ଦାରିଙ୍ଗବାଡ଼ି,୧୧/୦୪(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଗତ ୨ ତାରିଖରେ ଅଯୋଧ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ ଓ ଜଣଙ୍କର ଫେରିବା ବାଟରେ ମୃତ୍ୟୁ ହୋଇଯାଇଥିଲା। ତେବେ ଆଜି ନିଖୋଜ ବ୍ୟକ୍ତି ଜଣକ ନିଜ ଗାଁରେ ପହଞ୍ଚିଛନ୍ତି। ସେ ବର୍ତ୍ତମାନ ଭୋକ ଉପାସରେ ଫେରିଥିବା ବେଳେ ତାଙ୍କ ନିକଟରେ ପଇସା ନ ଥିବାରୁ ହଟହଟା ହୋଇ ଭିକ୍ଷା କରି ଘରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ସିମନବାଡ଼ି ଅଞ୍ଚଳର ସୁଧାକର ଚୌଧୁରୀ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ବେଳେ ତାଙ୍କର ଅଯୋଧ୍ୟାରେ ଚପଲ ହଜିଯାଇଥିଲା। ଫଳରେ ନୂଆ ଚପଲ କିଣିବାକୁ ତାଙ୍କ ନିକଟରେ ପଇସା ନ ଥିଲା। ଖାଲି ପାଦରେ ଅଯୋଧ୍ୟାରୁ ସିମନବାଡ଼ି ପର୍ଯ୍ୟନ୍ତ ଆସିଥିବାରୁ ତାଙ୍କ ପାଦ ଗରମରେ ଜଳି ପୋଡ଼ି ଗୁରୁତର ହୋଇପଡ଼ିଛନ୍ତି। ଗୋଟିଏ ପଟେ ଭୋକ ଉପାସ ଅନ୍ୟ ପଟେ ଖାଲି ପାଦ ଯୋଗୁ ବୃଦ୍ଧ ଜଣକ ଘରକୁ ଗୁରୁତର ଅବସ୍ଥାରେ ପହଞ୍ଚିଛନ୍ତି। ପରିବାର ଲୋକ ସୁଧାକରଙ୍କୁ ପାଇ ଖୁସିରେ ବିଭୋର ହୋଇପଡ଼ିଛନ୍ତି।

ସୁଧାକରଙ୍କ କହିବା କଥା ସେ ୨ରେ ବିଶ୍ୱ ହିନ୍ଦୁ ପରିଷଦର କନ୍ଧମାଳ ପ୍ରାନ୍ତ ମନୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବାହାରିଥିଲେ। ଯାହା ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ତାଙ୍କୁ ମିଳି ନ ଥିଲା। ଅଯୋଧ୍ୟାରେ ତାଙ୍କୁ ୬ ତାରିଖରେ ଛାଡ଼ି ପଲେଇ ଆସିଲେ। ତାଙ୍କ ମୋବାଇଲ, ଟଙ୍କା ସବୁ ସେ ବସ୍ ଭିତରେ ରଖିଥିଲେ। ଫଳରେ ଘରକୁ ଯୋଗାଯୋଗ କରିବାକୁ କୌଣସି ସୁବିଧା ନ ଥିଲା। ସେପଟେ ତାଙ୍କ ନିକଟରେ ମାତ୍ର ୨ ଶହ ଟଙ୍କା ଥିଲା। ତାହା ଅଯୋଧ୍ୟାରେ ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେଶନ ଯାତାୟାତରେ ଖର୍ଚ୍ଚ ହୋଇଗଲା। ଖାଇବାକୁ ନିକଟରେ ଟଙ୍କା ଟିଏ ବି ନ ଥିଲା। ଓଡ଼ିଶା ଫେରିବାକୁ ତାଙ୍କୁ ରାସ୍ତା ଜଣା ନ ଥିଲା। କିଭଳି ସେ ତାଙ୍କ ଘରେ ପହଞ୍ଚିବେ ତାଙ୍କୁ ଭାଳେଣି ପଡ଼ିଥିଲା। ସେ ସଠିକ୍ ହିନ୍ଦୀ କି ଇଂରାଜୀ ଭାଷା ଜାଣନ୍ତି ନାହିଁ। ଫଳରେ ସେ ଟ୍ରେନ୍ କିମ୍ବା ବସ୍ରେ ଓଡ଼ିଶା ଆସିବା ମୁସ୍କିଲ ହୋଇଥିଲା। ବାରମ୍ବାର ପ୍ରାୟ ୧୫ରୁ ଊଦ୍ଧ୍ୱ ଟ୍ରେନ୍ ଓ ବସ୍ ପରିବର୍ତ୍ତନ କରି ନିଜ ଘରେ ପହଞ୍ଚିଥିଲେ। ଘରେ ଆସି ଖାଦ୍ୟ ଖାଇବା ପରେ ତାଙ୍କ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତାଙ୍କ ମାନସିକ ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି ବୋଲି ତାଙ୍କ ସାନ ପୁଅ ରାମାନନ୍ଦ ଚୌଧୁରୀ କହିଛନ୍ତି।ଏବଂ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