MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆସନ୍ତା ୧୮ରେ ପକ୍ଷୀ ଓ ୨୦ରେ ଡ଼ଲଫିନ ଗଣନା

ଶୀତ ଅନୁଭୂତ ତଥା ପାଗ ଅନୁକୂଳ ରହିଥିବାରୁ ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି। ଆସନ୍ତା ୧୮ରେ ପକ୍ଷୀ ଓ ୨୦ରେ ଡ଼ଲଫିନ ଗଣନା ନେଇ ଗୁରୁବାର ଦିନ ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର (ସିଡିଏ) ସଭାଗୃହ ଠାରେ ପ୍ରେସ ବିବୃତିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।

ଭୂସ୍ବର୍ଗ ଚିଲିକାକୁ ଗତ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ କହିଛନ୍ତି।ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ରହିବେ ଏବଂ ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗ ଦେବେ।

ଏଥିସହିତ ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର,ସ୍ପୋଟିଂ ସ୍କୋପ, ୱାକିଟକି, ନୋଟ ବୁକ ବ୍ୟବହାର କରାଯିବ। ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି,ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ଜଙ୍ଗଲ ବିଭାଗ କର୍ମଚାରୀ,ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। ଗଣନା ସମୟରେ ଚିଲିକାରେ ମସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଥିବା ବେଳେ ଶୁକ୍ରବାର ଦିନ ପକ୍ଷୀ ଗଣନାକାରୀଙ୍କୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ରରେ ତାଲିମ ପ୍ରଦାନ କରାଯିବ।

ଉକ୍ତ ତାଲିମରେ ୧୩୦ ରୁ ଉର୍ଦ୍ଧ୍ବ ପକ୍ଷୀ ଗଣନା କାରୀ ସାମିଲ ହେଉଥିବା ବେଳେ ଜଙ୍ଗଲ,ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଏବଂ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେବା ନେଇ ଡ଼ିଏଫଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି।ସୂଚନା ଥାଉକି ଗତବର୍ଷ ଚିଲିକାକୁ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀଙ୍କ (୧୦୮ ପ୍ରଜାତିର ୧୦ଲକ୍ଷ ୯୮ ହଜାର ୮୧୩ ବିଦେଶୀ ପକ୍ଷୀ ଓ ୭୯ ପ୍ରଜାତିର ୩୮ ହଜାର ୯୪୬ ସ୍ଥାନୀୟ ପକ୍ଷୀ) ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଚିଲିକାରେ ବିରଳ ଇରାୱାଡି ପ୍ରଜାତିର ଓ ସାତପଡ଼ା ମୁହାଣରେ ବଟଲ ରୋଜ ପ୍ରଜାତିର ଡ଼ଲଫିନ ଦେଖିବାକୁ ମିଳିଥିବା ବେଳେ ଆସନ୍ତା ୨୦ ତାରିଖରେ ଡ଼ଲଫିନ ଗଣନା ଅନୁଷ୍ଠିତ ହେବ।କୁହୁଳା ପାଗ ପାଇଁ ଏହି ଗଣନା ୨୧ ତାରିଖରେ ମଧ୍ୟ ଜାରି ରହିବ। ଏଥିପାଇଁ ୧୯ରେ ଡ଼ଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ପୃଥକ ଭାବେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ।ଡ଼ଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହୋଇଛି।

ତନ୍ମଧ୍ୟରୁ ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।ସୂଚନା ଥାଉକି ଗତବର୍ଷ ୧୬୦ ରୁ ଉର୍ଦ୍ଧ୍ବ ଇରାୱାଡି ପ୍ରଜାତିର ଡ଼ଲଫିନ ଦୃଷ୍ଟି ଗୋଚର ହୋଇଥିବା ବେଳେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଡ଼ଲଫିନ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଅନୁଷ୍ଠିତ ବୈଠକରେ ଡ଼ିଏଫଓ ଅମ୍ଳାନ ନାୟକ,ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜର ରଶ୍ମିତା ଜେନା,ଏସିଏଫ ପ୍ରମୋଦ ସେଠୀ, ବୈଜ୍ଞାନିକ ଡ଼ ଆରଏମ ସାମଲ, ସିଡିଏ କର୍ତ୍ୟୁପକ୍ଷ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।