February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶା ରାଜ୍ୟ ସଡ଼କ ନୀତି ପ୍ରସ୍ତୁତି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ 

ସଡ଼କ ଭିତ୍ତିଭୂମି ସୁଦୃଢ ସହ ଟ୍ରାଫିକ୍ ପରିଚାଳନା ସୁବ୍ୟବସ୍ଥିତ ହେବ 

ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ନୀତି ହେବ ସ୍ତିରୀକୃତ    

ମୋ ଟିଭି ଓଡିଶା / ଭୁବନେଶ୍ୱର, ତା-୦୫/୧୦/୨୦୨୪

ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଦି ଦ୍ୱାରା  ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା  ସଡକ ନେଟ୍‌ୱାର୍କର ସଫଳ କାର୍ଯ୍ୟକାରିତା ସଂପର୍କରେ  ଓଡ଼ିଶା ରାଜ୍ୟ ସଡ଼କ ନୀତି ପ୍ରସ୍ତୁତି କରାଯିବା ନେଇ ଗତ ଗୁରୁବାର ଅପରାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗୀୟ ଉଚ୍ଚ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ  ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ  । 

ବୈଠକରେ ପୂର୍ତ୍ତ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୪ରେ ରହିଥିବା ବିଭିନ୍ନ ବିଷୟ ଉପରେ ଉପସ୍ଥାପନ କରାଯାଇଥିଲା । 

ରାଜ୍ୟରେ ଥିବା ସଡ଼କ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଟ୍ରାଫିକ୍ ଦୃଷ୍ଟିରୁ କ୍ଷମତା ବୃଦ୍ଧି କରିବା, ଟ୍ରାଫିକ୍‌ ପରିଚାଳନା ଦୃଷ୍ଟିରୁ  ଯୋଗୁଁ ଗୋଟିଏ ବିଭାଗ ଦ୍ୱାରା ନିର୍ମିତ ଓ ପରିଚାଳିତ ରାସ୍ତା ଅନ୍ୟ ବିଭାଗକୁ ହସ୍ତାନ୍ତର  କରାଯିବା ନିମନ୍ତେ ଆନ୍ତଃ ବିଭାଗୀୟ ସଡ଼କ ସ୍ଥାନାନ୍ତର ବ୍ୟବସ୍ଥା, ସଡ଼କ ରକ୍ଷଣାବେକ୍ଷଣ ପାଇଁ ନିରନ୍ତରତା  ଭିତ୍ତିରେ ପାଣ୍ଠି ଉପଲବ୍‌ଧ ହେବା, ସଡ଼କ ସୁରକ୍ଷାକୁ  ନିଶ୍ଚିତ କରିବା  ଦୃଷ୍ଟିରୁ ଏହି ନୀତି ପ୍ରସ୍ତୁତିର ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।  ଏଥିପାଇଁ ଆନ୍ତଃ ବିଭାଗୀୟ ସଡ଼କ ସ୍ଥାନାନ୍ତର ନିମନ୍ତେ ମାର୍ଗଦର୍ଶିକା (ଏସଓପି) ରହିବା ସଂପର୍କରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଛି । 

ସଡ଼କ କ୍ଷେତ୍ରରେ ସଂସ୍ଥାଗତ କ୍ଷମତା ବୃଦ୍ଧି,  ସଡକ ଉନ୍ନତିକରଣରେ  ଆବଶ୍ୟକସ୍ଥଳେ ବେସରକାରୀ କ୍ଷେତ୍ରର ଅଂଶ ଗ୍ରହଣ,  ସଡ଼କ ବିକାଶରେ ନିରନ୍ତରତା  ଏହି ନୀତିର ଆଭିମୁଖ୍ୟ ରହିଛି । ସଡ଼କ ନିର୍ମାଣ କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ ସହ  ଗୁଣାତ୍ମକମାନକୁ ନିଶ୍ଚିତ କରାଯିବ ।  

