ମୋ ଟିଭି ଓଡିଶା / ଆଗରପଡ଼ା : ୦୯/୦୮
ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ ଛୟାଳସିଂହ ଗ୍ରାମରେ ଜଣେ ମହିଳାଙ୍କ ଘରପୋଡ଼ି ଦେବା ସହ ଜିନିଷପତ୍ର ଲୁଟ୍ ଘଟଣାରେ ବନ୍ତ ପୁଲିସ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଛୟାଳସିଂହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗକାରୀ କୁନି ମୁଖୀ ଓ ତାଙ୍କ ଭିଣୋଇ ସ୍ୱପ୍ନସାଗର ମୁଖୀ ଅଭିଯୋଗ କରିଛନ୍ତି । ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନକଲେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ;ହଦଗଡ଼ ଗ୍ରାମର ମହିଳା କୁନି ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ପିଲାଙ୍କ ସହ ୫ବର୍ଷ ରୁ ଉର୍ଦ୍ଧ୍ୱ ହେବ ଛୟାଳସିଂହ ଗ୍ରାମରେ ସାନ ଭଉଣୀ ଘରେ ରହି ଆସୁଛନ୍ତି । ଚଳିତ ମାସ ୧ ତାରିଖ ରାତି ପ୍ରାୟ ୧୧ଟା୩୦ରେ ସେ ଭଉଣୀ ଘରେ ଶୋଇଥିବା ସମୟରେ କିଛି ଲୋକ ଘର କବାଟକୁ ବାଡ଼େଇ ଗାଳିଗୁଲଜ କରିଥିଲେ । ପରେ କବାଟକୁ ଧକ୍ମା ଦେବାରୁ କବାଟ ଖୋଲି ଯାଇଥିଲା । ହଠାତ୍ ଉକ୍ତ ଗ୍ରାମର କିଛି ବ୍ୟକ୍ତି ତାଙ୍କ ଘର ଭିତରକୁ ପଶି କୁନିକୁ ବାହାରକୁ ଘୋଷାଡ଼ି ନେଇ ତଳେ ପକାଇ ମାଡ଼ି ବସିଥିଲେ । ପରେ ଘର ଭିତରକୁ ପସି ଗୋଦରେଜ୍ ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ଓ ନଗଦ ୪୩ହଜାର ଟଙ୍କା ସେମାନେ ନେଇଯିବା ସହ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିଲା । ପୂର୍ବରୁ ବିଭିନ୍ନ ସମୟରେ ସେହି ବ୍ୟକ୍ତି ମାନେ ଘରପୋଡ଼ି ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେବା ନେଇ ଥାନାରେ ଅଭିଯୋଗ ପରେ ସମାଧାନ ମଧ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ଘଟିଥିବା ଘଟଣାକୁ ନେଇ କୁନି ଥାନାରେ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗମୁଳେ ଗତ ୨ ତାରିଖରେ ବନ୍ତ ପୁଲିସ ଥାନା କେସ ନଂ ୧୩୨/୨୪ରେ ୫ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା । କିନ୍ତୁ ଇତି ମଧ୍ୟରେ ୭ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ କୁନି ମୁଖୀଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେଣୁ ପୁଲିସ ତାଙ୍କୁ ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ ନକରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।