January 9, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡିଶାକୁ ଭାରତର ମିଲେଟ୍ ହବ୍ କରିବା ନେଇ ଲକ୍ଷ୍ୟ

ବିଲୁପ୍ତପ୍ରାୟ ବା ଅବହେଳିତ ଅବସ୍ଥାରେ ଥିବା ଫସଲର ଉପକାରିତା ସମ୍ପର୍କରେ ଜାଣିବା

ବିସ୍ମୃତ ଖାଦ୍ୟ ସଂପର୍କିତ କାହାଣୀ ଏବଂ କଳାକୃତି ମାଧ୍ୟମରେ ଲୋକମାନଙ୍କୁ ଆକୃଷ୍ଟ କରିବା

ଭୁବନେଶ୍ୱର ତା-10-11-2024 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍‌ ସେଣ୍ଟର୍‌ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ପରେ ପରେ ଏଠାରେ ୨ ଟି ଅଧିବେଶନରେ ମୋଟ ୬ ଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ୨ୟ ଅଧିବେଶନରେ ମୋଟ ୩ ଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।  ୨ ୟ ଅଧିବେଶନରେ ଆୟୋଜିତ ଏକ ବୈଷୟିକ ଅଧିବେଶନରେ ‘ଓଡ଼ିଶାକୁ ଭାରତର ମିଲେଟ୍‌ ହବ୍‌ କରିବା ନେଇ ଲକ୍ଷ୍ୟ’ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ମାକିକୋ ତାଗୁଚି ଆଭାସୀ ମାଧ୍ୟମରେ ଯୋଗଦେଇ ମିଲେଟ୍‌ ବର୍ଷର ସଫଳତା ଏବଂ ଭବିଷ୍ୟତ ନେଇ ନିଜର ମତ ରଖିଥିଲେ । ଆଇସିଆର୍‌ଆଇଏସ୍‌ଏଟିର ଗବେଷଣା ନିର୍ଦ୍ଦେଶକ ଡ. ଏମ୍‌.ଏଲ୍‌. ଜାଟ୍‌ ଓଡ଼ିଶାରେ ମିଲେଟ୍‌ର ଗବେଷଣା ପାଇଁ ଥିବା ବିସ୍ତୃତ ପରିସର ଉପରେ ଆଲୋକପାତ କରିଥିଲେ । କର୍ଣ୍ଣାଟକ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. କେମ୍ପେ ଗୌଡ଼ା କର୍ଣ୍ଣାଟକରେ ମିଲେଟ୍‌ର ଆଦୃତି ବୃଦ୍ଧି ସହ ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏମ୍‌ଏସ୍‌ଏମ୍‌ଇ ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଓଡ଼ିଶାରେ ଶ୍ରୀ ଅନ୍ନ ଚାଷକୁ ଲାଭଦାୟକ କରିବା ସହ ଚାଷୀମାନଙ୍କ ଆୟବୃଦ୍ଧିରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ । ଓଡ଼ିଶା ମିଲେଟ୍‌ର ଉପଯୋଗିତା ଓ ଭବିଷ୍ୟତ ଉପରେ ଡ. ତାରା ସତ୍ୟବତୀ ଏକ ସାମୁଦାୟିକ ବିଶ୍ଳେଷଣ ରଖିଥିଲେ । ଭାରତ କୃଷି ଗବେଷଣା ପରିଷଦ-ଭାରତୀୟ ମିଲେଟ୍‌ ଗବେଷଣା ପ୍ରତିଷ୍ଠାନ (ଆଇସିଏଆର୍‌-ଆଇଆଇଏମ୍‌ଆର୍‌)ର ପ୍ରମୁଖ ବୈଜ୍ଞାନିକ ଡ. କେ, ଶ୍ରୀନିବାସ ବାବୁ ଅଧିବେଶନ ପରିଚାଳନା କରିଥିଲେ । ଡ. ପାଢ଼ୀ ଅଧିବେଶନର ସଫଳତା ପାଇଁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କଳ୍ପନା ପ୍ରଧାନ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଅନ୍ୟ ଏକ ଆଲୋଚନା ଚକ୍ରରେ ବିଲୁପ୍ତପ୍ରାୟ ବା ଅବହେଳିତ ଅବସ୍ଥାରେ ଥିବା ଫସଲର ଉପକାରିତା ସମ୍ପର୍କରେ ଜାଣିବା ବିଷୟବସ୍ତୁକୁ ନେଇ  ଆଉ ଏକ ଅଧିବେଶନ ଆୟୋଜିତ କରାଯାଇଥିଲା । ଅଧିବେଶନରେ ଏମ୍‌. ଏସ୍‌. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ସୌମ୍ୟା ସ୍ୱାମୀନାଥନ ଏହି ଅଧିବେଶନର ଅଧ୍ୟକ୍ଷତା କରିଥିଲେ । ଆଧୁନିକ ଜୀବନଶୈଳୀରେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ଦିଗରେ ବିଶେଷ ଆଦୃତି ନଥିବା ଖାଦ୍ୟଶସ୍ୟଗୁଡ଼ିକର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ନ୍ୟାସନାଲ ଇନଷ୍ଟିଚ୍ୟìଟ ଅଫ ନ୍ୟୁଟ୍ରିସନ୍‌ (ଆଇସିଏମ୍‌ଆର) ର ଡଃ. ଆର୍‌. ଆନ୍ଥନ ଆମ ଜୀବନଶୈଳୀରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ବିସ୍ମୃତ ଖାଦ୍ୟଶସ୍ୟର ଭୂମିକାକୁ ବର୍ଣ୍ଣନା କରିଥିଲେ । ଦି ଇଣ୍ଟରନ୍ୟାସନାଲ ଫୁଡ୍‌ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଡଃ. ଦେବେଂଶ ରାୟ ବିସ୍ମୃତ ଖାଦ୍ୟ ଶସ୍ୟର ପୋଷଣୀୟ ଶକ୍ତି ବୃଦ୍ଧି ନିମନ୍ତେ ମୂଲ୍ୟଯୋଗର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ଅନ୍ୟପକ୍ଷେ ଏମ୍‌ ଏସ୍‌ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ସୌମ୍ୟା ସ୍ୱାମୀନାଥନ ଗୋଷ୍ଠୀଭିତ୍ତିକ ପୁଷ୍ଟି ସାଧନ ନମୁନା ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ସେବାର ନିର୍ଦ୍ଦେଶକ ଡ଼ ବିଜୟ ମହାପାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଗୁରୁତ୍ୱ ଓ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥଲେ । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ମୁଖ୍ୟ ଶ୍ରୀ ୟୋନ ଫର୍ଣାଡ଼ିଜ୍‌ ଦେ ଲାରିନୋଆ ଆଭାସି ମାଧ୍ୟମରେ ଯୋଗ ଦେଇ ନିରନ୍ତର ବିକାଶ ଦିଗରେ ଜନଜାତି ସଂପ୍ରଦାୟଙ୍କ ଖାଦ୍ୟପ୍ରଣାଳୀ ସମ୍ପର୍କରେ ଜଣାଇଥିଲେ ।