ଆଇ.ଆର୍.ସି ନିର୍ଦ୍ଧାରିତ ମାନଦଣ୍ଡ  ଅନୁସାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଶୈଳୀର ପ୍ରକାର ଭେଦ କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ସଡ଼କ ନେଟୱାର୍କ ଓ ସଡ଼କ ସମ୍ପତ୍ତିର ଜିଆଇଏସ୍-ରେଫରେନ୍ସିଂ ପାଇଁ ଓଡ଼ିଶା ରୋଡ୍ ଆସେଟ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଓଆରଏଏମଏସ୍) ଭଳି ୱେବ୍-ଜିଆଇଏସ୍ ଭିତ୍ତିକ କଷ୍ଟମ-ବିଲ୍ଟ ଆପ୍ଲିକେସନ୍ କୁ ବ୍ୟବହାର କରାଯାଉଥିବା ବେଳେ  ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ବିଭାଗୀୟ ରାସ୍ତାଗୁଡ଼ିକର ଜିଆଇଏସ୍-ରେଫରେନ୍ସିଂ ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ବ୍ୟବହାର କରାଯାଉଛି । ବିଭିନ୍ନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ସମସ୍ତ ରାସ୍ତାକୁ ଜିଆଇଏସ୍-ରେଫରେନ୍ସ ଆଧାରରେ ଏକ କେନ୍ଦ୍ରୀୟ ଡାଟାବେସ୍ ଜରିଆରେ ପରିଚାଳନା କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।  

  ଏହି ନୀତିରେ ପ୍ରମୁଖ କୋର ରୋଡ ନେଟ୍‌ ଓ୍ୱାର୍କ ମଧ୍ୟରେ ରହିଛି; ରାଜ୍ୟ ରାଜପଥ ଅତି କମ୍‌ ରେ                 ୪ ଲେନ୍‌ ବିଶିଷ୍ଟ ହେବା, ପ୍ରମୁଖ ଜିଲ୍ଲା ରାସ୍ତା ଏବଂ ଅନ୍ୟ ଜିଲ୍ଲା ରାସ୍ତା ୨ ଲେନ୍ ବିଶିଷ୍ଟ ହେବା,  ଖଣି ଓ ଶିଳ୍ପ ଅଂଚଳରେ ୬ ଲେନ୍ ବିଶିଷ୍ଟ ରାସ୍ତା ସହିତ ଅତିରିକ୍ତ ୨ ଲେନ୍ ସର୍ଭିସ୍ ରୋଡ୍ ଏବଂ ତତ୍ ସହିତ ଡ୍ରେନ୍, ଟେଲିଫୋନ୍ ଲାଇନ ଆଦି  ଭୂତଳ ସଂଯୋଗୀକରଣ ପାଇଁ ଅତିରିକ୍ତ ୟୁଟିଲିଟି କରିଡର ରହିବ ।  ଜିଲ୍ଲା ସଦର ମହକୁମା, ବ୍ଲକ ସଦର ମହକୁମା, ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରହୁଥିବା ରାସ୍ତା, ଶିଳ୍ପ, ଖଣିଜ ଅଂଚଳ, ପୌରାଞ୍ଚଳ ଏବଂ  ଷ୍ଟେସନ ରାସ୍ତା ଆଦିର ନିର୍ମାଣ ଢାଞ୍ଚା କିପରି ହେବ, ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ସଡ଼କ ନୀତି ପ୍ରସ୍ତୁତି ସମୟରେ ଏବଂ ଓ ଅନୁମୋଦନ ପରେ ଏହାର କାର୍ଯ୍ୟକାରିତା ଏକ  କମିଟି ଦ୍ୱାରା ନିୟମିତ ବ୍ୟବଧାନରେ ଏବଂ ଆବଶ୍ୟକତା ଅନୁସାରେ ତଦାରଖ କରାଯିବ ।   

ବୈଠକରେ ସଂପୃକ୍ତ ସମସ୍ତ ବିଭାଗର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଓ  ପଦାଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଥିଲେ  ।  ଏହି ଚିଠା ସଡ଼କ ନୀତି ପ୍ରସ୍ତୁତି ପରେ ସଂପୃକ୍ତ ସବୁ ବିଭାଗକୁ ଅବଗତ କରାଯିବା ସହ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ଆବଶ୍ୟକ ଅନୁଧ୍ୟାନ ଓ ମତାମତ ପାଇଁ ପ୍ରେରଣ କରାଯିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।  

ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି ଯେପରି ଗମନାଗମନ, ଟ୍ରାଫିକ୍ ପରିଚାଳନା ଏବଂ ପ୍ରୟୋଗାତ୍ମକ ଦୃଷ୍ଟିରୁ ଅଧିକ ବଳିଷ୍ଠ ହୋଇପାରିବ, ସେଥିପାଇଁ ଅଧିକ  ଆଲୋଚନା  ସହିତ ବିଶେଷଜ୍ଞମାନଙ୍କ ମତାମତ ନିଆଯିବାକୁ ମତ ରଖିଥିଲେ । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।