ପୁରୀ : ୨୭/୧୧/୨୪
ଆସନ୍ତା ୪ ତାରିଖରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଶୃଙ୍ଖଳିତ ନୀତିକାନ୍ତି ଓ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବ୍ୟସ୍ଥା ପାଇଁ ଗତକାଲି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଦର୍ଶନ କରିବା ସମୟରେ ସାଧାରଣ ଦର୍ଶନ ବନ୍ଦ । କେବଳ ଅଧିକୃତ କର୍ମଚାରୀ ଓ ସେବାୟତମାନେ ସେହି ସମୟରେ ମନ୍ଦିର ମଧ୍ୟରେ ଉପସ୍ଥିତ ରହିବେ । ରାଷ୍ଟ୍ରପତି ଦର୍ଶନ ସାରି ମନ୍ଦିରରୁ ଫେରିବା ପରେ ପୁନର୍ବାର ସାଧାରଣ ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଏକ ଦୁଇଜଣିଆ କମିଟି ମଧ୍ୟ ଗଠନ କରାଯାଇଛି ।
ବୈଠକ ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,‘‘୪ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇପାରିବ, ସେନେଇ ଆମେ ଶ୍ରୀମନ୍ଦିର ଛତିଶା ନିଯୋଗ ସହିତ ଆଲୋଚନା କଲୁ । କିଭଳି ନୀତି ପରିଚାଳନା ହେବ ସେନେଇ ଆଲୋଚୋନା ହେଲା । ସେହିପରି ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ମଧ୍ୟ ଆଲୋଚୋନା ହେଲା । ମରାମତି ସମୟରେ କିଭଳି ମହାପ୍ରଭୁଙ୍କ ସେବା ପୂଜାରେ ବାଧା ନଉପୁଜିବ ଓ ଭକ୍ତଙ୍କ ଦର୍ଶନ ପ୍ରଭାବିତ ନହେବ ସେନେଇ ମଧ୍ୟ ଆଲୋଚୋନା ହେଲା ।’’
ଜିଲ୍ଲାପାଳ କହିଛନ୍ତି, ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଏକ ଦୁଇଜଣିଆ କମିଟି ଗଠନ ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର କମାଣ୍ଡରଙ୍କୁ ନେଇ ଏହି ଦୁଇ ଜଣିଆ କମିଟି ଗଠନ ହୋଇଛି । ଏହି କମିଟି ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ରତ୍ନଭଣ୍ଡାର ମରାମତି ସମୟରେ ପ୍ରଭାବିତ ନହେବ ତାହା କମିଟି ଧ୍ୟାନ ରଖିବ । ରତ୍ନଭଣ୍ଡାର ମରାମତି ନେଇ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବେ । ଏହାକୁ ନେଇ ‘ଏଏସଆଇ’ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ ।
ରାଷ୍ଟ୍ରପତିଙ୍କ ଗସ୍ତ ଦିନ ସକାଳ ୮ଟା ୪୫ରେ ଶ୍ରୀମନ୍ଦିରକୁ ଶୋଦ୍ଧ କରାଯିବ । ପୂର୍ବାହ୍ନ ୧୦ଟା ୧୫ରୁ ୧୦ ଟା ୪୦ ଯାଏଁ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବା ନେଇ ସମୟ ନିର୍ଦ୍ଧାରିତ ହୋଇଛି । ରାଷ୍ଟ୍ରପତି ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବାର କିଛି ସମୟ ପୂର୍ବରୁ ସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି,‘‘ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବାରୁ ୪ତାରିଖ ସକାଳ ୮ଟା ୪୫ରୁ ଭକ୍ତଙ୍କୁ ମନ୍ଦିରରୁ ଖାଲି କରାଯାଇ ଶୋଦ୍ଧ ପ୍ରକ୍ରିୟା ଆରମ୍ଭ କରାଯିବ । ସକାଳ ୫ ଟାରୁ ଦ୍ଵାରଫିଟା ନୀତି ଅନୁଷ୍ଠିତ ହେବ । ତେବେ ପ୍ରଶାସନ ପକ୍ଷରୁ ଯେଉଁ ସେବାୟତଙ୍କୁ ପାସ ଦିଆଯାଇଥିବ, ସେହି ସେବାୟତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ରାଷ୍ଟ୍ରପତିଙ୍କ ସହ ତାଙ୍କ କୌଳିକ ପଣ୍ଡା ଉପସ୍ଥିତ ରହିବେ ।’’
More Stories
ଶେଷ ହୋଇଯିବ ବିଜେଡି ।
ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ
18 ତମ ପ୍ରବାସୀ ଭାରତୀୟ ଦିବସ