ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମନମୋହନଙ୍କୁ ସଲାମୀ ଦେଲେ ତିନି ସେନା । ନିଗମବୋଧ ଘାଟରେ ଶେଷ ଦର୍ଶନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ।
ରାଷ୍ଟ୍ରପତି ଦୌପଦୀ ମୁର୍ମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ଭୁଟାନ ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚକ୍ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଆଜି ସକାଳ ସମୟରେ ମନମୋହନଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏହାପରେ କଡା ସୁରକ୍ଷା ମଧ୍ୟରେ ନିଗମବୋଧ ଘାଟ ଅଭିମୁଖେ ଅନ୍ତିମ ଯାତ୍ରାରେ ବାହାରିଥିଲା ମନମୋହନଙ୍କ ମରଶରୀର । ସେଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା, ପ୍ରତିରକ୍ଷା ମନ୍ତ୍ରୀ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧି ଶେଷ ଦର୍ଶନ କରିଥିଲେ । ଆମେରିକା, ଫ୍ରାନ୍ସ ଓ ଋଷିଆର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଶିଖ ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର କରାଯାଇଛି । ମନମୋହନ ସିଂଙ୍କ ପତ୍ନୀ ଗୁରୁଶରନ କୌର ଏବଂ ତାଙ୍କ ଝିଅ ଦାମନ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶେଷ ଦର୍ଶନ କରିବା ପାଇଁ ନିଗମବୋଧ ଲୋକାରଣ୍ୟ ହୋଇଥିଲା । ତାଙ୍କର ପରିବାର, ବନ୍ଧୁ, ପ୍ରିୟଜନ, ରାଜନେତା ସମସ୍ତେ ଉପସ୍ଥିତ ଥିଲେ । ଶିଖ ରିତୀନୀତିରେ ଶେଷକୃତ୍ୟ କରାଯାଇ ମୁଖାଗ୍ନି ଦିଆଯାଇଥିଲା । ଆଜି ମନମୋହନ ସିଂହ ନାହାନ୍ତି ସତ କିନ୍ତୁ ଦେଶପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ମୋ ଟିଭି ଓଡିଶା, ନୂଆଦିଲ୍ଲୀ
More Stories
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ।
ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ।
କାଉଡୋଳା ନିକଟରେ କାର ଦୁର୍ଘଟଣା ଶିଶୁ ସମେତ ୩ ଗୁରୁତର।