ମୋ ଟିଭି ଓଡିଶା / ଖୋର୍ଦ୍ଧା :
ବ୍ରାଣ୍ଡେଡ୍ କମ୍ପାନି ନାଁରେ ନକଲି ତରଳ ୟୁରିଆ ତିଆରି କରି ବଜାରକୁ ଛଡ଼ାଯାଉଥିଲା। ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଚଢ଼ଉ କରି ଏହାର ପର୍ଦ୍ଦାଫାସ କରିବା ସହ ଖୋର୍ଦ୍ଧା ଓ କଟକ ଜଗତ୍ପୁରରୁ ୬ ହଜାର ୬୮୦ ଲିଟର ନକଲି ଜବତ କରିଛି| ଏଥିରେ ସଂପୃକ୍ତ ଫ୍ୟାକ୍ଟ୍ରିର ମାଲିକ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ମହାନଦୀ ବିହାରର ଶିବଚରଣ ସିଂହ, କଟକ ଗତିରାଉତ ପାଟଣାର ଗାଡ଼ି ଚାଳକ ତ୍ରିଲୋଚନ ବେହେରା ଓ ଖୋର୍ଦ୍ଧା ଆଦର୍ଶ ଥାନା ତୋଟାପଡ଼ାର ଚା’ ଦୋକାନୀ ଏସ୍କେ ଜୁନୈଦ୍ ଅଲ୍ଲୀ (୩୨)ଙ୍କୁ ପୁଲିସ ଗିରଫ କରିଛି। ତରଳ ୟୁରିଆର ଆବଶ୍ୟକତା ବିଏସ୍- ୬ ମଡେଲ୍ର ବଡ଼ଯାନ ପାଇଁ ନିହାତି ଲୋଡ଼ା। ପ୍ରାୟ ପ୍ରତି ଦୁଇ ହଜାର କିଲୋମିଟରରେ ତରଳ ୟୁରିଆ ଗାଡ଼ିକୁ ନଦେଲେ ଗାଡିର ଇଞ୍ଜିନ୍ ଓ କାର୍ଯ୍ୟଦକ୍ଷତା ପ୍ରଭାବିତ ହୁଏ | ଟାଟାଠୁ ଆରମ୍ଭ କରି ମହିନ୍ଦ୍ରା ଯାଏ, ସବୁ କମ୍ପାନି ନିଜ ନିଜର ତରଳ ୟୁରିଆ ତିଆରି କରି ମାର୍କେଟ୍ରେ ବିକ୍ରିବଟା କରୁଛନ୍ତି | ମାତ୍ର ମହାନଦୀ ବିହାରର ଅଭିଯୁକ୍ତ ଶ୍ରୀ ସିଂହ ଅସଲି ବ୍ରାଣ୍ଡ୍ରେ ନକଲି ଛାଡୁଥିଲେ |

ସୂଚନା ପାଇ ଟାଟା କମ୍ପାନିର ଲିଗାଲ୍ ଅଫିସର ରାଜେଶ ରବି ଦାସ (୩୯) ଖୋର୍ଦ୍ଧା ଥାନାରେ ଲିଖିତ ଅଭିଯୋଗ କରିବା ସହ ଖୋର୍ଦ୍ଧା ତୋଟାପଡ଼ା ଅଞ୍ଚଳର ଚା’ ଦୋକାନୀ ଜୁନୈଦ୍ ଅଲ୍ଲୀ ନକଲି ଜିନିଷ ବିକ୍ରି କରୁଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ତୋଟାପଡ଼ାରେ ଚଢ଼ଉ କରି ୬୪ ବାଲ୍ଟି ତରଳ ୟୁରିଆ ଜବତ କରିଥିବା ବେଳେ କଟକ ଜଗତପୁର ଇମାମ୍ ନଗରରେ ରାତିଅଧିଆ ଚଢ଼ଉ କରି ସେଠାରୁ ଆଉ ୨୭୦ ବାଲ୍ଟି ତରଳ ୟୁରିଆ କବିତ କରିଛି ତା’ ସହିତ ୪୦ଟି ଖାଲି ବାଲ୍ଟି, ୫୦୦ ଲିଟର ବିଶିଷ୍ଟ ଦୁଇଟି ସିଟାକ୍ସ ଟାଙ୍କି, ଜାଲ୍ ଜିନିଷ ଚାଲାଣ କରୁଥିବା ଏକ ପିକ୍ଅପ୍ (ଓଡି ୦୫ୱାଇ-୮୮୧୭) ଜବତ ହୋଇଛି। ଏ ନେଇ ଆଜି ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ତିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି |
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।