January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ ବୋଲି ଆଇନ ମନ୍ତ୍ରୀଙ୍କ ସୂଚନା । ହବିଷ୍ୟାଳୀ ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ସରକାର ।

ମୋ ଟିଭି ଓଡିଶା / ଭୁବନେଶ୍ୱର :

ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଅନେକ ଶ୍ରଦ୍ଧାଳୁ ଅର୍ଥାଭାବ ହେଉ କି ଅନ୍ୟ କୌଣସି କାରଣରୁ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥାଆନ୍ତି। ହେଲେ ଆଗାମୀ ଦିନରେ କୌଣସି ଶ୍ରଦ୍ଧାଳୁ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ କୁଡ଼ୁଆ ମାଗଣାରେ ଯୋଗାଇଦେବାକୁ ଯୋଜନା କରିଛନ୍ତି ସରକାର।

ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ। ଏଥିପାଇଁ ବାର୍ଷିକ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଏହି ଖର୍ଚ୍ଚ ଭାର ରାଜ୍ୟ ସରକାରଙ୍କ ଉପରେ ଯେପରି ନ ପଡ଼ିବ ସେଥିପ୍ରତି ବ୍ୟବସ୍ଥା ହେବ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ମାଗଣା ମହାପ୍ରସାଦ ବୋଲି ପୂର୍ବରୁ ଅଗଷ୍ଟ ମାସରେ କହିଥିଲେ ଆଇନମନ୍ତ୍ରୀ । ଦୈନିକ ପ୍ରାୟ ୮୦ ହଜାରରୁ ଏକ ଲକ୍ଷ ଭକ୍ତଙ୍କ ପାଇଁ ମାଗଣା ଅବଢା ଯୋଗାଇବା ଦିଗରେ ବିଚାରବିମର୍ଶ ଜାରି ରହିଛି । ଏଥିପାଇଁ ଦାତାମାନଙ୍କ ସହ ଆଲୋଚନା କରାଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତକାଲି ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଥିଲେ ।

ମନ୍ତ୍ରୀ କହିଥିଲେ, ଏଣିକି ରଥ ନିର୍ମାଣ କରୁଥିବା ସେବକଙ୍କୁ ରାଜ୍ୟ ସରକାର ରଥଯାତ୍ରା ପରେ ପ୍ରତି ବର୍ଷ ସମ୍ବର୍ଦ୍ଧିତ କରିବେ । ଆସନ୍ତାବର୍ଷଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅୟୋଜନ କରାଯିବ । ପୂଜ୍ୟପୂଜାର ସମ୍ମାନ ହେଉଛି ଆମ ମାଟିର ସଂସ୍କୃତି । ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କରୁଛନ୍ତି ସେହି ସେବକଙ୍କୁ ସମ୍ମାନ ଦେବା ନିଶ୍ଚିତ ବହୁତ୍ ଗର୍ବର ବିଷୟ ।

Latest news