MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ସରିଲା ଲୀଳାଖେଳା । ଜନ୍ମବେଦୀରେ ପୁଣି ଶ୍ରୀମନ୍ଦିର ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ ।

ମୋ ଟିଭି ଓଡିଶା / ପୁରୀ :

ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୂଖୀ ଯାତ୍ରା କୁହାଯାଏ । ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ । ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧବାନ ଅଟେ । ସେଦିନ ବିଷ୍ଣୁଙ୍କର ପାଳିତ ହେଉଥିବା ଦକ୍ଷିଣାଭିମୂଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ବୋଲି ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି ।

ଶ୍ରୀବିଗ୍ରହ ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବାବେଳ ଠାକୁରମାନଙ୍କୁ ଦର୍ଶନ କଲେ ଗୁଣ୍ଡିଚାଯାତ୍ରା ଦିନ କରିଥିବା ଉତ୍ତରାଭିମୁଖ ଦର୍ଶନର ଫଳ ମିଳିଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ନବମୀ ଦିନ ରାତ୍ରିରେ ବଡ଼ସିଂହାର, ପୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି । ଏହାପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି । ରାଘବଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି ରାଇଥାନ୍ତି । ବାହୁଡ଼ା ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଡ଼ାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସଂପୃକ୍ତ ସେବକମାନଙ୍କ ସହାଯ୍ୟରେ ପୂଜା ସମାପନ କରିଥାନ୍ତି ।ଏହାପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି ଗୁପ୍ତ ନୀତି କରିଥାନ୍ତି । ଉକ୍ତ କାର୍ଯ୍ୟ ଶେଷ ହେବା ପରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜା ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ । ଏହାପରେ ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବାପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥାଏ । ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଁଚିବା କ୍ଷଣି ରାଘବଦାସ ମଠ ପ୍ରଦତ୍ତ ଟାହିୟା, ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ( ଧଣ୍ଡି ଓ ଚନ୍ଦନ) ବନ୍ଦାପନା, କର୍ପୂର ଆଳତି, ସାତବତୀ ସଞ୍ଜ କାହାଳି ଓ ଘସା, ବିଡ଼ିଆ ମାଣୋହି କରିଥାନ୍ତି । ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢ଼ାଇଥାନ୍ତି । ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥାନ୍ତି ।

ମହାରଣା ଓ ଭୋଇ ସେବକମାନେ ରଥ ଦଉଡ଼ି ଲଗାଇବା ପରେ ରଥ ନିର୍ଦ୍ଦେଶକଦଳଙ୍କ ପରାମର୍ଶରେ ରଥଟଣା ହୋଇଥାଏ । ରଥଟଣା ସମୟରେ କେତେକ ଅନୁଷ୍ଠାନ ବ୍ୟକ୍ତିବିଶେଷଙ୍କ ତରଫରୁ ଉକ୍ତ ଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପନ୍ତିଭୋଗ ହୋଇଥାଏ । ଯାହାକି ପୂର୍ବରୁ ଉଲ୍ଲେଖ କରାଯାଇଛି । ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇ ସିଂହଦ୍ୱାରକୁ ଆସିଥାଏ । ବାହୁଡା ଯାତ୍ରା କାଳରେ ଦକ୍ଷିଣାଭିମୂଖୀ ରଥସ୍ଥ ଦେବଦର୍ଶନ ଅତ୍ୟନ୍ତ ପୂଣ୍ୟପ୍ରଦ ଓ ପାପତାପ ସଂହାରକ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଜଗନ୍ନାଥ ମହାପ୍ରଭୁଙ୍କ ରଥ ମାରିଚିକୋଟ ନିକଟସ୍ଥ ଶ୍ରୀନଅର ଠାରେ ପହଁଚିବା ପରେ ‘ଲକ୍ଷ୍ମୀନାରାୟଣ ଭେଟ’ ହୋଇଥାଏ ।

ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର,ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହାଚ ଦ୍ୱାର ଠାରେ ଥିବା ପାଲିଙ୍କି ଚାହାଣୀ ମଣ୍ଡପକୁ ନିଆଯାଏ । ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇ ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଶ୍ରୀଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି । ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅର ଠାରୁ ନନ୍ଦିଘୋଷ ରଥ ଟଣାଯାଇ ସିଂହଦ୍ୱାର ଠାରେ ଲାଗେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।