ମୋ ଟିଭି ଓଡିଶା / କଳାହାଣ୍ଡି:୩୦/୦୬(ସନତ ପ୍ରଧାନୀ)
ରାସ୍ତା ଦୁଇପାଖ ବଡ ବଡ ଖାଲରେ ଭର୍ତ୍ତି ହୋଇଛି । ଅସରାଏ ବର୍ଷା ହେଲେ ଖାଲରେ ପାଣି ଭର୍ତ୍ତି ହୋଇ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଗାଡି ମୋଟର ଦୂରରେ ଥାଉ, ରାସ୍ତାରେ ଚାଲି ଚାଲି ଯିବା ଅସମ୍ଭବ ହୋଇ ପଡିଛି। ଏଇଟା କୋଉ ଦୁର୍ଗମ ଅଞ୍ଚଳର ରାସ୍ତା ନୁହେଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡେଙ୍ଗାଗୁଡ଼ା ଛକ ଠାରୁ ବଡ଼ କେନ୍ଦୁଗୁଡା ବଜାର ପଡ଼ିଆ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରୁଥିବା ଆର.ଡି ରାସ୍ତା । ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ବଙ୍ଗୋମୁଣ୍ଡା ଡେଙ୍ଗାଗୁଡା ନାମରେ ନାମିତ କରିଥିବା ଏହି ରାସ୍ତାର ଡେଙ୍ଗାଗୁଡା କେନାଲ ଛକ ଠାରୁ ବଡକେନ୍ଦୁଗୁଡା ବଜାର ପଡିଆ ପର୍ଯ୍ୟନ୍ତ ୩ କିମି ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ପଡିଥିବାରୁ ସେଥିରେ ନିର୍ଭର କରୁଥିବା ଅଞ୍ଚଳର ଜନସାଧାରଣ, ଚାଷି, ଛାତ୍ରଛାତ୍ରୀ ପ୍ରତ୍ୟହ ବ୍ଲକ, ତହସିଲ, କୃଷି କାର୍ଯ୍ୟାଳୟ, ଆଦର୍ଶ ବିଦ୍ୟାଳୟ ତଥା ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜକୁ ଯିବା ଆସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କଳାହାଣ୍ଡି ଜିଲ୍ଲାର ସର୍ବବୃହତ ଶିବ ମନ୍ଦିର ତଥା ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠକୁ ବିଭିନ୍ନ ଅଂଚଳର ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିବା ବେଳେ ଏ ରାସ୍ତାକୁ ନେଇ ଶ୍ରଦ୍ଧାଳୁ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।ଅନ୍ୟପକ୍ଷରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଥିବା ବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଯିଏ ଦେଖିଛି, ସେ ହିଁ ଜାଣିଛି।ଆମପାଣିର ପ୍ରଭୁ ବୁଢାରାଜାଙ୍କ ପ୍ରସିଦ୍ଧ ଦଶରା ସମୟରେ ଏହି ରାସ୍ତା ଦେଇ ଶହ ଶହ ଗାଡି ମୋଟର ଯିବା ଆସିବା କରିଥାଏ। ରାସ୍ତାର ଦୁଇ କଡ଼ରେ ଆଣ୍ଠୁଏ ଖାଳ ହୋଇ ରାସ୍ତା ଜମି ହୁଡ଼ାର ଭ୍ରମ ସୃଷ୍ଟି କରୁଛି । ଦୀର୍ଘ ୬ ବର୍ଷ ତଳେ ଏହି ରାସ୍ତା ନିମ୍ନମାନର ନିର୍ମାଣ ହେବା ଫଳରେ ସାଧାରଣ ଲୋକ ଏହି ରାସ୍ତାରେ ଯିବା ଆସିବା କରିବା ଏବେ ବିପଦଜ୍ଜନକ ହୋଇପଡିଛି ।
ଗତ ୨୦୧୮ ମସିହାରେ ଏକ ସ୍ୱତନ୍ତ୍ର ଶ୍ରେଣୀର ଠିକାଦାର ୧ କୋଟି ୯୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମ କରିଥିଲେ । ହେଲେ ୫ ବର୍ଷ ମରାମତି ପାଇଁ ବିଭାଗୀୟ ନିୟମ ରହିଥିବା ସତ୍ତ୍ୱେ ନିର୍ମାଣ ପରଠୁ ଥରଟିଏ ମଧ୍ୟ ସେ ରାସ୍ତା ମରାମତି କରିନଥିଲେ । ଦୁର୍ନୀତିଗ୍ରସ୍ତ ଠିକାଦାର, ନିର୍ବାଚିତ ପ୍ରତିନିଧି ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାର ଦୁରାବସ୍ଥା ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟିଗୋଚର ହେଉନଥିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଗାଁ ଲୋକେ ଅତ୍ୟନ୍ତ କ୍ଷୋଭର ସହ କୁହନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେବା ସହ ଏହି ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାରୁ ଏହି ରାସ୍ତାକୁ ୨ ଲେନ୍ କରି ନୂତନ ଭାବେ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