ପ୍ରଥମ ଦିବସର ୨ ୟ ଅଧିବେଶନର ୩ୟ ଆଲୋଚନା ଚକ୍ରରେ ସୋକ୍ରାଟସ୍ ଫାଉଣ୍ଡେସନ୍ ସହଯୋଗରେ ଆୟୋଜିତ  “ବିସ୍ମୃତ ଖାଦ୍ୟ ସଂପର୍କିତ କାହାଣୀ ଏବଂ କଳାକୃତି ମାଧ୍ୟମରେ ଲୋକମାନଙ୍କୁ ଆକୃଷ୍ଟ କରିବା” ଶୀର୍ଷକ ଏହି ଆଲୋଚନାରେ  ଭୁଲି ଯାଇଥିବା ଖାଦ୍ୟକୁ ମୁଖ୍ୟସ୍ରୋତରେ ଆଣିବାରେ ନାଗରିକ ନିୟୋଜନର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ମୁଖ୍ୟ ବକ୍ତା ଭାବରେ ଡ. ଶ୍ରୀଜିତ ମିଶ୍ର  ଏହା ଉପରେ  ଗୁରୁତ୍ୱାରୋପ କରିଥିବାବେଳେ ଶ୍ରୀ କୃଷ୍ଣ ପ୍ରସାଦ,  କୃଷି ଐତିହ୍ୟ ସଂରକ୍ଷଣ ପାଇଁ କୃଷି ଖାଦ୍ୟ ମହୋତ୍ସବ ଓ କଳାକୃତିର ଗୁରୁତ୍ୱ ଉପରେ ଆଲୋକପାତ  କରିଥିଲେ । ଶ୍ରୀମତୀ ଶ୍ରୁତି ଥରାଇଲ ଭୁଲି ଯାଉଥିବା ବିରଳ ସବୁଜ ପନିପରିବା, ଫଳ,ମୂଳକୁ ଲୋକପ୍ରିୟ କରିବାରେ ସେ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଶ୍ରୀ ସୁଜିତ ମହାପାତ୍ର ଏହି ଖାଦ୍ୟଗୁଡ଼ିକୁ ଲୋକପ୍ରିୟ କରିବାପାଇଁ କାହାଣୀକୁ ଏକ ଶକ୍ତିଶାଳୀ ମାଧ୍ୟମ  ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ରୋହିତ ଶ୍ରୀବାସ୍ତବ ଆମେ ଭୁଲି ଯାଉଥିବା ଖାଦ୍ୟ ଏବଂ ବାଜରା ଜାତୀୟ ଖାଦ୍ୟର ବହୁଳ ପ୍ରଚାର, ପ୍ରସାର ଓ ପୁନରୁଦ୍ଧାର ନେଇ ସାମାଜିକ  ଗଣମାଧ୍ୟମର ବ୍ଲଗରମାନଙ୍କ ସହଯୋଗ ଲୋଡିଥିଲେ । ଏହାପରେ ଛାତ୍ରଛାତ୍ରୀ, ବ୍ଲଗର, କୃଷକ ଏବଂ ମହିଳା  ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏକ ପାରସ୍ପରିକ  ଆଲୋଚନା ହୋଇଥିଲା । ଶ୍ରୀ ଦେବଜିତ୍ ମିତ୍ର କାର୍ଯ୍ୟକ୍ରମର  ସଂକ୍ଷିପ୍ତ ବିବରଣୀ ପ୍ରଦାନ  କରିଥିଲେ ।  ଏହି ଅଧିବେଶନରେ ନାଗରିକଙ୍କୁ ଭୁଲିଯାଉଥିବା  ଖାଦ୍ୟର ପୁନରୁଦ୍ଧାର ଏବଂ ଏହାକୁ ଖାଦ୍ୟାନ୍ନ ରୂପେ ବ୍ୟବହାର କରିବା ପାଇଁ  ପରାମର୍ଶ ଦିଆଯାଇଥିଲା ।

Latest news