ଆଜିର ସମୟରେ ଡାଟା ଏକ ଅମୂଲ୍ୟ ସମ୍ପଦ ଭାବେ ସାରା ବିଶ୍ୱରେ ବିବେଚିତ ହେଉଛି–ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ l
ଭୁବନେଶ୍ୱର ତା-୨୧.୧୧.୨୦୨୪
ପରସ୍ପର ସହ ଜଡ଼ିତ ଦୁନିଆରେ ତଥ୍ୟ ଭିତ୍ତିକ ନିଷ୍ପତ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ନୀତି ନିର୍ମାତା, ନିବେଶକ, ଗବେଷକ ଏବଂ ନାଗରିକମାନଙ୍କୁ ଜଟିଳ ଆହ୍ୱାନଗୁଡିକୁ ଅନୁଧ୍ୟାନ କରି ପ୍ରଭାବଶାଳୀ ଯୋଜନା ଏବଂ ନୀତି ନିର୍ଦ୍ଧାରଣକୁ ପ୍ରୋତ୍ସାହିତ କରିଥାଏ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଅର୍ଥନୀତି କିମ୍ବା ପରିବେଶ ସ୍ଥାୟିତ୍ୱ କ୍ଷେତ୍ରରେ, ବିଶ୍ୱସନୀୟ, ବ୍ୟାପକ ଏବଂ ସମୟୋପଯୋଗୀ ତଥ୍ୟର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଆଜି ଏହି ପରିପ୍ରେକ୍ଷୀରେ ଅତିଥି ଓ ବକ୍ତାମାନେ ପ୍ରକାଶ କରିଛନ୍ତି ।
ଆଜି ସ୍ଥାନୀୟ ହୋଟେଲ ଭିଭାନ୍ତା ଠାରେ ନୀତି ଆୟୋଗ, ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ (ଏମଓଏସପିଆଇ) ର ମିଳିତ ଆନୁକୂଲ୍ୟରେ ଏବଂ ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ସହଯୋଗରେ ଆଜିଠାରୁ ଆୟୋଜିତ ‘ଡାଟା ଫୋରମ୍ – ୨୦୨୪’ ଶୀର୍ଷକ ଦୁଇ ଦିନିଆ କର୍ମଶାଳାରେ ଯୋଗଦେଇ ଅତିଥି ଓ ବିଶେଷଜ୍ଞ ବକ୍ତାମାନେ ପ୍ରକାଶ କରିଛନ୍ତି । ଏହି କର୍ମଶାଳା ନଭେମ୍ବର ୨୧ ଓ ୨୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଭାରତ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଇତ୍ୟାଦି ଅଂଶଗ୍ରହଣ କରିଛନ୍ତି । ଏହି କର୍ମଶାଳା ନୀତି ଆୟୋଗର ରାଜ୍ୟ କର୍ମଶାଳା ଶୃଙ୍ଖଳାର ଦ୍ୱିତୀୟ କାର୍ଯ୍ୟକ୍ରମ । ଏହି ଶୃଙ୍ଖଳାର ପ୍ରଥମ କର୍ମଶାଳା ଗତ ୨୦୨୩ ନଭେମ୍ବର ୧୭ରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥିଭାବେ ଯୋଗଦାନ କରି କହିଥିଲେ ଯେ, ତଥ୍ୟଭିତ୍ତିକ ନିଷ୍ପତ୍ତି ନେବା ପାଇଁ ଡାଟା ଏକ ଗୁରୁତ୍ଵପୂର୍ଣ୍ଣ ଭିତ୍ତିଭୂମି ଭାବେ କାର୍ଯ୍ୟ କରିଥାଏ l ଯେକୌଣସି ସମସ୍ୟାକୁ ତୃଣମୂଳସ୍ତରରୁ ସମାଧାନ କରିବାରେ ମଧ୍ୟ ଡାଟାର ଆବଶ୍ୟକ ହୋଇଥାଏ l ସରକାର ଓ ନୀତି ନିର୍ମାତାମାନେ ତଥ୍ୟ ଉପରେ ଆଧାର କରି ନିଷ୍ପତ୍ତି ନିଅନ୍ତି । ଏହା ଯୋଗୁଁ ଆମେ ବିଭିନ୍ନ ସେବା ପ୍ରଦାନରେ ଉନ୍ନତି ଆଣିପାରିବା ସହ ନାଗରିକଙ୍କ ପାଇଁ ସ୍ଵଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ଦ୍ଵାରା ଅଧିକ ପ୍ରଭାବଶାଳୀ ଫଳାଫଳ ହାସଲ କରିପାରିବା l ଆଜିର ସମୟରେ ଡାଟା ଏକ ଅମୂଲ୍ୟ ସମ୍ପଦ ଭାବେ ସାରା ବିଶ୍ୱରେ ବିବେଚିତ ହେଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ପ୍ରକାଶ କରିଥିଲେ ।
ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଓଡ଼ିଶା ପ୍ରଦେଶ ଗଠନର ୧୦୦ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟ କରିବା ଦିଗରେ କାର୍ଯ୍ୟ କରିବା ସହ ୨୦୪୭ ସୁଦ୍ଧା ‘ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ର ଯୋଜନା କରିଛନ୍ତି l ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ଏବଂ ତଥ୍ୟ ଗୁରୁତ୍ଵପୂର୍ଣ୍ଣ l ଓଡ଼ିଶାର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଶ୍ଵ ବ୍ୟାଙ୍କ ସହାୟତାରେ ଭବିଷ୍ୟତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି l ଭବିଷ୍ୟତର ଆହ୍ୱାନକୁ ପୂରଣ କରିବା ପାଇଁ ଓଡ଼ିଶାର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଉଛି । ବିଭିନ୍ନ ହିତାଧିକାରୀଙ୍କୁ ରାଜ୍ୟରେ ଚାଷ ପ୍ରଣାଳୀ ଏବଂ ଫସଲ ସମ୍ବନ୍ଧୀୟ ସଠିକ୍ ତଥ୍ୟ ସମୟାନୁଯାୟୀ ଯୋଗାଇଦେବା ନିମନ୍ତେ ସରକାର ଇ-ଚାଷ ଆପ୍ ବ୍ୟବହାର କରୁଛନ୍ତି l ଏହା ଫସଲର ଡିଜିଟାଲ୍ ସର୍ଭେ କରିବା ସହ ତଥ୍ୟଭିତ୍ତିକ ଦୂରତ୍ଵକୁ ହ୍ରାସ କରୁଛି l ସରକାରୀ କାର୍ଯ୍ୟରେ ଓ ସର୍ବେକ୍ଷଣରେ ବ୍ୟବହାର କରାଯାଉଥିବା ଡାଟା ପ୍ରାୟତଃ ରାଜ୍ୟ ସ୍ତରରେ ସଂଯୋଜନା ହେଉଛି l ଏହି ସବୁ ଡାଟା ଜନଗଣନା, ଚାଷୀ ଗଣନା, ଅର୍ଥନୀତି ସମ୍ବନ୍ଧୀୟ ନୀତିଗତ ନିଷ୍ପତ୍ତି, ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି କ୍ଷେତ୍ରରେ ବ୍ୟବହାର ହୋଇଥାଏ l ଯାହାଫଳରେ ତୃଣମୂଳସ୍ତରରେ ପରିସ୍ଥିତି କଣ ଅଛି ଜାଣି ହେଉଛି ଏବଂ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯାଇପାରୁଛି l ଏଥିସହ, ଓଡ଼ିଶାରେ ଧାନ ସଂଗ୍ରହ ନିମନ୍ତେ ପି- ପାସ୍ ବ୍ୟବସ୍ଥା ରହିଛି ଯାହା ଡାଟା ଆନାଲିଟିକ୍ସକୁ ବ୍ୟବହାର କରିଥାଏ l ସେହିଭଳି ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା ଭଳି ସମୟରେ ପୁନରୁଦ୍ଧାର କାର୍ଯ୍ୟରେ ଅଗ୍ରଗତି ଆଣିବା ସହ ଜରୁରୀକାଳୀନ ପରିସ୍ଥିତିରେ ଅପହଞ୍ଚ ଇଲାକାର ତଥ୍ୟ ହାସଲ, ସାଟେଲାଇଟ ଚିତ୍ର ଏବଂ ପାଣିପାଗର ପୂର୍ବାନୁମାନ ଇତ୍ୟାଦି ରିଅଲ ଟାଇମ ଡାଟା ବ୍ୟବହାର ଦ୍ଵାରା ସମ୍ଭବପର ହୋଇଥାଏ l ଏହି ତଥ୍ୟ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନି ହେବାରୁ ରକ୍ଷା ହେଇପାରୁଛି ବୋଲି ଶ୍ରୀ ସିଂହଦେଓ ମତପ୍ରକାଶ କରିଥିଲେ l ଆୟୋଜିତ କର୍ମଶାଳାରେ ଡାଟା ଫୋରମ୍ ୨୦୨୪ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ଆମର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଯୋଗଦାନ କରିବାର ଲକ୍ଷ୍ୟ ରହିଥିବା ବେଳେ ତ୍ୱରାନ୍ୱିତ ଗତିରେ ବିକାଶ ଓ ଅଭିବୃଦ୍ଧି ପାଇଁ ଆମକୁ ସଠିକ୍ ତଥ୍ୟ ଉପଲବ୍ଧତାର ଆବଶ୍ୟକତା ରହିଛି । କର୍ତ୍ତୃପକ୍ଷମାନଙ୍କୁ ଶୀଘ୍ର ଓ ସଠିକ ନିଷ୍ପତ୍ତି ନେବାରେ ତଥ୍ୟର ଲକ୍ଷ୍ୟଭିତ୍ତିକ, ଉତ୍ତରଦାୟୀ, ଅଭିନବତ୍ୱ, ସମୟଭିତ୍ତିକ ଏବଂ ସହଜରେ ଉପଲବ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯଦ୍ୱାରା କି ନିଷ୍ପତ୍ତି ନେବାରେ ସହାୟକ ହେବ । ବୈଷୟିକ ଜ୍ଞାନକୌଶଳ ଏଥିପାଇଁ ସହାୟତା କରିବ ଏବଂ ସରକାରଙ୍କୁ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସମର୍ଥ କରାଇବ ବୋଲି ସେ ପ୍ରକାଶ କରିଥିଲେ ।
