January 22, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍‌ କଟକଣା।

ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଏବଂ କାଲି ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ପରେଡ୍‌ ଏବଂ ଶୁକ୍ରବାର ସକାଳ ୭ରୁ ୧୧ଟା୩୦ ଯାଏ ପୂର୍ଣ୍ଣ ଅଭ୍ୟାସ ପରେଡ୍‌ ଅନୁଷ୍ଠିତ ହେବ। ଏଥିସହିତ ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ସକାଳ ୬ଟା୩୦ରୁ ଆରମ୍ଭ ହେବାକୁ ଥିବାବେଳେ ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍‌ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ହାଉସିଂବୋର୍ଡ ଛକ ପାର୍ଶ୍ୱରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହାନଗୁଡ଼ିକ କେଶରୀ ଟକିଜ୍‌ଠାରୁ ଆଗକୁ ନ ଯାଇ ସେହିଠାରୁ ବାମପାର୍ଶ୍ୱ ଲେନ୍‌ରେ ଯିବ।

ସେହିପରି ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍‌ ଅଡିଟୋରିୟମ୍‌ ପଟୁ ଯିବେ। ୧୨୦ ବାଟାଲିୟନ୍‌ ଛକରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଏମ୍‌.ଏଲ୍‌ଏ କଲୋନୀ ରାସ୍ତା ଦେଇ ୪ ନମ୍ବର ପାର୍ଶ୍ୱକୁ ଯିବେ। ମହାତ୍ମାଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍‌ ଓ ବାଇଲେନ୍‌ଗୁଡ଼ିକରେ ଯାନବାହନ ଚଳାଚଳ ବନ୍ଦ ରହିବ। କେବଳ ପଦଚାରୀମାନେ ଚାଲି ଚାଲି ମହାତ୍ମାଗkନ୍ଧୀ ମାର୍ଗକୁ ଆସିପାରିବେ। ତେବେ ସାଧାରଣତନ୍ତ୍ର ଦିବସରେ ପରେଡ୍‌ ସରିବା ଯାଏ ପିଏମ୍‌ଜି ଛକଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ କୌଣସି ଗ୍ୟାସ୍‌ ବେଲୁନ୍‌ ବିକ୍ରି ହୋଇପାରିବ ନାହିଁ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news