MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ନିଷ୍ପତ୍ତି; ପାୱାର କରିଡରରୁ ବିଦା ହେଲେ ନବୀନ ସରକାରର ୩ ବଡ଼ବାବୁ

ମୋ ଟିଭି ଓଡିଶା / ଭୁବନେଶ୍ୱର :

କ୍ଷମତାକୁ ଆସିବା ପରେ ମୋହନ ସରକାର ପ୍ରଥମ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ବିଜେଡି ସରକାରରେ ବର୍ଷ ବର୍ଷ ଧରି ଗାଦିମାଡି ବସିଥିବା ପାଓ୍ବାଲଫୁଲ ବାବୁଙ୍କୁ ବିଜେପି ସରକାରରେ ବାଜିଛି ଛାଟ । ନବୀନ ସରକାରରେ ଗେହ୍ଲା ପୁଅ ସାଜିଥିବା କିଛି ଅଫିସର ମୋହନ ସରକାରରେ ଲୋକସେବା ଭବନରୁ ବିଦା ହୋଇଛନ୍ତି । ନବୀନ ସରକାରରେ ପାୱାର କରିଡରର ନିକଟତର ଥିବା ୩ ବରିଷ୍ଠ ଅଧିକାରୀ ଆଇଏଏସ ଜି.ମାଥିଭାଥାନନ, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ବଦଳି କରାଯାଇଛି । ପୂର୍ବରୁ କୋଣଠେସା ହୋଇଥିବା ଦକ୍ଷ ଆଇଏଏସ ଅଫିସରଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତି ଅନୁସାରେ 1993 ବ୍ୟାଚର ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ନିକୁଞ୍ଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଇଏଏସ ହେମନ୍ତ ଶର୍ମା ଏବେ ଇଡକୋ ଅଧ୍ୟକ୍ଷ ଅଛନ୍ତି । ସେହି ବ୍ୟାଚର ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । 2021 ଜୁଲାଇ ମାସରୁ ସେ ଏହି ଦୁଇଟି ବିଭାଗ ଦାୟିତ୍ୱରେ ଅଛନ୍ତି । ସେହିପରି 1995 ବ୍ୟାଚର ଆଇଏଏସ ତଥା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ଶିଳ୍ପ ଓ ଏମଏସଏମଇ ବିଭାଗର ସହ ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । 1996 ବ୍ୟାଚର ଆଇଏଏସ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ସେ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ସେହି ବ୍ୟାଚର ଆଇଏଏସ ଉଷା ପାଢ଼ୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି । ସେ ପୂର୍ବ ପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ତୁଲାଇବେ ।

1994 ବ୍ୟାଚ ଆଇଏଏସ ଜି.ମାଥିଭାଥାନନଙ୍କୁ ବଡ଼ ଝଟକା ଦେଇଛନ୍ତି ମୋହନ ସରକାର । ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି । ନବୀନ ସରକାରରେ ଗେହ୍ଲା ପୁଅ ଥିବା ମାଥିଭାଥାନନ ପ୍ରାୟ 10 ବର୍ଷରୁ ଅଧିକ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି । ଗୋଟିଏ ପଦରେ 3 ବର୍ଷ ରହିବାର ପ୍ରାବଧାନ ଥିବାବେଳେ ସେ ଗୋଟିଏ ବିଭାଗରେ ଦଶନ୍ଧି ଧରି କାର୍ଯ୍ୟ କରିବାକୁ ନେଇ ବିରୋଧୀ ଦଳରେ ଥିବାବେଳେ ବିଜେପି ବିଭିନ୍ନ ସମୟରେ ପ୍ରଶ୍ନ ଉଠାଉଥିଲା । ସରକାରକୁ ଆସିବା ପରେ ତାଙ୍କୁ ବଦଳି କରାଯାଇଛି । ସେ ସଂସଦୀୟ ବ୍ୟାପାର ବିଭାଗର ସଚିବ ମଧ୍ୟ ମଧ୍ୟ ଥିଲେ । ଏବେ ଉନ୍ନୟନ କମିଶନର ଅନୁ ଗର୍ଗ ଅତିରିକ୍ତ ଭାବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି ।

ନବୀନ ସରକାରର ଆଉ ଜଣେ ଗେହ୍ଲା ପୁଅ 1996 ବ୍ୟାଚର ଆଇଏଏସ ବିଶାଳ କୁମାର ଦେବଙ୍କୁ ଅର୍ଥ ଓ ଶକ୍ତି ବିଭାଗରୁ ହଟାଇ ଦିଆଯାଇଛି । ସେ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସେହିପରି ସେ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । 1999 ବ୍ୟାଚର ଆଇଏଏସ ଭାସ୍କର ଜ୍ୟୋତି ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । ସେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା 2005 ବ୍ୟାଚର ଆଇଏଏସ ଆର ଭିନିଲ କ୍ରିଷ୍ଣାଙ୍କୁ ମଧ୍ୟ ବଦଳି କରାଯାଇଛି । ସେ ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ଥିବାବେଳେ ଏଥିରୁ ହଟାଇ ତାଙ୍କୁ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ଅବସ୍ଥାପିତ କରିଛନ୍ତି ମୋହନ ସରକାର । ଉକ୍ତ ପଦବୀକୁ ରାଜ୍ୟ ସରକାର ଓଡ଼ିଶା ଆଇଏଏସ କ୍ୟାଡ଼ରରେ ସଚିବ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ଖୁବଶୀଘ୍ର ଆଇଏଏସ ସ୍ତରରେ ଆଉ ଏକ ବଡ଼ଧରଣର ଅଦଳବଦଳ କରିବାକୁ ଯାଉଥିବା ଆଭାସ ମିିଳିଛି । ନବୀନ ସରକାରରେ ପାୱାର ଫୁଲ ଥିବା ଆଉ କିଛି ଅଫିସରଙ୍କୁ ମଧ୍ୟ ବଦଳି କରାଯିବ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।