କଳାହାଣ୍ଡି:୨୦/୦୪: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ୱ ଗ୍ରାମ,ତେବେ ଏହି ଗ୍ରାମ ର ଭୋଟର ପ୍ରତିବର୍ଷ ପୂର୍ବରୁ ଗ୍ରାମ ରୁ ୮ କିମି ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ମତଦାନ କେନ୍ଦ୍ରକୁ ଭୋଟ ଦେବାପାଇଁ ଯାଉଥିଲେ। ଏନେଇ ସିର୍ଲିଗୁଡା ଗ୍ରାମବାସୀ ମାନେ ଦିର୍ଘ ବର୍ଷରୁ ନିଜ ଗାଁ ରେ ମତଦାନ କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ହେଲେ ଗ୍ରାମବାସୀ ଙ୍କ ଦାବି କୁ ଅଣଦେଖା କରି ଚଳିତ ନିର୍ବାଚନରେ ପ୍ରଶାସନ ସିର୍ଲିଗୁଡାର ହେମଲେଟ ଗ୍ରାମ ଅଁଳାଗୁଡା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରିଛନ୍ତି ଓ ଯାହାକୁ ବିରୋଧ କରି ପ୍ରଶାସନକୁ ଭୋଟ ବର୍ଜ୍ଜନ ପାଇଁ ଲିଖିତ ଅଭିଯୋଗ ସହ ଗ୍ରାମରେ ବୈଠକ କରି ଚରମ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ।
ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା,କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଥାନା ଅଧିକାରିଣୀ ରନିତା ପ୍ରଧାନ ସିର୍ଲିଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଡାକି ଆଲୋଚନା କରିଥିଲେ ଓ ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ବର୍ତ୍ତମାନ ସ୍ଥିତିରେ ପୂରଣ କରିବା ସମ୍ଭବ ନୁହେଁ।
ଆଗାମୀ ସମୟରେ ସିର୍ଲିଗୁଡା ଠାରେ ମତଦାନ କେନ୍ଦ୍ର କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯିବ ବୋଳି ପ୍ରଶାସନିକ ଅଧିକାରୀ ମାନେ କହିଥିଲେ। ନାଗରିକ ହିସାବରେ ନିକଟସ୍ଥ ଅଁଳାଗୁଡା ମତଦାନ କେନ୍ଦ୍ରରେ ଭୋଟ ଦେବାକୁ ବୁଝାଇବା ପରେ ମଧ୍ୟ ଗ୍ରାମବାସୀ ମାନେ ନିଜ ଜିଦରେ ଅଡ଼ି ରହି ନୋ ବୁଥ ନୋ ଭୋଟ ବୋଳି ପ୍ରଶାସନକୁ ନିଜର ନିଷ୍ପତ୍ତି ଶୁଣାଇବା ସହ ଭୋଟ ବର୍ଜ୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଆଲୋଚନା ସମୟରେ ସିର୍ଲିଗୁଡା ଗ୍ରାମର ଚନ୍ଦ୍ର ଶେଖର ସୁନାନୀ, ଧନେଶ୍ୱର ମହାନନ୍ଦ, ପୁରୁଷୋତ୍ତମ ସୁନାନୀ, ବସନ୍ତ ନାଗ, ଭୂଷଣ ମହାନନ୍ଦ, ସମେତ ଶତାଧିକ ଗ୍ରାମବାସୀ ଓ ମହିଳା ମାନେ ଉପସ୍ଥିତ ରହିଥିଲେ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।