାକୁ ୧୯୯୧ ମସିହାଠାରୁ ନିର୍ବାଚିତ ହେବା ସହ ୧୯୯୮ଠାରୁ ୨୦୦୪ ମସିହା ପର୍ୟ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୪ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ଡକ୍ଟର ମନମୋହନ ସିଂହ ମେ ୨୨ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ଏବଂ ପୁନର୍ବାର ୨୦୦୯ ମସିହା ମେ’ ୨୨ ତାରିଖ ଦିନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ପଦବୀ ମଣ୍ଡନ କରିଥିଲେ ।

ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଡକ୍ଟର ସିଂହ ଅଜସ୍ର ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସେଗୁଡିକ ମଧ୍ୟରୁ ପ୍ରମୁଖ ହେଲା, ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ (୧୯୮୭), ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମଶତବାର୍ଷିକୀ ପୁରସ୍କାର (୧୯୯୫), ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର(୧୯୯୩ ଏବଂ ୧୯୯୪), ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର (୧୯୯୩), କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର (୧୯୫୬), କେମ୍ବ୍ରିଜ ସେଂଟ୍ ଜୋନ୍ସ କଲେଜରେ ଉଲ୍ଲେଖନୀୟ କାର୍ୟ୍ୟ ନିମନ୍ତେ ପ୍ରଦତ୍ତ ରାଇଟ୍ସ ପ୍ରାଇଜ୍ (୧୯୫୫) ଅନ୍ୟତମ । ଡକ୍ଟର ସିଂହ ମଧ୍ୟ ଦେଶ ବିଦେଶର ଅନ୍ୟ ବହୁ ପ୍ରସିଦ୍ଧ ସଂସ୍ଥା ଓ ସଂଗଠନଠାରୁ ଅନେକ ସମ୍ମାନ ଲାଭ କରିଛନ୍ତି ଓ ସେଥି ମଧ୍ୟରେ ଜାପାନର ନିହୋନ୍ କେଇଜାଇ ସିମ୍ବୁନ୍ ସମ୍ମାନ ଅନ୍ୟତମ । ସେହିଭଳି କେମ୍ବ୍ରିଜ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସମେତ ଭାରତ ତଥା ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟ ଡକ୍ଟର ସିଂହଙ୍କୁ ସମ୍ମାନ ସୂଚକ ଡିଗ୍ରୀମାନ ପ୍ରଦାନ କରିଛନ୍ତି ।

ମୋ ଟିଭି ଓଡିଶା : ନୂଆଦିଲ୍ଲୀ

Latest news