ରାଜ୍ୟ ଉନ୍ନୟନ୍ନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ କହିଲେ ଯେ, ତଥ୍ୟ ବା ଡାଟା ନିତି ନିର୍ଦ୍ଧାରକମାନଙ୍କୁ ତଥ୍ୟକୁ ବ୍ୟବହାର କରି ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ସହାୟତା ଦେଇଥାଏ । ନିକଟରେ ମହିଳାମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଇଥିବା ସୁଭଦ୍ରା ଯୋଜନା ଆମର ଉପଲବ୍ଧ ତଥ୍ୟ ଯୋଗୁଁ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ସହାୟତା ପ୍ରଦାନ କରାଯାଇ ପାରିଛି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ବିପର୍ଯ୍ୟୟ ପରିଚାଳନା ଏବଂ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ତଥ୍ୟର ଉପଯୋଗ ହେଉ ବା ପିଏମ୍ ଗତି ଶକ୍ତି ପୋର୍ଟାଲରୁ ତଥ୍ୟ ଆହରଣ କରି ରାଜ୍ୟର ବିଭିନ୍ନ ବିକାଶର ଧାରା ତ୍ୱରାନ୍ୱିତ କରିବା ହେଉ, ସବୁଥିରେ ତଥ୍ୟ (ଡାଟାର) ଗୁରୁତ୍ୱ ରହିଛି ବୋଲି ସେ ପ୍ରକାଶ କରିଥିଲେ ।
ମିଳିତ ଜାତି ସଂଘ-ଭାରତରେ ଆବାସିକ ସଂଯୋଜକ ଶ୍ରୀ ଶୋମ୍ବି ଶାର୍ପ ଯୋଗ ଦେଇ ଡାଟା ଫୋରମରୁ ତଥ୍ୟ କିଭଳି ନିରନ୍ତର ବିକାଶ ଲକ୍ଷ୍ୟ ସାଧନରେ ସହାୟକ ହୋଇପାରିବ, ସେଥିପ୍ରତି ଆଲୋକପାତ କରିଥିଲେ । ଭାରତର ଡାଟା ଫୋରମ ଅଭିଯାନ ମଡେଲ ବିଶ୍ୱର ଅନ୍ୟ ଦେଶ ପାଇଁ ଅନୁକରଣୀୟ ହୋଇଛି ବୋଲି ସେ କହିଥିଲେ । ନୀତି ଆୟୋଗର ପ୍ରମୁଖ ଅର୍ଥ ପରାମର୍ଶଦାତା ଶ୍ରୀମତୀ ଆନ୍ନା ରୟ ଯୋଗଦେଇ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ଏହି ସମ୍ମିଳନୀ ତଥ୍ୟ ସଂଗ୍ରହ ପରିସଂସ୍ଥାକୁ ଆହୁରି ଉନ୍ନତ ଓ ସମୃଦ୍ଧ କରିବାରେ ସହାୟକ ହେବା ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ । ନୀତି ଆୟୋଗର ସଦସ୍ୟ ଡଃ ରମେଶ ଚାନ୍ଦ ଯୋଗ ଦେଇ କହିଥିଲେ ଯେ, ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ତଥ୍ୟ ଦ୍ୱାରା ପରିଚାଳିତ ଅର୍ଥନିତିକୁ ଗୁରୁତ୍ୱ ଦେଉଛନ୍ତି । ତଥ୍ୟରେ ରହୁଥିବା ଅସଂଗତିକୁ ଦୂରକରି ଆମର ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଡାଟା ବ୍ୟବସ୍ଥା ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ଏଥିପାଇଁ ସମସ୍ତଙ୍କୁ ମିଳିମିଶି ପ୍ରୟାସ କରିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ । ବିଶ୍ୱବ୍ୟାଙ୍କର ଡାଟା ସିଷ୍ଟମ ବିଶେଷଜ୍ଞ ଶ୍ରୀମତୀ ଶ୍ରେୟା