MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: 5 ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ଭିତରେ ଯାଞ୍ଚ କରୁଛି 11ଜଣିଆ ଟିମ୍‌

ପୂରଣ ହେଲା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆକାଂକ୍ଷା । ଖୋଲିଲା ରତ୍ନଭଣ୍ଡାର । ଶ୍ରୀକ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବେଶ । 11ଜଣିଆ ଟିମ ଜାରି ରଖିଛି ଯାଞ୍ଚ । ମିଳିବ କେତେ ଦୁର୍ଲ୍ଲଭ ଅଳଙ୍କାର, ରହିଛି ପୁରା ଦେଶର ନଜର ।

ମୋ ଟିଭି ଓଡିଶା / ପୁରୀ :

ଶେଷ ହେଲା ପ୍ରାୟ ଅର୍ଦ୍ଧଶତାବ୍ଦୀ ପ୍ରତୀକ୍ଷା । ଖୋଲିଲା ଚତୁର୍ଦ୍ଧାମୂର୍ତ୍ତିଙ୍କର ‘ରତ୍ନଭଣ୍ଡାର’ । ବହୁ ବିଚାରବିମର୍ଶ, ବୈଠକ, ପ୍ରସ୍ତୁତି ପରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଧାରିତ ସମୟ ଅପରାହ୍ନ 1ଟା 28 ମିନିଟରେ ରତ୍ନଭଣ୍ଡାର ଖୋଲାଯାଇଛି । ‘ରତ୍ନଭଣ୍ଡାର ତଦାରଖ କମିଟି’ ମୁଖ୍ୟ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ନେତୃତ୍ବରେ 11ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ମନ୍ଦିର ମଧ୍ୟରେ ପ୍ରବେଶ କରି ରତ୍ନଭଣ୍ଡାର ଖୋଲିଛନ୍ତି । ପ୍ରଥମେ ବାହାର ଭଣ୍ଡାର ଖୋଲାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରର 4 ଦ୍ବାର ବନ୍ଦ ରଖାଯାଇଛି । ଏହାସହ 6ଟି କାଠ ନିର୍ମିତ ବିଶାଳ ସିନ୍ଧୁକ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଛି । ରତ୍ନଭଣ୍ଡାରରେ ଥିବା ଦୁର୍ମୂଲ୍ୟ ଅଳଙ୍କାରକୁ ପ୍ରଥମେ ଏହି କାଠ ସିନ୍ଧୁକରେ ରଖାଯିବ । ପରେ ଗଣତି ଓ ମଣତି ପ୍ରକ୍ରିୟା ହେବ ।

ଜଷ୍ଟିସ ବିଶ୍ୱନାଥ ରଥଙ୍କ ନେତୃତ୍ବରେ 11ଜଣିଆ ଉଚ୍ଚସ୍ତରୀୟ କମିଟି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ‘ASI’ ଅଧିକ୍ଷକ, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣଙ୍କ ବ୍ୟତୀତ ରତ୍ନଭଣ୍ଡାର ସବ-କମିଟିର ଜଣେ, ଉଚ୍ଚସ୍ତରୀୟ କମିଟିର ୨ ସଦସ୍ୟ ରହିଛନ୍ତି । ଏହାସହ ଏକ ଉଚ୍ଚପ୍ରଶିକ୍ଷିତ ସ୍ନେକ ହେଲ୍ପଲାଇନ ଟିମ ମଧ୍ୟ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି । ଏହି ଟିମ ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବ ନାହିଁ ।

ରାଜ୍ୟ ସମେତ ସମଗ୍ର ଦେଶର ନଜର ଆଜି ଶ୍ରୀକ୍ଷେତ୍ରର ଏହି ଐତିହାସିକ କ୍ଷଣ ଉପରେ ରହିଥିଲା । ଗତକାଲି ରାତିରେ ‘ରତ୍ନଭଣ୍ଡାର’ ଖୋଲିବା ନେଇ ଅପରେସନ ମାନକ ନିର୍ଦ୍ଦେଶାବଳୀ ବା ‘ଏସଓପି’ ଜାରି କରାଯାଇଥିଲା । ଆଜି ସକାଳେ ପୁଣିଥରେ ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ବସିଥିଲା । ଏହା ପରେ ପାରମ୍ପରିକ ପୋଷାକରେ ନଜର ଆସିଥିଲେ କମିଟିର ଏକାଧିକ ସଦସ୍ୟ । ମାଦଳା ପାଞ୍ଜିର ବର୍ଣ୍ଣନ ଅନୁସାରେ, ଶ୍ରୀଜଗନ୍ନାଥଙ୍କ ଭଣ୍ଡାରର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ହୋଇଥିବା କାରଣରୁ ଲୋକନାଥଙ୍କ ପୀଠରୁ ଖୋଲାଯିବା ପାଇଁ ଆଜ୍ଞାମାଳ ମଧ୍ୟ ଶ୍ରମନ୍ଦିରରେ ପହଞ୍ଚିଥିଲା । ଏହା ପରେ ପ୍ରାୟ 12ଟା ସମୟରେ 11 ଜଣିଆ ଟିମ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ମାହାର୍ଘ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଅପରାହ୍ନ 1ଟା 28 ମିନିଟରେ ଏହି କମିଟି ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଛି । ବାହାର ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ସୂଚନା ରହିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।