ମୋ ଟିଭି ଓଡିଶା / ଖଲ୍ଲିକୋଟ :
ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁଗାଁ ରେ ଆଜି ଘଟି ଯାଇଛି ଏକ ଅଭାବନୀୟ ଘଟଣା । ପୋଖରୀରେ ଗାଧୋଉ ଥିବା ସମୟରେ ପାଣି ରେ ବୁଡ଼ି ଯାଇ ଭାଇ ଭଉଣୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଗ୍ରାମବାସୀ ଙ୍କ ଦ୍ୱାରା ଜୀବିତ ଉଦ୍ଧାର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମରେଇନୂଆଁ ଗାଁ ର ରାଜେନ୍ଦ୍ର ଶବର ଙ୍କ ୬ ବର୍ଷ ର ପୁଅ ସୁଦିପ ଶବର ଓ ୩ ବର୍ଷ ର ଝିଅ ରୋଷନି ଶବର ଏବଂ ସେହି ଗ୍ରାମର ଆଉ ଜଣେ ୨ ବର୍ଷ ର ଶିଶୁ କନ୍ୟା ଐଶ୍ୱରୀୟ ଶବର ମିଶି ଆଜି ସକାଳ ୮ ଟା ସମୟରେ ଗାଁ ପୋଖରୀ କୁ ଯାଇଥିଲେ । ସେଠାରେ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ଉକ୍ତ ତିନିଜଣ ଶିଶୁ ପାଣି ଭିତରେ ବୁଡ଼ି ଯାଇଥିଲେ । ତେବେ ଐଶ୍ୱରୀୟ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ଚିକିତ୍ସା ପରେ ସେ ମେଡ଼ିକାଲରେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପଟେ ରାଜେନ୍ଦ୍ର ଶବର ତାଙ୍କର ଦୁଇ ଶିଶୁ ଦୀର୍ଘ ସମୟ ଧରି ଘରକୁ ନ ଫେରିବା ଦେଖି ଦିନ ୧୧ ଟା ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ପୋଖରୀରେ ଖୋଜାଖୋଜି କରିବା ପରେ ପାଣି ଭିତରୁ ଗୁରୁତର ଅବସ୍ଥାରେ ଭାଇ ଭଉଣୀ ଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ଶୁଣି ମେଡ଼ିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ମେଡ଼ିକାଲରେ ପହଂଚି ଦୁଇ ଶବକୁ ଜବତ କରି ଥାନା କେସ ନମ୍ବର ୧୬/୨୦୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।