ସୌନ୍ଦର୍ଯ୍ୟରେ ଭରପୂର ସୃଷ୍ଟି। ଅନ୍ୟ ଭାବରେ କହିଲେ, ସୃଷ୍ଟି ହିଁ ସୁନ୍ଦର। ଏଣୁ ଅସୁନ୍ଦର ବୋଲି କିଛି ନାହିଁ ଏବଂ ଏହି ସୌନ୍ଦର୍ଯ୍ୟକୁ ଭୋଗିବା ଓ ଅନୁଭବିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର। ଯେ ପକ୍ଷୀ ଉଡ଼େ ଯେତେ ଦୂର… ଯେ ଯେତେ ଗହନକୁ ଗମିପାରିଲା, ରହସ୍ୟରୁ ରସ ନେଇପାରିଲା ସେ ସେତେ ଅନୁଭବ କରିବ ସୌନ୍ଦର୍ଯ୍ୟ। ସବୁଠି ଓ ସବୁ ସମୟର। ସୌନ୍ଦର୍ଯ୍ୟ ହିଁ ସତ୍ୟ ଏବଂ ସତ୍ୟ ହିଁ ଈଶ୍ୱର। ଯେ ସତ୍ୟ ସେ ଶିବ ସେ ବି ସୁନ୍ଦର। ଏକାକାର। ଏଣୁ ଈଶ୍ୱର ହେଉଛନ୍ତି ସୌନ୍ଦର୍ଯ୍ୟର ଅଖଣ୍ଡ ଉତ୍ସ, ଅନନ୍ତ ଆଧାର। ସୌନ୍ଦର୍ଯ୍ୟ ହିଁ ସମନ୍ୱୟ ଓ ସଂହତି। ବ୍ରହ୍ମାଣ୍ଡର ସ୍ଥିତି ଓ ସେଥିରେ ସକଳ ସତ୍ତାର ଅବସ୍ଥିତି, ସଂପୃକ୍ତି ଓ ସଂପ୍ରୀତିକୁ ଅନୁଭବକୁ ଆଣିଲେ ଏକ ଅସରନ୍ତି ସୌନ୍ଦର୍ଯ୍ୟର ଅଂଶ ବିଶେଷ ବୋଲି ନିଜକୁ ମନେ ହେବ। ଗୀତା କହୁଛନ୍ତି – ନା ସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ। ଅସତ୍ ବସ୍ତୁର ଅସ୍ତିତ୍ବ ନାହିଁ ଏବଂ ସତ୍ ବସ୍ତୁର ଅଭାବ ନାହିଁ। ସବୁଠି କେବଳ ପରମାତ୍ମା ବିଦ୍ୟମାନ।
ବିଶ୍ୱ ବ୍ରହ୍ମାଣ୍ଡରେ ଯାହା ଦୃଶ୍ୟ ଓ ଅଦୃଶ୍ୟ, ସେ ସବୁଥିରେ ଈଶ୍ୱର ପରିବ୍ୟାପ୍ତ ଓ ବିଦ୍ୟମାନ। ସର୍ବଂ ଖଳ୍ବିଦଂ ବ୍ରହ୍ମ। ଯେହେତୁ ଈଶ୍ୱର ସୁନ୍ଦର, ଏଣୁ ତାଙ୍କର ସକଳ ସୃଷ୍ଟି ସୁନ୍ଦର। ସୌନ୍ଦର୍ଯ୍ୟ ପାଇଁ ଲୋଡ଼ା ଦୃଷ୍ଟି, ଦ୍ରଷ୍ଟା ଓ ଦୃଶ୍ୟ। ଏହି ତିନିଟି ଉପାଦାନକୁ ଆତ୍ମସ୍ଥ କଲେ ଜଣେ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟକୁ ଭିତରକୁ ନେଇପାରିବ। ସାଧାରଣରେ କୁହାଯାଏ, ସୌନ୍ଦର୍ଯ୍ୟ ଅସଲରେ ଥାଏ ଦେଖିଲାବାଲାର ଆଖିରେ। ଆଖିରୁ ପରଳ ହଟାଯାଉ। ଆହୁରି ଆଖି ଅର୍ଜନ କରାଯାଉ, ଆଖିକୁ ଆହୁରି ପ୍ରସ୍ତୁତ କରାଯାଉ। ସତ୍ୟ, ଶିବ ଓ ସୁନ୍ଦରକୁ ଚିହ୍ନିବାକୁ ଆଖି ସଶକ୍ତ ହେଉ।