ବାଲୁଗାଁ : ୩୧/୦୮ : ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାତଃ କାଳରେ ରାମଧୁନ ଗାନ କରିବାସହ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପରେ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସମସ୍ତ କର୍ମଚାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟମାନେ ପ୍ରଭାତଫେରୀ କରି ଗାନ୍ଧିଛକ ନିକଟ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏନଏସି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଓ ସମ୍ପର୍କୀୟ,ଜରାନିବାସ ଅନ୍ତେବାସୀ ମାନଙ୍କୁ ଫଳ, କ୍ଷୀର ପ୍ୟାକେଟ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା।ଅପରାହ୍ନରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟ ସଭା ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସ୍ୱଚ୍ଛ ସାଥି, କର୍ମଚାରୀଙ୍କ ସମେତ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।
ଏନଏସି ଅନ୍ତର୍ଗତ ୧୧ ଟି ୱାର୍ଡର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଏନଏସିକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ସଭା ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।