January 22, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନଗେନ୍ କୁମାର ବାରିକଙ୍କୁ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ

ପ୍ରମୋଦ ପତି ଟ୍ରଷ୍ଟ ତଥା ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ଅନୁଷ୍ଠିତ ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ ପ୍ରମୋଦ ପତିଙ୍କ ୯୩ତମ ଜନ୍ମବାର୍ଷିକୀ ସମାରୋହ ଅବସରରେ ସୁବିଦିତ ଚଳଚିତ୍ର ଧ୍ଵନିବିତ ନଗେନ୍ କୁମାର ବାରିକଙ୍କୁ ‘ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ’ ପ୍ରଦାନ କରାଯାଇଛି । ଓଡ଼ିଆ ଚଳଚ୍ଚିତ୍ରର ସମୃଦ୍ଧି ତଥା କ୍ରମବିକାଶରେ ଯୋଗଦାନ ସହ ଭାରତୀୟ ଚଳଚ୍ଚିତ୍ର ଜଗତରେ ଷାଠିଏ ବର୍ଷର ଅବଦାନ ତଥା ଜୀବନ ବ୍ୟାପୀ ସାଧନା ପାଇଁ ସେ ସମ୍ମାନିତ ହୋଇଛନ୍ତି ।

ରାଜ୍ୟ ଅର୍ଥ ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ଡଃ ରବିନାରାୟଣ ସେନାପତିଙ୍କ ଅଧ୍ଯକ୍ଷତା ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଏକାମ୍ର ବିଧାୟକ ବାବୁ ସିଂହ ପ୍ରକାଶ କରିଥିଲେ ଯେ, ଭାରତୀୟ ଚଳଚ୍ଚିତ୍ର ଧାରାକୁ ନୂତନ ଦିଗ୍‌ଦର୍ଶନ ଦେବା ସହ ପ୍ରାମାଣିକ ଚଳଚ୍ଚିତ୍ରର ପରିଭାଷାକୁ ବଦଳାଇଦେଇଥିଲେ ପ୍ରକୀର୍ତୀତ ପ୍ରମୋଦ ପତି । ଅନ୍ୟତମ ସମ୍ମାନନୀୟ ଅତିଥି ତଥା ପ୍ରମୋଦ ପତିଙ୍କର ବ୍ୟକ୍ତିଗତ ବନ୍ଧୁ ଭାଷାବିତ୍ ତଥା ସମାଜବିଜ୍ଞାନୀ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପତିଙ୍କର ଅଭିନବ କଳାକୌଶଳ ସମ୍ବନ୍ଧୀୟ କୃତି ଉପରେ ଆଲୋକପାତ କରିଥିଲେ ।

ଏହି ସମ୍ମାନ ପ୍ରଦାନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବେନ୍ଦ୍ର ପ୍ରସାଦ ଦାଶ ପ୍ରମୋଦ ପତିଙ୍କ କାଳଜୟୀ କାଳଜୟୀ କୃତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା, ଲବ୍‌ଧପ୍ରତିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଶେଖର ଖଟୁଆ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ଯେ, ପତିଙ୍କର ବୌଦ୍ଧିକ ଉତ୍‌ତରଣ ସମ୍ବଳିତ ନବଚେତନାତ୍ମକ ଚଳଚ୍ଚିତ୍ର ଆଜି ବି ସମସ୍ତଙ୍କୁ ଉଦ୍‌ବୁଦ୍ଧ କରିଥାଏ । ଭାରତୀୟ ଫିଲ୍ମ ସେନ୍ସର ବୋର୍ଡର ପୂର୍ବତନ ଆଂଚଳିକ ମୁଖ୍ୟ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ସାମାଜିକ ପରିବର୍ତନକୁ ପ୍ରୟୋଗାତ୍ମକ ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥାପିତ କରି ପ୍ରମୋଦ ପତି କୀର୍ତ୍ତି ମାନ ସ୍ଥାପନ କରି ଯାଇଛନ୍ତି | ଚଳଚ୍ଚିତ୍ର ନିର୍ମାତା ଘନଶ୍ୟାମ ମହାପାତ୍ର, ସୁବାସ ଚନ୍ଦ୍ର ରଥ, ଲବ୍‌ଧ ପ୍ରତିଷ୍ଠ ଚିତ୍ରଶିଳ୍ପୀ ଶ୍ରୀ ପଂଚାନନ ସାମଲ ଆଦି କିମ୍ବଦନ୍ତୀ ପୁରୁଷ ପ୍ରମୋଦ ପତିଙ୍କ ସ୍ମୃତିଚାରଣ କରିଥିଲେ ।

ଏହି ଅବସରରେ ଗୋଲକ ବିହାରୀ ସିଂହଙ୍କ ଦ୍ବାରା ସଙ୍କଳିତ, ପ୍ରମୋଦ ପତିଙ୍କ ଜୀବନୀ ତଥା କୃତି ସମ୍ବନ୍ଧୀୟ ପୁସ୍ତକ Pramod Pati- The Inventist Mastercrafter ପାଠକ ଅର୍ପଣ କରାଯାଇଥିଲା । ଜଣେ ଧ୍ଵନି ସଂଯୋଜକ ଭାବେ ବିଭିନ୍ନ ଢଙ୍ଗର ସଂଖ୍ୟାଧିକ ଓଡ଼ିଆ, ହିନ୍ଦି, ଛତିଶଗଡ଼ି, ଆସାମୀୟ ତଥା ବଙ୍ଗଳା ଚଳଚ୍ଚିତ୍ର ଭେଟି ଦେଇ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ସହ ନିଜର ସ୍ୱାତନ୍ତ୍ର୍ୟ ଜାହିର କରିଥିବା ଶ୍ରୀ ନଗେନ୍ କୁମାର ବାରିକ ନିଜର ବୃତ୍ତିଗତ ଜୀବନର ଅଭିଜ୍ଞତାକୁ ବର୍ଣନା କରିବା ସହ ପ୍ରମୋଦ ପତିଙ୍କ ଅନନ୍ୟ ସୃଜନ ପ୍ରତିଭା ଉପରେ ଆଲୋକପାତ କରିଥିଲେ ।

ପ୍ରମୋଦ ପତି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ମହାପାତ୍ର ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସମ୍ପାଦକ ଗୋଲାକ ବିହାରୀ ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ । ସିପ୍ରା ପତି, ଅଭିଷେକ ମହାପାତ୍ର, ସୁନୀଲ ଡାକୁଆ, ଲଳିତ କୁମାର ସାହୁ ସମାରୋହକୁ ସଂଚାଳନା କରିଥିଲେ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news