ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ଋପ ନେଇଛି । ଆସନ୍ତାକାଲି ସକାଳ ସୁଦ୍ଧା ୨୪ଘଣ୍ଟାରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ୨୬ରେ ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସାମ୍ଭାବ୍ୟ ବାତ୍ୟାର ନାମ ‘ ରିମାଲ ‘ ରଖାଯାଇଛି l
ବାତ୍ୟା ସୃଷ୍ଟି ହେଲେ ମଧ୍ୟ ରାଜ୍ୟର ମାତ୍ର କିଛି ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ। ବାତ୍ୟା ଯୋଗୁଁ ମୁଖ୍ୟତଃ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବାତ୍ୟା ପ୍ରଭାବରେ ୨୬ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ସହ କାଁ ଭାଁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରେ କିଛି କିଛି ସ୍ଥାନରେ ବର୍ଷା ସହ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାଲେଶ୍ୱର ଓ ମୟୂରଭଞ୍ଜରେ ଏହାର ପ୍ରଭାବ ରହିବ ବୋଲି ଆକଳନ କରାଯାଇଛି । ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଅପରାହ୍ଣରେ ବର୍ଷା ଜାରି ରହିଛି। ଏହା ସହ ଦିନବେଳା ପ୍ରବଳ ଖରା ଅନୁଭୂତ ହେଉଛି। ଏହି ସ୍ଥିତି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବିଜୁଳି ଓ ଘଡ଼ଘଡ଼ି ପାଇଁ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
More Stories
ଜାଡ଼ରେ ଥରୁଛି ଓଡ଼ିଶା
୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି ।
ଶୀତର ତାଣ୍ଡବ