ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଅୟୋଜିତ ହେବ। ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ମେଳା, ପଥ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି। ଏହାସହିତ ରାତ୍ରିକାଳୀନ ବଜାର ସୁବିଧା ମଧ୍ୟ ଉପଲବ୍ଧ ହେବ ।ଶନିବାର ଲୋକସେବା ଭବନରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା।
ଏଥିରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜନର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ସଚିବମାନଙ୍କ ସହ ବିଚାରବିମର୍ଶ ହୋଇଛି। ପ୍ରବାସୀ ଭାରତୀୟ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କେଉଁମାନେ ଅଂଶଗ୍ରହଣ କରିବେ ତାହା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚୂଡ଼ାନ୍ତ ହୋଇଛି।
ଜାନୁଆରୀ ୭ରୁ ୧୧ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମ୍ୟୁଜିକ୍ ଫେଷ୍ଟିଭାଲ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓ ଏକାମ୍ର କାନନଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଜାନୁଆରୀ ୮ରେ ସାଂସ୍କୃତିକ ଫ୍ୟୁଜନ୍ ନୃତ୍ୟ ପରିବେଷଣ, ଜାନୁୟାରୀ ୫ରୁ ୧୫ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳା, ୬ରୁ ୧୨ତାରିଖ ପର୍ଯ୍ୟନ୍ତ ଚିଲିକା ପକ୍ଷୀ ଉତ୍ସବ, ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଖାଦ୍ୟ ମେଳା, ପଥ ଉତ୍ସବ ଓ ରାତ୍ରିକାଳୀନ ବଜାର ଅନୁଷ୍ଠିତ ହେବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ଅବସରରେ ପ୍ରାଚୀନରୁ ଆଧୁନିକ ପର୍ଯ୍ୟନ୍ତ ଓଡ଼ିଶାର ଗୌରବ(ଗ୍ଲୋରିୟସ୍ ଓଡ଼ିଶା ଫ୍ରମ ଆନସିଏଂଟ ଟୁ ମଡ଼ର୍ଣ୍ଣ) ଉପରେ ଆଧାରିତ ଓଡ଼ିଶା ଥିମ୍ ପାଭିଲିୟନ ଆୟୋଜିତ ହେବ। ଏହାର ରୂପରେଖ କିଭଳି ରହିବ ସେଥିପାଇଁ ପ୍ରସ୍ତୁତି ଜାରି ରହିଛି।
ଏହି ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଟ୍ରାଫିକ ନିୟନ୍ତ୍ରଣ, ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଜାରି ରହିଛି। ସେହିପରି ପ୍ରବାସୀ ଭାରତୀୟମାନେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବାକୁ ଥିବାରୁ ବିଶେଷକରି ଭୁବନେଶ୍ୱର, କଟକ ଓ ପୁରୀ ଆଦିରେ ଥିବା ୨୮ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସମାରୋହ ଆୟୋଜନ ସ୍ଥଳରେ ଓଡ଼ିଶା ପାଇଁ ଚିହ୍ନଟ କରାଯାଇଥିବା ୪୦ଟି ପ୍ରଦର୍ଶନୀ ଷ୍ଟଲ ରହିବ ବୋଲି ଜଣାପଡ଼ିଛି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।