ଭୁବନେଶ୍ୱର / ମୋ ଟିଭି ଓଡିଶା : ୦୪/୧୧/୨୪
କଳିଙ୍ଗ ଯୁଧ୍ୟର ମୁକ ସାକ୍ଷୀ ଧଉଳି ଶାନ୍ତି ସ୍ତୁପ । ଏହାକୁ ପୂରିଛି ୫୨ ବର୍ଷ । କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ବାରା ଆୟୋଜିକ ୫୨ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧଉଳି ପାହାଡ଼ ଓଡ଼ିଶା ଇତିହାସର ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ଶୌର୍ଯ୍ୟ, ସାହସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି।

ଏହି ଅବସରରେ ଧଉଳିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଓଡ଼ିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ l ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ। ଆଜିକୁ ୫୨ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୂପ। ସେବେଠାରୁ ଆଜିପର୍ଯ୍ୟନ୍ତ ଏହା ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି। ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା। ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରାଙ୍କୁ ଏଠାରୁ ସିଂହଳ ପଠାଇଥିବା ବିଶ୍ବାସ କରାଯାଏ। ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ଖଣ୍ଡଗିରିରେ ବୌଦ୍ଧ ବିହାର, ଗୁମ୍ଫା ଓ ଭଗ୍ନାବଶେଷ ଆଜି ମଧ୍ୟ ଦେଖିବାକୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକଗୁଡ଼ିଏ ସ୍ତୂପ ଏବଂ ଶିଳାସ୍ତମ୍ଭ ନିର୍ମାଣ କରିଥିଲେ। ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକ ଆସନ୍ତି ସେମାନେ ଧଉଳିର ଏହି ଶାନ୍ତିସ୍ତୂପରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ବର ଅନୁଭବ ନେଇ ଫେରନ୍ତି। ଧଉଳି ଶାନ୍ତିସ୍ତୂପ ସମେତ ଆମର ସବୁ ଐତିହ୍ୟ ସ୍ଥଳୀଗୁଡ଼ିକର ବିକାଶ ପାଇଁ ସମନ୍ବିତ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ବିଶିଷ୍ଟ ବୌଦ୍ଧ ସନ୍ୟାସୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତିସ୍ତୂପର ଏକ ସ୍ମାରକୀ ପ୍ରଦାନ କରି ସେ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ନିପନ ବୁଦ୍ଧ ସଂଘର ସଂଯୋଜକ ରବି ମହାରଣା ସମସ୍ତଙ୍କୁ ସ୍ବାଗତ କରିଥିଲେ। ଉପସଭାପତି ହରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।