January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ତୃତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ଭୋଟର୍‌ଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

ମୋଟିଭି ଓଡିଶା : ରାଜ୍ୟରେ ଆସନ୍ତାକାଲି ଅର୍ଥାତ ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛିବେ। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟକ୍ରମରେ ବିରାମ ଲାଗିଛି। ଅପରପକ୍ଷେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ ବୁଥ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ l ବରିଷ୍ଠ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଘରେ ଭୋଟ ଦେବାର ସୁବିଧା ମଧ୍ୟ କରାଯାଇଛି l ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି

ଶ୍ରୀ ଧଳଙ୍କ ସୂଚନାନୁଯାୟୀ, ତୃତୀୟ ପର୍ଯ୍ୟାୟରେ ଏହି ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍‌‌ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍‌‌) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ଶ୍ରୀ ଧଳ ସୂଚନା ପ୍ରଦାନ କରିଛନ୍ତି।

Latest news