ଆଜି ଓୟୁଏଟି ସମାବର୍ତ୍ତନ ଉତ୍ସବ ଏବଂ ଭୁବନେଶ୍ବର କୋର୍ଟ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍ଘାଟନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଦିନ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ଼ରୁ ହେଲିକପ୍ଟର ଯୋଗେ ବାହାରି ୧୦.୩୦ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ କାରକେଡ଼ରେ ଓୟୁଏଟି ଯାଇ ଏହାର ୪୦ତମ ସମାବର୍ତ୍ତନ ଉତ୍ସବରେ ୧୦ଟା ୫୫ରେ ଯୋଗଦେବେ। ଅପରାହ୍ଣ ୧୨ଟାରେ ରାଜଭବନ ଫେରି ମଧ୍ୟାହ୍ନଭୋଜନ କରିବା ସହ ବିଶ୍ରାମ ନେବେ। ଅପରାହ୍ଣ ୫ଟାରେ ରାଜଭବନରୁ ବାହାରି ୫ଟା ୨୦ରେ କଳ୍ପନାସ୍ଥିତ ଭୁବନେଶ୍ୱର କୋର୍ଟର ଜୁଡିସିଆଲ କମ୍ପ୍ଲେକ୍ସ ଉଦ୍ଘାଟନ କରିବେ। ଏଥିସହ ସେଠାରେ ଏକ ସାଧାରଣ ସଭାରେ ଯୋଗଦେବେ।
ସନ୍ଧ୍ୟା ୬ଟା ୩୦ରେ ରାଜଭବନ ଯାଇ ରାତ୍ରିଯାପନ କରିବେ। ୬ ତାରିଖ ସକାଳ ୯ଟା ୫ରେ ରାଜଭବନରୁ ବାହାରି ଏଜି ଛକସ୍ଥିତ ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ୯ଟା ୧୫ ପର୍ଯ୍ୟନ୍ତ ମହାପରିନିର୍ବାଣ ଦିବସରେ ଯୋଗଦେବା ପରେ ୯ଟା ୨୫ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ମୟୂରଭଞ୍ଜ ଗସ୍ତରେ ଯିବେ। ବାଦାମପାହାଡ ବ୍ଲକସ୍ଥିତ ରଙ୍ଗମାଟିଆ ଅସ୍ଥାୟୀ ହେଲିପ୍ୟାଡ୍ରେ ପୂର୍ବାହ୍ଣ ୧୧ଟା ୫ରେ ଅବତରଣ କରିବେ। ସେଠାରୁ ସଡ଼କ ପଥରେ ନିଜ ଜନ୍ମଭୂମି ଉପରବେଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କ ସହିତ ଭାବ ବିନିମୟ କରିବେ। ସେଠାରୁ ୧୨ଟା ୫ରେ ବାହାରି ଉପରବେଡ଼ା ଗ୍ରାମସ୍ଥିତ ନିଜ ପୈତୃକ ଘରକୁ ଯାଇ ପୁତୁରା, ପୁତୁରା ବୋହୂ ଓ ଆତ୍ମୀୟଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ମଧ୍ୟାହ୍ନ ୧୨ଟା ୩୦ରେ ଉପରବେଡ଼ା ଗ୍ରାମରୁ ବାହାରି ସଡ଼କ ପଥରେ ସ୍ବତନ୍ତ୍ର କାରକେଡ୍ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଇରଙ୍ଗପୁର ଯିବେ।ରାଷ୍ଟ୍ରପତିଙ୍କ ଭୁବନେଶ୍ବର କାର୍ଯ୍ୟକ୍ରମ ଲାଗି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଖାପାଖି ୭୦ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ବିମାନବନ୍ଦର, ରାଜଭବନ, କଳ୍ପନା ଛକ, ଏଜି ଛକ ସହ ଚନ୍ଦ୍ରଶେଖରପୁରରେ ଅସ୍ଥାୟୀ ପୁଲିସ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ୍) ବ୍ୟବସ୍ଥା କରାଯାଇଛି। ଏଥିସହ ସିସିଟିଭି ନଜରରେ ପୂରା ସହର ରହିଛି। ୫ଟି ସ୍ଥାନରେ ବ୍ଲକିଂ ଓ ଚେକିଂ କରାଯିବ। ସ୍ବତନ୍ତ୍ର ପୁଲିସ ଦଳ ରାତି ୯ଟାରୁ ସକାଳ ୬ ପର୍ଯ୍ୟନ୍ତ ରାସ୍ତା ଉପରେ ସମସ୍ତ ଯାନବାହନ ଓ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବେ। ଟଙ୍କପାଣି ରାସ୍ତାରେ ବଡ଼ଗଡ଼ ଥାନା ପକ୍ଷରୁ, ଏୟାରପୋର୍ଟ ଗୋଲେଇ ଛକ, ସହ ଗୋପବନ୍ଧୁ ଛକରେ କ୍ୟାପିଟାଲ ଥାନା ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କରାଯିବ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।