ମୋ ଟିଭି ଓଡିଶା ବ୍ୟୁରୋ : ବାରମ୍ବାର ଅଭିଯୋଗ ସତ୍ବେ ଶୁଣିଲାନି ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଦୁର୍ନୀତି ବିରୋଧରେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ବ୍ୟକ୍ତି। ଅଭିଯୋଗ ପତ୍ରଗୁଡ଼ିକ ମାଳ କରି ବେକରେ ପକାଇ ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଅଭିଯୋଗକାରୀ। ଏଭଳି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମାଲୋଚନା କରାଯିବା ସହିତ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରାଯାଇଛି।
ଘଟଣାଟି ମଧ୍ୟପ୍ରଦେଶର। ଯୁବକ ଜଣକ ହେଉଛନ୍ତି ସିଙ୍ଗୋଲି ତହସିଲ ଅନ୍ତର୍ଗତ କାକରିୟା ତଲାଇ ଗ୍ରାମର ମୁକେଶ ପ୍ରଜାପତି। ମୁକେଶ କହିଛନ୍ତି, ତାଙ୍କ ଗ୍ରାମ ପଞ୍ଚାୟତରେ ହେଉଥିବା ଦୁର୍ନୀତି ବିଷୟରେ ସେ ବିଗତ ୭ ବର୍ଷ ହେବ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଛନ୍ତି। ହେଲେ କେହି ତାଙ୍କ କଥାକୁ ଗୁରୁତ୍ଵ ଦେଲେ ନାହିଁ। ସେ ଅନେକ ଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ବି ଯାଇଛନ୍ତି। ହେଲେ ଜିଲାପାଳଙ୍କୁ ନ ପାଇ ନିରାଶ ହୋଇ ଫେରିଛନ୍ତି।
ପରିଶେଷରେ ପ୍ରଶାସନିକ ଅବହେଳା ଯୋଗୁ ସେ ହତୋତ୍ସାହିତ ହୋଇ ଅଭିବନ ଉପାୟରେ ପ୍ରତିବାଦ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ସମସ୍ତ ଅଭିଯୋଗ ପତ୍ରଗୁଡ଼ିକୁ ମାଳ କରି ବେକରେ ପକାଇ ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁକେଶଙ୍କ ଏହି ପଦକ୍ଷେପ ଯୋଗୁ ସେ ଗଣମାଧ୍ୟମଗୁଡ଼ିକର ଦୃଷ୍ଟିଆକର୍ଷଣ କରିବାରେ ବି ସମର୍ଥ ହୋଇପାରିଛନ୍ତି। ମୁକେଶଙ୍କ ଭିଡିଓ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏତିକି ନୁହେଁ, ଜିଲାପାଳ ହିମାଂଶୁ ଚନ୍ଦ୍ର ମୁକେଶଙ୍କ ସମସ୍ତ ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟିକୁ ନିର୍ଦେଶ ଦେଇଛନ୍ତି। ୩ ଦିନ ମଧ୍ୟରେ ସବୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ବି କହିଛନ୍ତି। ମୁକେଶ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗ୍ରାମ ପଞ୍ଚାୟତରେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଛି। କିନ୍ତୁ ସରକାରୀ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।