ମୋ ଟିଭି ଓଡିଶା ବ୍ୟୁରୋ :
ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ହେରା ପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୁଏ I ଏହି ଉତ୍ସବ କୁ ଲକ୍ଷ୍ମୀ ବିଜୟ ଉତ୍ସବ ମଧ୍ୟ କୁହାଯାଏ I
ଏହିଦିନ ଶ୍ରୀମନ୍ଦିର ଭଣ୍ଡାରଘରେ ବିଜେ କରିଥିବା ଠାକୁରାଣୀଙ୍କ ମାଜଣା, ବନକଲାଗି, ପାଟ, ଅଳଙ୍କାର ଲାଗି ପରେ ପନ୍ତିଭୋଗ ହୁଏ I ମା ଲକ୍ଷ୍ମୀ ପାଲିଙ୍କିରେ ବସି ସିଂହଦ୍ୱାର ଦେଇ ବଡଦାଣ୍ଡ ବାଟେ ଗୁଣ୍ଡିଚା ଘର ରଥପାଖକୁ ଯାଆନ୍ତି I ଘଣ୍ଟା, କାହାଳି, ଵାଦ୍ୟରେ ସମଗ୍ର ପରିବେଶଟି ମୁଖରିତ ହୁଏ I
ବିଧି ପରମ୍ପରା ପୂର୍ବକ ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ।
ମା ମହାଲକ୍ଷ୍ମୀଙ୍କ ବିମାନଟି ଜଗମୋହନରୁ ନାକଚଣା ଦୁଆର ଦେଇ ଗଲାବେଳେ ତେନ୍ତୁଳୀଗଛ ମୂଳେ ପୂଜା ବନ୍ଦାପନା ହୁଏ I ଏହା ପରେ ମା ଲକ୍ଷ୍ମୀଙ୍କ ବିମାନ ଶ୍ରୀ ଜଗନ୍ନାଥ ଙ୍କ ରଥପାଖକୁ ନିଆଯାଏ I ସେଠାରେ ମା ରଥ ଭାଙ୍ଗନ୍ତି I ମା ଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ଚାଲେ I
ମା ଲକ୍ଷ୍ମୀ ରଥ ଭାଙ୍ଗିବାର କାରଣ ହେଲା ତାଙ୍କୁ ସାଙ୍ଗରେ ନ ନେଇ ମହାପ୍ରଭୁ ଭଉଣୀ ଶୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା କରନ୍ତି I ତେଣୁ ମା ରାଗରେ ରଥର କିଛି ଅଂଶ ଭାଙ୍ଗି ଦିଅନ୍ତି I ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ବୁଲି ଯାଇଥିବାରୁ ଏହା ହେରା ପଞ୍ଚମୀ ଭାବରେ ଖ୍ୟାତ I ହେରା ର ଅର୍ଥ ହେଲା ଦର୍ଶନ କରିବା ବା ଦେଖିବା I ଏହି ଦିନ ମା ଲକ୍ଷ୍ମୀ ଜଗନ୍ନାଥ ଙ୍କୁ ଦର୍ଶନ କରିଥିବାରୁ ଏହିଦିନଟିକୁ ହେରାପଞ୍ଚମୀ କୁହାଯାଏ I
ପୌରାଣିକ ମତ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥଯାତ୍ରା ଦିନ ଗୁଣ୍ଡିଚା ଘର କୁ ଯାତ୍ରାକରିବା ପରେ ଲକ୍ଷ୍ମୀଙ୍କ ମନରେ ଦୁଃଖ ହେଲା I ନିଜ ମନର ଦୁଃଖ ବା ବ୍ୟଥା କୁ ସେ ମା ବିମଳା ଙ୍କ ପାଖରେ ପ୍ରକାଶ କଲେ I ମା ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଲେ I ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବାକୁ ମା ବିମଳା କହିବାରୁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଠାକୁରଙ୍କ ଦର୍ଶନ ପାଇଁ ଗୁପ୍ତରେ ଗୁଣ୍ଡିଚା ମନ୍ଦିରକୁ ଗଲେ I ମୋହ ଅଂଜନରେ ପ୍ରଭୁଙ୍କୁ ମୁଗ୍ଧ କଲେ I ଯାହାଫଳରେ ପ୍ରତ୍ୟାଗମନ ପାଇଁ ରଥକୁ ଦକ୍ଷିଣାଭିମୁଖ କରାଯିବାକୁ ଆଦେଶ ଦିଆଗଲା I
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।