January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଉନ୍ନୟନ କମିଶନର ତଥା ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ l

ଜଳବାୟୁ ସହନଶୀଳ ପଦ୍ଧତି ଓ ଜ୍ଞାନକୌଶଳ ଅବଲମ୍ବନ ସଂପର୍କରେ ରାଧାକୃଷ୍ଣ ପାଣି ପଞ୍ଚାୟତର ସଭ୍ୟମାନଙ୍କ ସହ ଆଲୋଚନା l

ଭୁବନେଶ୍ୱର ତା-୧୧.୧୧ .୨୦୨୪ 

ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ  ଗର୍ଗ ଗତକାଲି ରବିବାର  ଗଞ୍ଜାମ ଜିଲ୍ଲା ଗସ୍ତ କରି  ଜଳବାୟୁ ସହନଶୀଳ କୃଷି ପାଇଁ  ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆରଏ)ଅଧିନରେ କାର୍ଯ୍ୟକାରୀ ହେଉଥିବା ଜଳସେଚନ ପ୍ରକଳ୍ପ  ପରିଦର୍ଶନ କରିଥିଲେ ।

ଶ୍ରୀମତୀ ଗର୍ଗ, ଓଆଇଆଇପିସିଆରଏ ମାଧ୍ୟମରେ ଉନ୍ନତିକରଣ କରାଯାଇଥିବା ଛତ୍ରପୁର ବ୍ଲକର ଇଟାଗଡିଆ ବନ୍ଧ ଏମଆଇପି ଅଧୀନସ୍ଥ  ରାଧାକୃଷ୍ଣ ପାଣି ପଞ୍ଚାୟତର ସଭ୍ୟମାନଙ୍କ ସହ ଆଲୋଚନା କରି ଜଳବାୟୁ ସହନଶୀଳ ପଦ୍ଧତି ଓ ଜ୍ଞାନକୌଶଳ ଅବଲମ୍ବନ କରି ସେମାନେ  କିପରି ଲାଭ ପାଉଛନ୍ତି ସେ ସମ୍ପର୍କରେ ସେମାନଙ୍କଠାରୁ ପଚାରି ବୁଝିଥିଲେ ।

ଏହି ପ୍ରକଳ୍ପରେ ଟ୍ୟାଙ୍କ ବା ପୋଖରୀର ହେଡ୍ ୱାର୍କରେ ଉନ୍ନତି ଅଣାଯିବା  ସହ ପାଣିର ଉପଯୁକ୍ତ ବ୍ୟବହାର ପାଇଁ କେନାଲ ଓ କ୍ଷେତ୍ର ପ୍ରଣାଳୀ  ନିର୍ମାଣ କରାଯାଇଛି । ସୋଲାର ବୋର କୂଅ ମଧ୍ୟ ସ୍ଥାପନ କରାଯାଇ ଜଳର ସଠିକ ବ୍ୟବହାରକୁ  ସୁନିଶ୍ଚିତ କରାଯାଇଛି । ଏହି ଅବସରରେ ସେମାନଙ୍କ ଦ୍ୱାରା  ସବୁଜ ଖତ,  ଧାନ ବୁଣାଯିବା କୃଷିଯାନ୍ତ୍ରିକ ଉପକରଣ, ରାଗି, ମୁଗ, ସୂର୍ଯ୍ୟମୁଖୀର ଉନ୍ନତ ପ୍ୟାକେଜ୍ ପ୍ରସ୍ତୁତି ଏବଂ ଉତ୍ତମ ଅଭ୍ୟାସ ପ୍ରଦର୍ଶନ କରାଯାଉଛି  ।  ପାଣି ପଞ୍ଚାୟତ ସ୍ତରରେ ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଉପଲବ୍ଧ କରାଇବା ପାଇଁ କଷ୍ଟମ ହାୟାରିଂ ସେଣ୍ଟର (ସିଏଚସି ) ବିକଶିତ କରାଯାଇଛି  ।

ଏହାବ୍ୟତୀତ  ମିନି ଡାଲି ମିଲ୍ସ, କ୍ଷୁଦ୍ର ତୈଳ ଘଣା  ୟୁନିଟ୍ ଏବଂ କ୍ଷୁଦ୍ର ଶସ୍ୟ (ମିଲେଟ୍ ) ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ  ସଶକ୍ତ କରାଯାଇଛି । ହାଇବ୍ରିଡ୍ ପନିପରିବା ଚାଷ କରାଯାଉଥିବା ଅଞ୍ଚଳକୁ ସମ୍ପ୍ରସାରିତ  କରାଯାଇଛି ଏବଂ ଛତୁ ଏବଂ ଭର୍ମି କମ୍ପୋଷ୍ଟ (ଜିଆଖତ) ୟୁନିଟ୍ ସ୍ଥାପନ କରାଯାଇ  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧି କରାଯାଇଛି । ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବା ପାଇଁ ସଂରକ୍ଷଣ ୟୁନିଟ୍ ଏବଂ ପ୍ୟାକ୍ ହାଉସ୍ ମଧ୍ୟ ବିକଶିତ କରାଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରକଳ୍ପ ରାଜ୍ୟର ୧୫ଟି ଜିଲ୍ଲାରେ ଥିବା କ୍ଷୁଦ୍ର ଜଳସେଚନ (ଏମଆଇ)ର ସେଚାଞ୍ଚଳରେ ଜଳବାୟୁ ସହନଶୀଳ  କୃଷି ଉତ୍ପାଦନ  ବୃଦ୍ଧି ଓ ଫସଲ ବିବିଧିକରଣକୁ ବ୍ୟାପକ କରିବାର ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମୁଖ୍ୟତଃ କୃଷି ବ୍ୟାପକକରଣ  ଓ କୃଷି ବିବିଧିକରଣ  ଏବଂ   ଜଳସେଚନର ଉପଯୁକ୍ତ ବ୍ୟବହାର କରି ଏହାର ଉପାଦକତା ବୃଦ୍ଧି, ସଂସ୍ଥାଗତ ଦକ୍ଷତା ବୃଦ୍ଧି ପୁର୍ବକ  କୃଷି, ଉଦ୍ୟାନ କୃଷି,  ମତ୍ସ୍ୟ ଚାଷ ଏବଂ  ଫଳଚାଷ ଆଦି  ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି । 

ପ୍ରକଳ୍ପ କାର୍ଯ୍ୟକଳାପ ମଧ୍ୟରେ  ଜଳ ଉପଲବ୍ଧତା ବୃଦ୍ଧି ଏବଂ ନିଶ୍ଚିତ ଜଳସେଚନ ଯୋଗାଣ ପାଇଁ ଟାଙ୍କି ବା ପୋଖରୀ  ବ୍ୟବସ୍ଥାର ଉନ୍ନତି, ପାଣି ପଂଚାୟତ ତଥା  ହିତାଧିକାରୀମାନଙ୍କୁ  ମୁଖ୍ୟତଃ ଜଳବାୟୁ ସ୍ମାର୍ଟ କୃଷି ଅଭ୍ୟାସ ପ୍ରଦର୍ଶନ, କୃଷକ ଏବଂ ଅନ୍ୟ ଅଣ-କୃଷକଙ୍କ ଦକ୍ଷତା ବୃଦ୍ଧି, କୃଷି ଜାତ ଦ୍ରବ୍ୟର ମାର୍କେଟିଂ ସୁବିଧା  ଇତ୍ୟାଦି ଅନ୍ତର୍ଭୁକ୍ତ । 

Latest news