ଦତ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଆଜି ଆରମ୍ଭ ହୋଇଥିବା କର୍ମଶାଳାର ୨ୟ ଅଧିବେଶନରେ ଡାଟା-ପରିଚାଳିତ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ଦିଗରେ ଆଲେଚନା କରାଯାଇଥିଲା । ଏଥିରେ ଭାରତ ସରକାରଙ୍କ ଇଲୋକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଭିଷେକ ସିଂ ଯୋଗ ଦେଇ କହିଥିଲେ ଯେ, ଡାଟା କର୍ମଶାଳାର ପ୍ରଭାବ ଫଳରେ ଗତ ୨୦୨୩ ରେ ଲକ୍ଷ୍ନୋରେ ଅନୁଷ୍ଠିତ କର୍ମଶାଳାଠାରୁ ଏହି ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଡାଟା ପରିଚାଳିତ ପ୍ରଶାସନ କିପରି ସୁଶାସନରେ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ, ସେ ସଂପର୍କରେ ଶ୍ରୀ ସିଂ ଆଲୋକପାତ କରିଥିଲେ । ଏହି ଅଧିବେଶନରେ ବିଶ୍ୱବ୍ୟାଙ୍କର ଟାସ୍କ ଟିମ ଲିଡର ତଥା ବରିଷ୍ଠ ଅର୍ଥବିତ୍ତ ଥୋମାସ ଡାନିଏଲୱିଜ, କାନାଡାର ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍ ଶ୍ରୀ ଅନୀଲ ଆରୋରା, ତାମିଲନାଡୁ ଇ-ଗର୍ଭନାନସ୍ ଏଜେନ୍ସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏମ. ଗୋବିନ୍ଦ ରାଓ, ଆସାମ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗର ନିର୍ଦ୍ଦେଶକ କେ.ଏସ୍.ପ.ଭି.ପ୍ରବଣ କୁମାର, ଭାରତ ସରକାରଙ୍କ ଏମଓଏସପିଆଇ ବିଭାଗର ଉପ ମହା ନିର୍ଦ୍ଦେଶକ ଶ୍ରୀ ରୋହିତ ଭରଦ୍ୱାଜ, ବିଶ୍ୱ ବ୍ୟାଙ୍କର ବରିଷ୍ଠ ଡିଜିଟାଲ ଡେଭେଲପମେଣ୍ଟ ବିଶେଷଜ୍ଞ ଶ୍ରୀ ଅରୁଣ ଶର୍ମା ଯୋଗ ଦେଇ ଭାରତର ଡିଜିଟାଲ ଭିତ୍ତିଭୂମି, ସୁଦୃଢ଼ ତଥ୍ୟ ପରିଚାଳନା ବ୍ୟବସ୍ଥା ପାଇଁ ଆବଶ୍ୟକତା ନିୟାମକ, ସଂସ୍ଥାଗତ ସଂସ୍କୃତି ଓ ଦକ୍ଷତା, ବୈଷୟିକ ଜ୍ଞାନ କୌଶଳ ଏବଂ ଅଂଶିଦାରୀମାନଙ୍କ ନିୟୋଜନ ସଂପର୍କରେ ଆଲୋକପାତ କରିଥିଲେ ।
ଏହା ପରେ କର୍ମଶାଳାରେ ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ବିଶ୍ୱବ୍ୟାଙ୍କ ଟାସ୍କ ଟିମ୍ ଲିଡର ମି. ଥୋମାସ୍ ଡାନିଏଲ ଉଇଜଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବିଜୟ ଭୂଷଣ ନନ୍ଦଙ୍କ ସମେତ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହାୟତା କରିଥିଲେ । ଆସନ୍ତା କାଲି ୨ୟ ଦିବସରେ ଏହି କର୍ମଶାଳା ସଂପର୍କିତ ଆଲୋଚନାରେ ବିଶ୍ୱ ବ୍ୟାଙ୍କ ସମେତ ଭାରତର ଏବଂ ବିଭିନ୍ନ ରାଜ୍ୟରୁ ବିଶେଷଜ୍ଞମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
More Stories
ଡିସେମ୍ବର ୪ ରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଭାରତୀୟ ନୌସେନାର ସାମୁଦ୍ରିକ ଦକ୍ଷତା ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମ
ସାଙ୍କେତିକ ପ୍ରଣାଳୀ ଏବଂ କବଚ୍ |
ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ: