ମୋ ଟିଭି ଓଡିଶା / ଭୁବନେଶ୍ୱର : ବିଜେପି ସରକାରର ବହୁଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’କୁ ନେଇ ଚର୍ଚ୍ଚା ଓ ବିବାଦ ଲାଗି ରହିଥିବା ବେଳେ ଆଜି ‘ସୁଭଦ୍ରା ସଚେତନତା ରଥ’ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଭ୍ୟାନ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ଅନ୍ୟ ସମସ୍ତ ଅଞ୍ଚଳ ପରିଭ୍ରମଣ କରିବ । ଏହି ଯୋଜନା ସମ୍ପର୍କରେ ମହିଳା ଓ ଯୁବତୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ସଶକ୍ତିକରଣ ମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ରହି ଏହି ରଥର ଶୁଭାରମ୍ଭ କରିଛନ୍ତି ।
କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି,‘‘ଚଳିତମାସ (ସେପ୍ଟେମ୍ବର) ୧୭ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିରେ ରାଜ୍ୟର ମହିଳାମାନେ ସ୍ବାବଲମ୍ବୀ ହେବେ । ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ଆଜି ‘ସୁଭଦ୍ରା ସଚେତନତା ରଥ’ର ଶୁଭାରମ୍ଭ କରାଯାଇଛି । ଏଥିରେ ଉପକୃତ ହେବାକୁ ଯାଉଥିବା ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ରାଜ୍ୟର ପ୍ରାୟ ଏକ କୋଟି ମହିଳା ଏଥିରେ ଲାଭାନ୍ବିତ ହେବେ ।’’ ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ‘‘ଏହି ପବିତ୍ର ଅବସରରେ ଶୁଭାରମ୍ଭ ହୋଇଥିବା ରଥ ରାଜ୍ୟର ୩୩୮ ଟି ସ୍ଥାନ ପରିକ୍ରମା କରିବ । ଆମ ସରକାର ମହିଳାଙ୍କ ଉତ୍ଥାନ ପାଇଁ ପ୍ରତିବଦ୍ଧ । ଏଥିରେ ରାଜ୍ୟର ପ୍ରାୟ 1 କୋଟି ମହିଳା ଉପକୃତ ହେବେ । ପ୍ରତ୍ୟେକ ଘରେ ଏହି ରଥ ପହଞ୍ଚି ମହିଳାଙ୍କୁ ଯୋଜନା ସମ୍ପର୍କରେ ସଚେତନ କରିବ ।’’
ତେବେ ଯୋଜନା ପାଇଁ ଆବେଦନ କରିବାକୁ ବିଭିନ୍ନ ସ୍ଥାନରେ ମହିଳା ଓ ଯୁବତୀଙ୍କ ମଧ୍ୟରେ ମାତ୍ରାଧିକ ଉତ୍ସାହ ଦେଖିବାକୁ ମିଳିଛି । ଆଧାର କାର୍ଡ ଓ ଅନ୍ୟ ପ୍ରମାଣପତ୍ରରେ ଥିବା ତ୍ରୁଟି ସଂଶୋଧନ କରିବା ପାଇଁ ବିଭିନ୍ନ ଜନସେବା କେନ୍ଦ୍ର ଓ ଡାକଘରେ ନାହିଁନଥିବା ଭିଡ ମଧ୍ୟ ଦେଖିବାକୁ ମିଳିଛି । କିଛି ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଛି । ଲୋକେ ରାତି ରାତି ଲାଇନରେ ଛିଡା ହେଉଛନ୍ତି । ଧସ୍ତାଧସ୍ତିରେ ଆହତ ମଧ୍ୟ ହେଉଥିବାର ଚିତ୍ର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି । ଏପରି ସ୍ଥିତି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ‘ସୁଭଦ୍ରା ଯୋଜନା’ ରେ ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି । ୧୭ ତାରିଖ ପରେ ମଧ୍ୟ ଆବେଦନ କରିପାରିବେ ଓ ହିତାଧିକାରୀ ଯୋଜନାରେ ସମାନ ଅନୁଦାନ ପାଇବେ ବୋଲି ପ୍ରଭାତୀ କହିଥିଲେ । ଯିଏ ସୁଭଦ୍ରା ଯୋଜନା ନାଁରେ ଟଙ୍କା ମାଗୁଥିବ କିମ୍ବା ସାଧାରଣ ହିତାଧିକାରୀକୁ ହଇରାଣ କରୁଥିବ ତାଙ୍କ ନାମରେ ଅଭିଯୋଗ ହେଲେ ତୁରନ୍ତ କାଯ୍ୟନୁଷ୍ଠାନ ନିଆଯିବ l ସେମାନେ ୧୪୬୭୮ ହେଲ୍ପ ଲାଇନକୁ ଫୋନ କରନ୍ତୁ । ଉକ୍ତ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।