ବଢ଼ିଲା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅଡୁଆ । ଗିରଫ ହୋଇପାରନ୍ତି ହସିନା । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଢାକାର ଗୋଟିଏ କୋର୍ଟ ଦ୍ୱିତୀୟ ଥର ପାଇଁ ଗିରଫ ପରୱାନା ଜାରି କରିଛନ୍ତି। ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ବଳପୂର୍ବକ ଲୋକଙ୍କୁ ଗାଏବ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଭୀଷଣ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା।
ଏହି ଆନ୍ଦୋଳନ ଭୟଙ୍କର ରୂପ ନେବାରୁ ୭୭ ବର୍ଷୀୟ ହସିନା ବାଂଲାଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ତାଙ୍କ ନାଁରେ ମାନବିକତା ବିରୋଧୀ ଅପରାଧ ମାମଲା ରହିଥିଲା। ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ(ଆସିଟି)ର ମୁଖ୍ୟ ଓକିଲ ତଜୁଲ ଇସଲାମ କହିଛନ୍ତି, ଏବେ ବଳପୂର୍ବକ ଲୋକଙ୍କୁ ଗାଏବ କରିବା ମାମଲାରେ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ହସିନା ୧୫ ବର୍ଷ ଧରି ବାଂଲାଦେଶରେ ଶାସନ କରିଥିଲେ। ଏହି ସମୟରେ ସେ ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅପହରଣ କରିଥିଲେ। ଏହାପରେ ସେମାନଙ୍କୁ ଗୁପ୍ତ ଠିକଣାରେ ରଖାଯାଇଥିଲା। ଏହି ଘଟଣାରେ କୋର୍ଟ ଶେଖ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ହସିନାଙ୍କ ପ୍ରତିରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ଅଧିକାରୀ ଓ ଅନ୍ୟ ସୁରକ୍ଷା ଏଜେନ୍ସିର ଅଧିକାରୀଙ୍କ ନାଁ ରହିଛି ବୋଲି ଇସଲାମ କହିଛନ୍ତି।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।