ଭୁବନେଶ୍ଵର: ରାଜଧାନୀରେ ଶନିବାର ରାତିରେ ସିବିଆଇ ଚଢାଉ କରିଛି। ଏକ ତାରକା ହୋଟେଲ ସମ୍ମୁଖରେ ଛିଡା ହୋଇଥିବା ଏକ ଦାମୀ କାରରୁ ଅଧିକାରୀମାନେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛନ୍ତି। ଲାଞ୍ଚ ନେବା ପାଇଁ ଓ ଲାଞ୍ଚ ଦେବା ପାଇଁ ଆସିଥିବା ଦୁଇ ପକ୍ଷର ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ । କେଉଁ କାମ ପାଇଁ ଲାଞ୍ଚ ଦେବାକୁ ଡିଲ ହୋଇଥିଲା ସେନେଇ ତଦନ୍ତ ଜାରି ରହିଛି ।
ଗତକାଲି ପ୍ରାୟ ସନ୍ଧ୍ୟା ସାତଟା ସମୟରେ ନୟାପଲ୍ଲୀ ଅଞ୍ଚଳରେ ଏକ ତାରକା ହୋଟେଲ ସାମ୍ନାରେ OD 05 BV 9999 ଏସୟୁଭି ଗାଡ଼ିର ବନେଟ ଭିତରୁ ବଣ୍ଡଲ ବଣ୍ଡଲ ଟଙ୍କା ବାହାରୁଥିବା ଦେଖି ଲୁଟ ବା ରେଡ ପଡ଼ିଥିବା ଭାବି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ବେଳେ ସେମାନେ ଦିଲ୍ଲୀର ସିବିଆଇ ଟିମ୍ ବୋଲି ଜାଣିବାକୁ ପାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରୀ ଅଫ ହେବି ଇଣ୍ଡଷ୍ଟ୍ରିଜ ଅଧିନରେ ଆସୁଥିବା ବ୍ରୀଜ ଆଣ୍ଡ ରୁଫ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେବା ପାଇଁ ଗତକାଲି ଭୁବନେଶ୍ବର ଆସିଥିଲେ । ଭୁବନେଶ୍ୱର ଏକ ଠିକା ସଂସ୍ଥାର ଡାଇରେକ୍ଟର ତାଙ୍କୁ ଟଙ୍କା ଦେବା ପାଇଁ ନୟାପଲ୍ଲୀର ଏକ ତାରକା ହୋଟେଲରେ ଡିଲ କରୁଥିଲେ । ଏହାକୁ ଟ୍ରାକ କରି ଦିଲ୍ଲୀର ସିବିଆଇ ଟିମ୍ ଭୁବନେଶ୍ବରରେ ପହଞ୍ଚି ଲାଞ୍ଚ ନେଣଦେଣ ବେଳେ ଚଢାଉ କରି 4 ଜଣଙ୍କୁ ଅଟକ ରଖିଛି । ହୋଟେଲ ବାହାରେ ଥିବା ଠିକା ସଂସ୍ଥାର ଡାଇରେକ୍ଟରଙ୍କ ଏକ ଦାମୀ କାରରୁ ସିବିଆଇ ପାଖାପାଖି 10ରୁ 20 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଥିବା ବେଳେ ୧୦୦ଗ୍ରାମରୁ ଉର୍ଦ୍ଧ୍ବ ସୁନା ଜବତ କରିଛି । ଏହି ଘଟଣାରେ ଭୁବନେଶ୍ୱର, କଟକ ଓ କଲିକତା ସମେତ ଦିଲ୍ଲୀରେ ପ୍ରାୟ ୮ ଟି ସ୍ଥାନରେ ଦିଲ୍ଲୀ ସିବିଆଇ ଟିମ୍ ରେଡ ଜାରି ରଖିଛି। ତେବେ କେଉଁ କାମ ପାଇଁ ଠିକା ସଂସ୍ଥାର ଡାଇରେକ୍ଟ ସରକାରୀ ସଂସ୍ଥାର ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଚାହୁଁଥିଲେ ତାହା ବର୍ତ୍ତମାନ ଜଣାପଡିନାହିଁ । ଭୁବନେଶ୍ୱର ଠିକା ସଂସ୍ଥାର ଡାଇରେକ୍ଟର ଓ ବ୍ରୀଜ ଆଣ୍ଡ ରୁଫ କମ୍ପାନୀର କିଛି କର୍ମଚାରୀଙ୍କୁ ସିବିଆଇ ଅଧିକାରୀ ପଚରାଉଚରା ଜାରି ରଖିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।