ରାଉରକେଲା, ୨୧ ନଭେମ୍ବର ୨୦୨୪:
ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସହରରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ ଓ ରାସ୍ତା ପାର୍ଶ୍ଵ ଖାଦ୍ୟ ତିଆରି ଦୋକାନ ଗୁଡ଼ିକରେ ନିୟମିତ ଭାବେ ଚଢ଼ାଉ କରାଯିବା ସହ ଖାଦ୍ୟର ମାନ ଓ ଗୁଣବତ୍ତା ପରୀକ୍ଷଣ କରାଯାଉଛି।

ଏହି କ୍ରମରେ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ଅଭିଯୋଗରେ ଗୁରୁବାର ଦିନ ରାଉରକେଲା ମହାନଗର ନିଗମ ତରଫରୁ ସେକ୍ଟର ୪ ସ୍ଥିତ ମଧୁବନ ରେସ୍ତୋରାଁକୁ ସିଲ୍ କରାଯାଇଛି। ଏଥିସହ ସମ୍ପୃକ୍ତ ରେସ୍ତୋରାଁର ଖାଦ୍ୟ ପଦାର୍ଥର ନମୁନା ସଂଗ୍ରହ କରାଯାଇ ଏହାର ମାନ ପରୀକ୍ଷା ପାଇଁ ଭୁବନେଶ୍ଵର ସ୍ଥିତ ରାଜ୍ଯ ପରୀକ୍ଷାଗାରକୁ ପଠାଯାଇଛି।

ସୂଚନାଯୋଗ୍ୟ ଯେ, ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ଅଭିଯୋଗ ଆସିବା ପରେ ରୋଷେଇ ଗୃହରେ ସ୍ଵଚ୍ଛତା ତଥା ପରିଷ୍କାର, ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ସମ୍ପୃକ୍ତ ରେସ୍ତୋରାଁକୁ ଆରଏମସି ତରଫରୁ ନୋଟିସ ଜାରି କରାଯାଇଥିଲା । ତିନିଥର ନୋଟିସ୍ ପାଇବା ସତ୍ତ୍ଵେ ଏ କ୍ଷେତ୍ରରେ ରେସ୍ତୋରାଁର ମାଲିକ କୌଣସି ବିହିତ ପଦକ୍ଷେପ ଗ୍ରହଣ କରିନଥିବାରୁ ଆରଏମସି ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଫଳସ୍ଵରୂପ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ମଧୁବନ ରେସ୍ତୋରାଁକୁ ସାତ ଦିନ ପାଇଁ ସିଲ୍ କରାଯାଇଛି। କାର୍ଯ୍ୟନିର୍ବାହୀ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ବିକାଶ ଭୋଇଙ୍କ ସହ ଆରଏମସିର ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ସ୍ଵାଗତିକା ବେହେରା, ଦୀକ୍ଷା ଦେ ଓ ମୋନାଲିସା ଟପ୍ପୋ ଏବଂ ପୁଲିସ ଅଧିକାରୀ ପ୍ରମୁଖ ପହଂଚି ଉକ୍ତ ରେସ୍ତୋରାଁଟିକୁ ସିଲ୍ କରିଥିଲେ ।

ଆଗାମୀରେ ଯଦି ହୋଟେଲ, ରେସ୍ତୋରାଁ ଓ ରାସ୍ତା କଡ଼ରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୋକାନ ଗୁଡିକ ନିମ୍ନମାନର ତଥା ଅପମିଶ୍ରିତ ଖାଦ୍ୟ ବିକ୍ରୟ କିମ୍ବା ଖାଦ୍ୟ ପ୍ରସ୍ତୁତି ସମୟରେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମ ତରଫରୁ ସୂଚନା ଦିଆଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।