ସୌନ୍ଦର୍ଯ୍ୟ କେଉଁଠି ନାହିଁ? ସ୍ରଷ୍ଟାଙ୍କ ଅପାର କୃପାରୁ ଆମ ଚାରିପାଖରେ ଭରି ରହିଛି। ଆମେ କେତେ ଦେଖିପାରୁଛେ ? ଆକାଶରୁ ବର୍ଷା ବିନ୍ଦୁ ପଡ଼ୁଛି, ଗଛର ପତ୍ରରେ ନାଚୁଛି। ସେ ନୃତ୍ୟର କିଛି ତୁଳନା ଅଛି ? ଆକାଶରେ ପ୍ରତି ମୁହୂର୍ତ୍ତରେ ନୂଆନୂଆ ଛବି। ବାୟୁମଣ୍ଡଳରେ କେତେକେତେ ପକ୍ଷୀଙ୍କର କେତେ ପ୍ରକାରର ତାନ। ଯେତେ ଫୁଲ, ସେତେ ପ୍ରକାର ବାସ୍ନା। କେବେ ସଚେତନ ଭାବରେ ଅନୁଭବ କଲେ, ନିଜ ସୀମିତତାରୁ ଜଣେ ଅକ୍ଳେଶରେ ଚାଲିଯିବ ବିଶାଳତାକୁ। ଇନ୍ଦ୍ରିୟଗତ ସୀମିତତାରେ ମଧ୍ୟ ବିଶାଳତାର ଇଙ୍ଗିତ। ଯେ କୌଣସି ସୌନ୍ଦର୍ଯ୍ୟକୁ ଗମିଲେ, ଜଣେ ଗମିପାରିବ ସୃଷ୍ଟି ରହସ୍ୟକୁ, ସକଳ ସୌନ୍ଦର୍ଯ୍ୟର ଲିପିକୁ। ଏହା ହିଁ ଆଧ୍ୟାତ୍ମିକତା। ଏହା ହିଁ ଈଶ୍ୱର ପ୍ରାପ୍ତିର ସହଜ, ସରଳ ଓ ସୁଗମ ମାର୍ଗ। ଯାହା ଆମ ପାଖରେ ପ୍ରଚୁର ପରିମାଣରେ ଉପଲବ୍ଧ।ସୌନ୍ଦର୍ଯ୍ୟ ଅକ୍ଷୟ, ଅନନ୍ତ ଓ ଅବିନଶ୍ୱର। ଏହାକୁ କଦର୍ଯ୍ୟ କରିହେବ ନାହିଁ। ତେବେ ଯାହା ହେବ ସାମୟିକ ବିକୃତି, ତା’ର ପରିଣାମ ମଣିଷକୁ ଭୋଗିବାକୁ ପଡ଼ିବ। ଆଉ କେବେ ଚେତିବ ମଣିଷ? ଆସନ୍ତୁ, ସବୁଠି ସୁନ୍ଦର ଦେଖିବା, ଈଶ୍ୱର ଦେଖିବା, ସୁନ୍ଦରକୁ ସୁନ୍ଦର କହିବା, ଯଦି ପାରିବା ସୁନ୍ଦରକୁ ଆହୁରି ସୁନ୍ଦରତର କରିବା। ଆମେ ସୁନ୍ଦର, ପୃଥିବୀ ସୁନ୍ଦର, ସୁନ୍ଦରତା ଆମର ଜନ୍ମଗତ ପ୍ରାପ୍ତି ଓ ଅଧିକାର। ଶେଷରେ ଭକ୍ତ କବି ମଧୁସୂଦନ ରାଓଙ୍କ କବିତାରୁ, କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର।
ସତ୍ୟାନନ୍ଦ ପାଣିଗ୍ରାହୀ
More Stories
‘ଫେଙ୍ଗାଲ’ ତାଣ୍ଡବ: ତାମିଲନାଡୁରେ ୩ ମୃତ, ପୁଡୁଚେରୀରେ ବନ୍ୟା ପରିସ୍ଥିତି
ଓଡ଼ିଶାକୁ ମାଡ଼ି ଆସୁଛି ବିପଦ; ନଭେମ୍ୱରରେ ଆସୁଛି ଆଉ ଏକ ବଡ଼ ବାତ୍ୟା !
“ସତ୍ୟ ନିଷ୍ଠାର ସଂସ୍କୃତିରୁ ରାଷ୍ଟ୍ରର ସମୃଦ୍ଧି”, ଚଳିତ ବର୍ଷର ସତର୍କତା ସଚେତନତା ସପ୍ତାହ ପାଳନର ମୂଳମନ୍ତ୍ର |